ରାହୁଲ ଗାନ୍ଧିଙ୍କ ଇସ୍ତଫା ନିଷ୍ପତ୍ତି ପରେ ସୋନିଆ ନେଲେ ବଡ ନିଷ୍ପତ୍ତି, କଂଗ୍ରେସରେ ହାହାକାର

Published By : Prameya-News7 Bureau | July 06, 2019 IST

ନୂଆଦିଲ୍ଲୀ ୬|୭:  କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ରାଜନୈତିକ ମାହୋଲ ଏବେ ସରଗରମ ରହିଛି । ତାଙ୍କ ପରେ କାହାକୁ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ ତାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି । ତେବେ ମୋତିଲାଲ ଭୋରାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରାଯିବା ନେଇ ଚର୍ଚ୍ଚା ହେଉଛି ।

ରାହୁଲ ଗାନ୍ଧି ଗତ ବୁଧବାର ଦିନ ଟ୍ବିଟରରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫାକୁ ସାର୍ବଜନୀନ କରିଥିଲେ । ଟ୍ବିଟ୍ ରେ ସେ ଇସ୍ତଫା ଦେବାର କାରଣ ମଧ୍ୟ ଦର୍ଶାଇଥିଲେ ।  ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ପତ୍ର ପୂର୍ବରୁ ପାର୍ଟିକୁ ଦେଇସାରିଥିଲେ । ଇସ୍ତଫା ଦେବା ପରେ ଇସ୍ତଫା ପ୍ରତ୍ୟାହୃତ ପାଇଁ ତାଙ୍କ ଉପରେ ମଧ୍ୟ ବହୁ ଚାପ ପଡିଥିଲା ।  ଏମିତିକି ୫ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଦେଖାକରି ଇସ୍ତଫା ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ । ଏହା ସତ୍ବେ ରାହୁଲ ଗାନ୍ଧି ତାଙ୍କ ଜିଦ୍ ରେ ଅଟଳ ରହିଥିଲେ । ଶେଷରେ ଇସ୍ତଫାକୁ ସେ ସାର୍ବଜନୀନ କରିଥିଲେ । ସେ ଲୋକସଭା ନିର୍ବାଚନର ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ । କଂଗ୍ରେସ କାର୍ଯ୍ୟସମିତି ଆଗାମୀ ଅଧ୍ୟକ୍ଷ ଖୁବ୍ ଶୀଘ୍ର ଚୟନ କରୁ ବୋଲି ମଧ୍ୟ ସେ କହିଦେଇଥିଲେ ।  ସେ ଅଧ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିବା ପାଇଁ ଆମେରିକା ପଳାଇଯାଇଛନ୍ତି ।

ଅନ୍ୟପଟେ ପୁଅର ଇସ୍ତଫା ପରେ ସୋନିଆ ଗାନ୍ଧି ମଧ୍ୟ ବଡ ନିଷ୍ପତ୍ତି ନେଇଛନ୍ତି । ସେ ରାହୁଲଙ୍କୁ ସମର୍ଥନ ଜଣାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ମଧ୍ୟ ରାହୁଲଙ୍କ ଆମେରିକା ଯିବା ଏବଂ ଅଧ୍ୟକ୍ଷ ନିର୍ବାଚନରୁ ଦୂରେଇ ରହିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । କାରଣ ଅଧ୍ୟକ୍ଷ ନିର୍ବାଚନରେ ଗାନ୍ଧି ପରିବାରର କୌଣସି ଚାପ ପଡିବା କଥା ଚର୍ଚ୍ଚା ହେଉ ବୋଲି ସେ ଚାହୁଁନାହାନ୍ତି । ଏବେ କେବଳ ରାହୁଲ ନୁହେଁ ବରଂ ସୋନିଆ ଗାନ୍ଧି ମଧ୍ୟ ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.