JEE ଏବଂ NEET ସ୍ଥଗିତ ରଖିବାକୁ ତେଜୁଛି ଦାବି : ବୈଠକ ଡାକିଛନ୍ତି ସୋନିଆ-ମମତା, ଚର୍ଚ୍ଚାରେ ସାମିଲ ହେବେ ଅଣ ବିଜେପି ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ବୈଠକ ଡାକିଛନ୍ତି । ସେପ୍ଟେମ୍ବରରେ ହେବାକୁ ଥିବା ନିଟ୍ ଏବଂ ଜେଇଇ ପରୀକ୍ଷା ସ୍ଥଗିତ କରିବା ଦାବି ଉପରେ ବୈଠକରେ ଆଲୋଚନା ହେବ । ଏହାସହ ଏହି ବୈଠକରେ ରାଜ୍ୟର ବକେୟା ଜିଏସଟି ଉପରେ ମଧ୍ୟ ଚର୍ଚ୍ଚା ହେବ ।

ବୁଧବାର ଦିନ ୨ଟା ୩୦ମିନିଟ୍ ରେ ଏହି ଭର୍ଚୁଆଲ ବୈଠକ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଟିଏମସି ନେତା ଏହି ସୂଚନା ଦେଇଛନ୍ତି । ଏହି ଭର୍ଚୁଆଲ ବୈଠକରେ ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟତୀତ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ଇତ୍ୟାଦି ସାମିଲ୍ ହେବେ ।

ଏହି ବୈଠକରେ ଆୟୋଜନ କରୁଥିବା ଜଣେ ଟିଏମସି ନେତା କହିଛନ୍ତି ସମସ୍ତ ଅଣ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରିତ କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କୌଣସି ଜରୁରୀ କାମ ପାଇଁ ସେ ଏହି ଭର୍ଚୁଆଲ ବୈଠକରେ ସାମିଲ୍ ହେବେନାହିଁ ।

ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେପ୍ଟେମ୍ବରରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଯାତ୍ରା କରିବା ସୁରକ୍ଷିତ ନୁହଁ । ଏହା କରିବା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଜୀବନକୁ ବିପଦରେ ପକାଇବା ହେବ ।

ସୂଚନାଯୋଗ୍ୟ ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ମଙ୍ଗଳବାର ଦିନ ସ୍ପଷ୍ଟ କରିଥିଲା ଯେ, ନିଟ୍ ଏବଂ ଜେଇଇ ପରୀକ୍ଷା ସ୍ଥଗିତ କରାଯିବନାହିଁ ଏବଂ ପୂର୍ବ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ । ନିଟ୍ ଏବଂ ଜେଇଇ ପରୀକ୍ଷା ସେପ୍ଟେମ୍ବରରେ ହିଁ ଆୟୋଜନ କରାଯିବ ବୋଲି ଏନଟିଏସର ଜଣେ ଅଧିକାରୀ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.