Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସୋନିଆଙ୍କ ଚିଠି, କହିଲେ ଆମ ଗଣତନ୍ତ୍ର ଲାଗି ଏହା ପରୀକ୍ଷାର ସମୟ

15/08/2020 at 7:24 PM

ନୂଆଦିଲ୍ଲୀ ୧୫।୮: ସାରା ଦେଶ ଶନିବାର ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିବା ବେଳେ ଆଜି ସାରା ବିଶ୍ୱ କରୋନା ଭାଇରସ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିଥିବା ଉଲ୍ଲେଖ କରିଛନ୍ତି। ତେବେ ଏଥିରେ ଭାରତକୁ ଏକଜୁଟ ହୋଇ ଭୂତାଣୁକୁ ପ୍ରତିହତ କରିବାରେ ଉଦାହରଣ ସୃଷ୍ଟି କରିବାକୁ ହେବ ବୋଲି ସୋନିଆ କହିଛନ୍ତି।

କରୋନା ଭାଇରସ ମହାମାରୀ କେବଳ ଦେଶରେ ସ୍ୱାସ୍ଥ୍ୟ ସଂକଟ ନୁହେଁ ଆର୍ଥିକ ସଂକଟ ମଧ୍ୟ ଉତ୍ପନ୍ନ କରିଛି। ତେବେ ମୋର ଦୃଢ ବିଶ୍ୱାସ ଆମେ ସମସ୍ତେ ମିଳିମିସି ଏହି ମହାମାରୀ ଓ ତଦଜନିତ ସମସ୍ତ ପ୍ରକାର ସଂକଟରୁ ଆମେ ଆମକୁ ବାହାର କରିପାରିବା। ସୋନିଆ ଆଗକୁ ଲେଖିଛନ୍ତି ଯେ ବନ୍ଧୁଗଣ ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛେ। ଏହି ଦୀର୍ଘ ଅବଧିରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଆମକୁ ସମୟ ସମୟରେ କଷଟି ପଥରରେ ଆମର ପରୀକ୍ଷା ନେଇଛି ଓ ଆମକୁ ନିରନ୍ତର ପରିପକ୍ୱ କରିଛି। ତେବେ ଏବେ ଏପରି ଲାଗୁଛି ଯେପରି ଆମର ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ମୂଲ୍ୟ ଓ ସ୍ଥାପିତ ପରମ୍ପରାର ବିପରୀତରେ ଛିଡାହୋଇଛି। ଏଣୁ ଆମ ଗଣନ୍ତ୍ର ଏବେ ପରୀକ୍ଷାର ସମୟ ଦେଇ ଗତି କରୁଥିବାର ପତ୍ରରେ ଉଲ୍ଲେଖ କରିଛନ୍ତି ସୋନିଆ।

ସୋନିଆ ତାଙ୍କ ଚିଠିରେ ଗଲୱାନରେ କର୍ଣ୍ଣେଲ ସନ୍ତୋଷ ବାବୁ ଓ ତାଙ୍କର ୨୦ ଜଣ ସାଥୀ ଶହିଦ ହେବାର ଆଜକୁ ୬୦ ଦିନ ବିତିଥିବାର ଲେଖିଛନ୍ତି। ଏଣୁ ସୋନିଆ ଏହି ବୀର ସୈନିକମାନଙ୍କ  ବୀରତ୍ୱକୁ ସରକାର ସ୍ମରଣ କରନ୍ତୁ ଓ ସେମାନଙ୍କୁ ଉଚିତ ସମ୍ମାନ ଦିଅନ୍ତୁ ବୋଲି ସୋନିଆ ସରକାରଙ୍କ ନିକଟରେ ଆଗ୍ରହ କରିଛନ୍ତି। ସେମାନଙ୍କ ବୀରତ୍ୱର ସମ୍ମାନ ଭାରତର ସରହଦକୁ ଚୀନ ଅନୁପ୍ରବେଶରୁ ମୁକ୍ତ କରିବା ବୋଲି ସୋନିଆ ଉଲ୍ଲେଖ କରିଥିବା ବେଳେ ଏହାହିଁ ସେମାନଙ୍କ ଲାଗି ଉଚ୍ଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି।

ସେହିପରି ସୋନିଆ ପ୍ରତିଟି ଦେଶବାସୀ  ନିଜ ଅନ୍ତରାତ୍ମାକୁ ଆଜି ପଚାରି ବୁଝନ୍ତୁ ସ୍ୱାଧୀନତାର ଅର୍ଥ କ’ଣ? ଆଜି ଦେଶରେ ଲେଖିବାକୁ, କହିବାକୁ, ପଚାରିବାକୁ, କୌଣସି ପ୍ରସଙ୍ଗରେ ଅସହମତ ହେବାକୁ, ନିଜର ବିଚାର ବ୍ୟକ୍ତ କରିବାକୁ ଅଥବା ଜାବାବ ମାଗିବାକୁ ଆମେ ସ୍ୱାଚ୍ଛନ୍ଦ କି? ଏକ ଉତ୍ତରଦାୟୀ ବିରୋଧୀ ଦଳ ହୋଇଥିବା ଯୋଗୁ ଗଣତାନ୍ତ୍ରିକ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ଆମର ପ୍ରଥମ ଦାୟିତ୍ୱ। ଏ ଦିଗରେ ଆମେ ଆମର ସମସ୍ତ ପ୍ରକାର ଉଦ୍ୟମ ଓ ସଂଘର୍ଷ ଜାରି ରଖିଛୁ ବୋଲି ସୋନିଆ ପତ୍ରରେ ଲେଖିଛନ୍ତି।  

   Related Posts