ସୋନଭଦ୍ରରୁ ଏବେ ଖନନ ହେବନି ସୁନା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୨:  ଉତ୍ତରପ୍ରଦେଶ ସୋନଭଦ୍ରରେ ସୁନା ଭଣ୍ଡାରର ସନ୍ଧାନ ମିଳିବା ପରେ ଏବେ ଦେଶ ଦୁନିଆର ନଜର ଏହି ଭୂ ଖଣ୍ଡ ଉପରେ କେନ୍ଦ୍ରିତ ହୋଇଛି। ଏଠାରୁ କେବେ ସୁନା ଖନନ ହେବ ସେ ନେଇ ଲୋକଙ୍କ ମନରେ ଉତ୍ସୁକତା ଲାଗି ରହିଥିବା ବେଳେ ଏବେ କିନ୍ତୁ ସେଠାରୁ ସୁନା ଖନନ ହୋଇପାରୁନାହିଁ। ତେବେ ସରକାର ଓ ଭୂ ବୈଜ୍ଞାନିକ ସର୍ଭେକ୍ଷଣ (ଜିଏସଆଇ) ପ୍ରସ୍ତୁତି ଚଳାଇଥିବା ବେଳେ ଉପୁଜିଥିବା ପ୍ରତିବନ୍ଧକ ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

{"id":227826,"sizeSlug":"large"}

ଯେଉଁ ଭୂ ଖଣ୍ଡରେ ସୁନା ଥିବାର ସର୍ଭେକ୍ଷଣ ହୋଇଛି ସେଠାକାର ୯୫ ପ୍ରତିଶତ ଜମି ବନ ବିଭାଗର ବୋଲି ଜଣାପଡିଛି। ଏଣୁ ଏଠାରେ ସୁନା ଖଣି କରିବାକୁ ହେଲେ ସରକାରଙ୍କୁ ପରିବେଶ ମନ୍ତ୍ରାଳୟଙ୍କଠାରୁ ଅନୁମତି ଆଣିବାକୁ ପଡିବ। ସେହିପରି ବାକି ୫ ପ୍ରତିଶତ ସ୍ଥାନୀୟ ଘରୋଇ ଲୋକଙ୍କ ଅକ୍ତିଆରରେ ରହିଛି। ଏଣୁ ସର୍ଭେକ୍ଷଣରୁ ସୁନାଖଣି ମିଳିଥିଲେ ହେଁ ସରକାର ସେଠାରେ ଅଚାନକ କିଛି କରିପାରିବେ ନାହିଁ ତାହା ଏକରକମ ସ୍ପଷ୍ଟ ହୋଇଯାଇଛି।

{"id":227825,"sizeSlug":"large"}

ତେବେ ସବୁଠୁ ଯାହା ବଡ ପ୍ରତିବନ୍ଧକ ରହିଛି ତାହା ହେଉଛି ସଂରକ୍ଷିତ ବନାଞ୍ଚଳ ଘୋଷଣା। ଏଣୁ ଏଠାରେ ଯାହାବି କିଛି ହେବ ସ୍ଥାନୀୟ ପ୍ରଶାସନ ହାତର କଥା ନୁହେଁ। ରାଜ୍ୟ ସରକାରଙ୍କୁ ଏଥିଲାଗି ପ୍ରୟାଶ କରିବାକୁ ହେବ। ସୁନା ପାହାଡରେ ସୁନା ଖଣି ଲାଗି ଯେତିକି ଜମି ଚିହ୍ନିତ ହୋଇଛି ତାହାର ଦୈର୍ଘ୍ୟ ଓ ପ୍ରସ୍ତ ଯଥାକ୍ରମେ ୧ ଓ ୪ କିଲୋମିଟର। ଏଠାକାର ଭୂ-ଗର୍ଭରେ ପ୍ରାୟ ୩ ହଜାର ଟନ ସୁନା ଥିବାର ଆକଳନ କରାଯାଉଛି। ଏତକ ସୁନା ୧୦୮ ହେକ୍ଟର ଜମିରେ ବ୍ୟାପ୍ତ ରହିଛି। ଏଥିଲାଗି ସରକାର ଇ-ଟେଣ୍ଡର ଆହ୍ୱାନ ମଧ୍ୟ କରିସାରିଲେଣି। ହେଲେ ଏବେ ସଂରକ୍ଷିତ ବନାଞ୍ଚଳ ଅଞ୍ଚଳରେ ଥିବା ସୁନା ଖଣିରୁ କିପରି ଖନନ ହେବ ତାହିଁ ହୋଇଛି ବଡ ପ୍ରଶ୍ନବାଚୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.