ସୋନିଆଙ୍କ ଗଡରେ ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ, ୧୮ରୁ ୧୧ ଆସନରେ ଜିତିଲା ବିଜେପି

Published By : Prameya-News7 Bureau | July 11, 2021 IST

ଲକ୍ଷ୍ନୌ, ୧୦/୦୭: ଉତ୍ତରପ୍ରଦେଶରେ ଶନିବାର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିଛି । ରାଜ୍ୟରେ ୮୨୫ଟି ଆସନରୁ ୩୩୪ରେ ନିର୍ବିରୋଧ ଭାବେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ତେବେ ୪୭୬ଟି ଆସନରେ ମତଦାନ ହୋଇଥିଲେ । ଏହି ନିର୍ବାଚନରେ ବିଜେପିକୁ ୬୦୦ରୁ ଅଧିକ ଆସନରେ ବିଜୟ ମିଳିଛି । ସମାଜବାଦୀ ପାର୍ଟି ୧୦୦ ଭିଚରେ ସୀମିତ ଥିବା ବେଳେ କଂଗ୍ରେସ ଏକପ୍ରକାର ପୋଛି ହୋଇଯାଇଛି ।

ଏପରିକି କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଗଡ ରାଏବରେଲୀରେ ମଧ୍ୟ ନିଜ ପ୍ରାର୍ଥୀ ହେଇପାରିନଥିଲା । ଦଳ ଜିଲ୍ଲାର ୧୮ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିଜେ ପ୍ରାର୍ଥୀ ନଦେଇ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ।

ସୋନିଆଙ୍କ ଗଡରେ ୧୮ଟି ଆସନରୁ ବିଜେପି ୧୧ଟିରେ ବିଜୟଲାଭ କରିଛି । ସେହିପରି ସମାଜବାଦୀ ପାର୍ଟିର ଖାତାରେ ରାଏବରେଲୀର ୨ଟି ଆସନ ଆସିଛି । ଅନ୍ୟ ୫ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।ଜିଲ୍ଲାରେ ଅନେକ ହେଭିଓ୍ୱେଟ୍ ନେତାଙ୍କ ପରିବାର ଲୋକେ ଭାଗ୍ୟ ପରୀକ୍ଷା କରିଥିଲେ । ବାହୁବଳୀ ବିଧାୟକ ସ୍ୱର୍ଗତଃ ଅଖିଲେଶ ସିଂଙ୍କ ପତ୍ନୀ, କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବୋହୂ ମଧ୍ୟ ବିଜୟ ଲାଭ କରିଛନ୍ତି ।

ସୋନିଆଙ୍କ ଗଡରେ କଂଗ୍ରେସର ଏପରି ଲଜ୍ଜାଜନକ ପରାଜୟକୁ ଦଳ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ସୋନିଆ ହିଁ ଉତ୍ତରପ୍ରଦେଶରୁ କଂଗ୍ରେସର ଏକମାତ୍ର ସାଂସଦ ଭାବେ ଜିତିଥିଲେ । ତେବେ ଧିରେଧିରେ ସୋନିଆଙ୍କ ଦୁର୍ଗ ଭୁଷୁଡି ପଡୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.