ନୂଆଦିଲ୍ଲୀ, ୧୯|୧୨ : ଶନିବାର ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ମନାଇବେ ସୋନିଆ ଗାନ୍ଧୀ । ଏଥିପାଇଁ ଶନିବାର ବସୁଛି କଂଗ୍ରେସର ବୈଠକ । ଦଳରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କନ୍ଦଳର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦଳକୁ ମଜବୁତ କରିବା ସହ ସମସ୍ତ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ସୋନିଆ ଶନିବାର ଏକ ବୈଠକ ଡାକିଛନ୍ତି । ସୋନିଆ ଏହି ବୈଠକରେ ସେହି ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ଯେଉଁମାନେ ଚିଠି ଲେଖି ନେତୃତ୍ୱ ଉପରେ ପ୍ରଶ୍ନ କରିଥିଲେ । ଏହି ଚିଠିକୁ ନେଇ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।
ଦଳରେ ଫାଟ ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଚିଠି ଲେଖିଥିବା ନେତା ଅନ୍ୟ ବରିଷ୍ଠ ନେତାଙ୍କୁ ସମାଲୋଚନା କରିଥିଲେ । ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରିଥିଲେ । ଏହାମଧ୍ୟରେ ସୋନିଆ ଗାନ୍ଧୀ ଡାକିଥିବା ବୈଠକ ଅଧ୍ୟକ୍ଷ ଚୟନ ସହ କନ୍ଦଳକୁ ପ୍ରଶମିତ କରିବା ପାଇଁ ହୋଇଥିବା କୁହାଯାଉଛି । ତେଣୁ ଏହି ବୈଠକ ଅନେକ ମହତ୍ତ୍ୱ ରଖୁଛି । ଏହାସହ ନିକଟରେ ସରିଥିବା ଅନେକ ନିଗର ନିଗମ ନିର୍ବାଚନରେ ଦଳର ପରାଜୟକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ବୈଠକରେ ଯୋଗ ଦେବାକୁ ଅନେକ ଛାମୁଆ ନେତା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଁଚିଛନ୍ତି ।
କୁହାଯାଉଛି ଯେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସୋନିଆଙ୍କୁ ଭେଟି ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ପରାମର୍ଶ ଦେଇଥିଲେ । ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପଛରେ କମଲନାଥଙ୍କ ହାତ ଥିବା ଆଲୋଚନା ହେଉଛି । ତେବେ ଚିଠି ଲେଖିଥିବା ୨୩ ନେତା ବୈଠକରେ ସାମିଲ ହେବେ ନାହିଁ । ୫ରୁ ୬ଜଣ ନେତାଙ୍କ ସହ ସୋନିଆ ସାକ୍ଷାତ କରିବେ ।
ଅନ୍ୟଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଜରୁରୀକାଳିନ ବୈଠକ ଡାକିଛନ୍ତି । କାରଣ ଟିଏମସିରୁ ଗୋଟିଏ ପରେ ଗୋଟିଏ ନେତା ମୁହଁ ଫେରାଇଲାଣି । ପ୍ରଥମେ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଓ ଶୁକ୍ରବାର ବିଧାୟକ ଶୀଳଭଦ୍ର ଦତ୍ତ ମମତାଙ୍କ ହାତ ଛାଡିଛନ୍ତି । ବିଜେପିକୁ କାଉଣ୍ଟର ଦେବା ସହ ନୂଆ ରଣନୀତି ଆପଣାଇବା ପାଇଁ ମମତା ବୈଠକରେ ଆଲୋଚନା କରିବେ ।