ଯେଉଁ ବିଶିଷ୍ଟ ମେକାନିକାଲ ଇଞ୍ଜିନିୟରଙ୍କ ଉପରେ “ଥ୍ରୀ ଇଡିୟଟ୍ସ” ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ସେହି ସୋନମ୍ ୱାଙ୍ଗଚୁକ୍ ଆଜି ରାଜ୍ୟ ସଚ୍ଚିବାଳୟର ବାବୁମାନଙ୍କୁ ଶିଖାଇଥିଲେ ଜୀବନ ଶୈଳୀର ପାଠ, ଜାଣନ୍ତୁ କହିଲେ କ’ଣ
30/10/2019 at 5:03 PM

ଭୁବନେଶ୍ବର ୩୦|୧୦: ଓଡ଼ିଶାରେ ଶାସନ ବ୍ୟବସ୍ଥା ଅନ୍ୟ ରାଜ୍ୟଠାରୁ ଭିନ୍ନ । ଏଠାରେ ଖାଲି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ତଳତଳିଆ କର୍ମଚାରୀ ପାଳନ୍ତିନି, ବରଂ ବାବୁମାନେ ମଧ୍ୟ କର୍ମଚାରୀଙ୍କ କଥା ଶୁଣନ୍ତି । ମାତ୍ର, ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ । ଯୁଗୋପଯୋଗୀ ନହେଲେ ଆମ ପରବର୍ତ୍ତୀ ପୀଢି ପଛରେ ପଡିଯିବେ । ଏକଥା କହିଛନ୍ତି ଆଜି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅତିଥି ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ ।

ପ୍ରଥମେ ଜାଣିବା ସୋନମ ୱାଙ୍ଗଚୁକ କିଏ। ଯଦି ଜାଣିନାହାନ୍ତି ମନେପକାନ୍ତୁ ଫିଲ୍ମ ଥ୍ରି ଇଟଡିୟଟସ କଥା । ଆମୀର ଖାନ୍ଙ୍କ ଚରିତ୍ର ରାଞ୍ଚୋ ବା ଛୋଟେ ବା ଫନସୁଖ ୱାଙ୍ଗଡୁ। କୁହାଯାଏ ଏହି ଚରିତ୍ରଟି ତିଆରି ହୋଇଥିବା ଶିକ୍ଷାବିତ୍ ହେଉଛନ୍ତି ଲଦାଖର ସୋନମ ୱାଙ୍ଗଚୁକ୍।

ଆଜି ଲୋକସେବା ଭବନରେ ବାବୁମାନଙ୍କୁ ଜୀବନ ଶୈଳୀର ଟିପ୍ସ ଦେଇଥିଲେ। ହିମାଳୟର ଲଦାଖର ବାସିନ୍ଦା ୱାଙ୍ଗଚୁକ୍ ପେଶାରେ ଜଣେ ମେକାନିକାଲ ଇଞ୍ଜିନିୟର । ରମଣ ମାଗାସେସେ ସମ୍ମାନ ପାଇଥିବା ୱାଙ୍ଗଚୁକ୍ , ଗତ ୩ ଦଶନ୍ଧି ଧରି ଜଣେ ଶିକ୍ଷାବିତ୍ ଭାବେ ଢେର୍ କ୍ଷାତି ଅର୍ଜନ କରିଛନ୍ତି ।

ଆଜି ଲୋକସେବା ଭବନରେ ସରକାରୀ ବାବୁମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ଏବଂ ଜିଲ୍ଲା ଅଧିକାରୀମାନଙ୍କ ସହ ଭିଡିଓ କନଫେରନସିଂ ପରେ, ସେ ରାଜ୍ୟର ପ୍ରଶାସନିକ ଢାଞ୍ଚାକୁ ଉଚ୍ଚ ପ୍ରଶଂସା କରିଛନ୍ତି । କିନ୍ତୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ‘ଥ୍ରୀ ଆର୍’ ଅର୍ଥାତ୍ ‘ରିଡିଂ, ରାଇଟିଂ ଏବଂ ଆରିଥମେଟିକ୍’ ବଦଳରେ ‘ଥ୍ରୀ ଏଚ୍’ ଅର୍ଥାତ୍ ‘ହେଡ଼, ହ୍ୟାଣ୍ଡ ଏବଂ ହାର୍ଟ’ ଉପରେ ଫୋକସ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ତେବେ, ‘ଥ୍ରୀ ଇଡିୟଟ ‘ ଚଳଚ୍ଚିତ୍ର ପରେ ତାଙ୍କ ଜୀବନରେ କି ପରିବର୍ତ୍ତନ ହେଲା ? ତାଙ୍କ ଲୋକପ୍ରିୟତା ଅଧିକ ବଢିଲା କି ? ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନର ଉତ୍ତର ସେ ତାଙ୍କ ନିଜ ନିଜସ୍ବ ଶୈଳୀରେ ଦେଇଛନ୍ତି।ରାଜ୍ୟସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋନମ ୱାଙ୍ଗଚୁକ୍ । କିନ୍ତୁ ତାଙ୍କ ପରାମର୍ଶ ରାଜ୍ୟ ସରକାର କେତେ ପାଳନ କରୁଛନ୍ତି ଏବଂ ଆମ ଶିକ୍ଷା ବ୍ୟବସ୍ଥାରେ କେତେ ଶୀଘ୍ର ଉନ୍ନତି ଆସୁଛି ତାହା ଉପରେ ନଜର ରହିବ ।