ଦେଶବାସୀଙ୍କୁ ସୋନିଆ କହିଲେ, ସଙ୍କଟ ସମୟରେ ଏକାଠ ରହିବା, କଂଗ୍ରେସ ଲୋକଙ୍କ ସହ ଅଛି : କରୋନା ଯୋଦ୍ଧାଙ୍କୁ ସଲାମ୍‌

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୦୪ : ସାରାଦେଶରେ କରୋନା ସ୍ଥିତି ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହାମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି । ଏହି ସନ୍ଦେଶରେ ଦେଶବାସୀଙ୍କୁ ଲକ୍‌ଡାଉନ୍‌ ନିୟମ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହାସହିତ କରୋନାର ମୁକାବିଲା କରୁଥିବା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତା ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ସୋନିଆ ଆଶା ପ୍ରକଟ କରିଛନ୍ତି ଯେ, ଏହି ସଙ୍କଟ ସମୟରେ ସମସ୍ତ ଦେଶବାସୀ ନିଜ ନିଜ ଘରେ ସୁରକ୍ଷିତ ଥିବେ ଏବଂ ଲକଡାଉନକୁ ସଂପୂର୍ଣ୍ଣ ଭାବେ ପାଳନ କରୁଥିବେ । କଂଗ୍ରେସ ସଭାପତି କରୋନା ପ୍ରକୋପ ସମୟରେ ଲୋକଙ୍କୁ ଶାନ୍ତି, ଧୈର୍ଯ୍ୟ ଓ ସଂଯମ ବଜାୟ ରଖି ଥିବାରୁ ଧନ୍ୟବାଦ ଦେଇଛନ୍ତି । କରୋନା ମହାମାରୀ ସହ ମୁକାବିଲାରେ ଆପଣ ସମସ୍ତେ ଛିଡା ହେବା ଏଥିରୁ ଆଉ ବଡ ଦେଶଭକ୍ତି କଣ ହୋଇପାରେ । ଆମେ ଏହି କଠିନ୍ ପରିସ୍ଥିତିରେ ଆପଣଙ୍କ ପରିଜନ, ପତି-ପତ୍ନୀ-ପିଲା, ମାତା-ପିତାଙ୍କ ତ୍ୟାଗ ଓ ବଳିଦାନକୁ କେବେ ଭୁଲି ପାରିବା ନାହିଁ । ବିପଦ ଥିଲେ ମଧ୍ୟ ନିଜ ଲୋକଙ୍କ ସହଯୋଗ ଓ ସମର୍ଥନରେ ହିଁ ଆମେ ଏହି ଲଢେଇ କରି ପାରୁଛେ । ତେଣୁ ଏମିତି ବୀରତା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ ।

ସୋନିଆ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ସମାଜ ସେବା ସଂଗଠନ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅଭାବ ପରେ ମଧ୍ୟ ଚିକିତ୍ସା ଜାରି ରଖିଛନ୍ତି । ପୋଲିସ୍ ଓ ଯବାନ ଦିନରାତି ପ୍ରହରା ଦେଇ ଲକଡାଉନର ନିୟମକୁ କିପରି କଡ଼ାକଡି ପାଳନ କରାଯିବ ସେଦିଗରେ କାର୍ଯ୍ୟ କରୁଛନ୍ତି । ସେହିପରି ସଫେଇ କର୍ମଚାରୀ ମଧ୍ୟ ବହୁତ କଠିନ ପରିସ୍ଥିତି ଓ କମ୍‌ ସମ୍ବଳରେ କାର୍ଯ୍ୟ କରୁଛନ୍ତି । ସଂକ୍ରମଣକୁ କିପରି ବ୍ୟାପିବାରେ ରୋକାଯାଇ ପାଇଁ କ୍ରମାଗତ ସ୍ୱଚ୍ଛତା ଜାରି ରଖିଛନ୍ତି ।

ଡାକ୍ତରଙ୍କ ସହିତ କିଛି ସ୍ଥାନରେ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ସଭାପତି କହିଛନ୍ତି ଯେ, ଆମର ସଭ୍ୟତା ଓ ସଂସ୍କୃତି ଏମିତି ନୁହଁ । ଆମେ ସମସ୍ତଙ୍କୁ ସହଯୋଗ ଓ ସମର୍ଥନ କରିବା ଉଚିତ୍ । ଏହି ସଂକଟ ବେଳେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । କେହି କେହି ଲୋକଙ୍କୁ ଖାଦ୍ୟ ଦେଉଛନ୍ତି, ଆଉ କିଏ ମାସ୍କ ବଂଟନ କରୁଛନ୍ତି, କିଏ ସାନିଟାଇଜର ଦେଉଛନ୍ତି ତ ଆଉ କିଏ ଗରିବଙ୍କ ପର୍ଯ୍ୟନ୍ତ ରାସନ ପହଁଚାଉଛନ୍ତି । ଅର୍ଥାତ ପ୍ରତ୍ୟେକ ଭାରତୀୟ କରୋନାର ଏହି ଲଢେଇକୁ ଜିତିବା ଲାଗି ଏକଜୁଟ୍ ହୋଇ ନିଜର ଦାୟିତ୍ୱ ବହନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.