ପରିଶ୍ରମ ବୃଥା ଯାଏନି : ଦିନେ ଗୋଶାଳାରେ ରହି ପଢିବାକୁ ପଡୁଥିଲା ପାଠ, ଏବେ ଜଜ୍ ହୋଇ କରିବେ ବିଚାର

Published By : Prameya-News7 Bureau | January 21, 2021 IST

ଜୟପୁର ୨୧/୦୧ : କଥାରେ ଅଛି, ଚେଷ୍ଟା ହିଁ ସଫଳତାର ଚାବିକାଠି । ଯଦି ତୁମ ଭିତରେ କିଛି କରିବାର ଇଛା ଶକ୍ତି ଅଛି ତେବେ ତୁମକୁ ସଫଳତା ପ୍ରାପ୍ତି କରିବାରେ କେହି ଅଟକାଇ ପାରିବେ ନାହିଁ । ଆଜିକାଲି ଝିଅ ମାନେ ପ୍ରତ୍ୟେକ କ୍ଷେତ୍ରରେ ଦେଶର ନାମ ଉଜ୍ୱଳ କରୁଛନ୍ତି । ଏମିତି ଅନେକ ସଫଳତାର କାହାଣୀ  ଆମେ ପ୍ରତ୍ୟେକ ଦିନ ଶୁଣିବାକୁ ପାଉଛୁ । ନିକଟରେ ରାଜସ୍ଥାନରେ ଏକ ଏମିତି ସଫଳତାର କାହାଣୀ ନଜରକୁ ଆସିଛି । ଉଦୟପୁର ର ସୋନଲ ଶର୍ମା, ଯିଏକି ଆଜି ଜଣେ ଜଜ୍ ହୋଇ ନା କେବଳ ତାଙ୍କ ପିତା ମାତାଙ୍କର ବରଂ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଏ ସବୁ ସୋନଲଙ୍କ ପାଇଁ ଏତେ ସହଜ ନଥିଲା ।

ସୋନଲ ଆଜିବି ତାଙ୍କ  ବାପାଙ୍କୁ ତାଙ୍କର ସଫଳତାର କାରଣ ବୋଲି ବିବେଚନା କରୁଛନ୍ତି । ସୋନଲ ତାଙ୍କ ପିଲାବେଳ ଅନ୍ୟ ପିଲାମାନଙ୍କ ଭଳି ଖେଳ କୁଦରେ କାଟି ନାହାଁନ୍ତି ବରଂ ସେ ପିଲାଟି ଦିନରୁ ତାଙ୍କ ବାପାଙ୍କୁ ଗୋଶାଳାରେ ସାହାରଯ୍ୟ କରୁଥିଲେ ଏବଂ ଆଜି ରାଜସ୍ଥାନ ନ୍ୟାୟାଳୟ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ସ୍ବପ୍ନକୁ ସାକାର କରିଛନ୍ତି ।  

ଗୋଶାଳାରେ ସୋନଲ ତାଙ୍କ ପିତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଥିଲେ । ଗାଈର ଗୋବର ଉଠାଇବା ଠାରୁ ଆରମ୍ଭକରି କ୍ଷୀର ଦୁହିଁବା ଏବଂ ଗୁହାଳ ସଫା କରିବା ପର୍ଯ୍ୟନ୍ତ, ଏ ସମସ୍ତ କାର୍ଯ୍ୟ ତାଙ୍କ ବାପାଙ୍କ ସହ କରୁଥିଲେ କିନ୍ତୁ ସେ ଏହାକୁ ତାଙ୍କ ଜୀବନର ଏକ ଅଂଶ କରିବାକୁ ଚାହୁଁନଥିଲେ ବରଂ କିଛି ଅଲଗା କରି ତାଙ୍କ ବାପା-ମାଙ୍କର ନାଁ ଉଜ୍ୱଳ କରିବାକୁ ଚାହୁଁଥିଲେ । ବାପାଙ୍କୁ ସାହାଯ୍ୟ କରିବା ସହ ସେ ପାଠରେ ମଧ୍ୟ ଆଗୁଆ ରହୁଥିଲେ ଏବଂ ସବୁବେଳେ କ୍ଲାସ୍‌ରେ ପ୍ରଥମ ହେଉଥିଲେ ।

ଏମିତି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ କୋଚିଙ୍ଗ୍‌ର ଆବଶ୍ୟକ ପଡିଥାଏ କିନ୍ତୁ ସୋନଲଙ୍କ ଆର୍ଥିକ ପରିସ୍ଥିତି ସେତେଟା ଭଲ ନଥିଲା ଯାହାଫଳରେ ସେ କୋଚିଂ ନେଉନଥିଲେ । ସୋନଲ ଯେତେବେଳେ ବିଏ ଏଲ୍.ଏଲ୍.ବି ରେ ନାଁ ଲେଖାଇଥିଲେ ସେଠାକୁ ଆସୁଥିବା ଜଜ୍ ମାନଙ୍କୁ ଦେଖି ସୋନଲ ଜଜ୍ ହେବାର ସ୍ୱପ୍ନ ଦେଖିଥିଲେ କିନ୍ତୁ କୋଚିଂ ନମିଳିବା କାରଣରୁ ସୋନଲ ଅଟକି ଯାଇନଥିଲେ ଏବଂ ଦିନ ରାତି ପରିଶ୍ରମ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

କୁହାଯାଏ ସଫଳତା ଅତି ସହଜରେ ମିଳେ ନାହିଁ ଆଉ ଏମିତି କିଛି ହୋଇଥିଲା ସୋନଲଙ୍କ ସହ । ପ୍ରଥମ ଥର ସୋନଲ ମାତ୍ର ୩ ମାର୍କ ପାଇଁ ଫେଲ୍ ହୋଇଯାଇଥିଲେ । ତଥାପି ସେ ହାରି ମାନିନଥିଲେ । ପର ବର୍ଷ ଆହୁରି ପରିଶ୍ରମ କରିବା ସହ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଦିନ ରାତି ଏକ୍‌ କରିଦେଇଥିଲେ ।  

ସୋନଲଙ୍କ ପାଠ ପଢ଼ା କ୍ଷେତ୍ରରେ ତାଙ୍କ ବାପା-ମା ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଅର୍ଥ ବାଧକ ସାଜିଥିଲେ ମଧ୍ୟ ସେ କରଜ କରି ସୋନଲଙ୍କୁ ପାଠ ପଢ଼ାଇଥିଲେ । ସୋନଲ ଯେତେବେଳେ ସ୍କୁଲରେ ପଢୁଥିଲେ, ସେ କ୍ଷୀର ବାଲାର ଝିଅ ବୋଲି ତାଙ୍କ ସାଙ୍ଗମାନଙ୍କୁ କହିବାକୁ ତାଙ୍କୁ ଲାଜ ଲାଗୁଥିଲା କିନ୍ତୁ ଆଜି ତାଙ୍କୁ ନିଜ ଉପରେ ଏବଂ ବାପା-ମା ଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । କେବଳ ଏତିକି ନୁହେଁ ସୋନଲ ସାଇକେଲ ରେ ସବୁଦିନ ସ୍କୁଲ ଯାଉଥିଲେ ଏବଂ ଖାଲିଥିବା ତେଲ ଡବାରେ ଟେବୁଲ୍ କରି ପାଠ ପଢୁଥିଲେ । ପଙ୍କରେ ପଦ୍ମ ଫୁଟିବା ପରି ଆଜି ସୋନଲ ଜଜ୍ ହୋଇ ବିଚାର କରିବାର ସ୍ବପ୍ନକୁ ସାକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.