Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳିଯୁଗର ଶ୍ରବଣ କୁମାର : ବାପା-ମା’ଙ୍କୁ ରିକ୍ସାରେ ବସାଇ ୫୦୦ କିଲୋମିଟର ଦୂର ଘରମୁହାଁ ୧୧ ବର୍ଷର ବାଳକ

17/05/2020 at 12:26 PM

ବାରଣାସୀ ୧୭/୦୫ : ଲକ ଡାଉନ ଯୋଗୁଁ ଘରମୁହାଁ ପ୍ରବାସୀ ଶ୍ରମିକଙ୍କ ଦୁଃଖ କହିଲେ ନ ସରେ | ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି | ପାଖରେ ନା ଅଛି ଟଙ୍କା, ନା ଖାଇବାକୁ ଖାଦ୍ୟ | ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରବାସୀ ଶ୍ରମିକ ନିଜ ଚେଷ୍ଟାରେ ନିଜ ଭିଟାମାଟିକୁ ଫେରି ଯାଉଛନ୍ତି | ନାନା ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଶ୍ରମିକ ନିଜ ଘରମୁହାଁ | ସୋସିଆଲ ମିଡ଼ିଆରେ ପୁଣି ଏକ ଦୁଖଦ ଫଟୋ ଭାଇରାଲ ହୋଇଛି | ଉତ୍ତର ପ୍ରଦେଶ ବାରଣାସୀରୁ ବିହାର ଅରରିଆ ଯିବା ପାଇଁ ରିକ୍ସାରେ ନିଜ ମାତା-ପିତାଙ୍କୁ ବସାଇ ବାହାରି ପଡିଛି ୧୧ ବର୍ଷର ବାଳକ | ଏହି ନିରୀହ ବାଳକର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଭିଡିଓରେ ଦେଖିବାକୁ ମିଳିଛି, କାରରେ ଯାଉଥିବା କିଛି ଲୋକଙ୍କ ନଜର ହଠାତ ବାଳକ ଉପରେ ପଡିଥାଏ | ବାଳକ ନିଜ ବାପା-ମା’ଙ୍କୁ ରିକ୍ସା ବସାଇ ରିକ୍ସା ଟାଣୁଛି | ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖି କାରରେ ଯାଉଥିବା ବ୍ୟକ୍ତି ଜଣକ କାରରୁ ଓହ୍ଲାଇ ବାଳକ ସହ କଥାବାର୍ତ୍ତା କରିଛନ୍ତି | ବ୍ୟକ୍ତି ଜଣକ ବାଳକକୁ ଶ୍ରବଣ କୁମାର ସହ ତୁଳନା କରିଛନ୍ତି | ୧୧ ବର୍ଷର ଏହି ନିରୀହ ବାଳକର ନାଁ ହେଲା ତବାରେ ଆଲମ | ତାଙ୍କ ପରିବାର ବାରଣାସୀରେ ଦିନ ମଜୁରିଆ ଭାବେ କାମ କରୁଥିବା ସେ କହିଛି |  

ବାଳକ କହିଛି ସେ ନିଜ ବାପା-ମା’ଙ୍କୁ ସାହାଯ୍ୟ କରୁଛି | ତାଙ୍କୁ ନେଇ ସେ ବିହାର ଅରରିୟା ନିଜ ଗାଁକୁ ବାହାରି ପଡିଛି | କାରରୁ ଓହ୍ଲାଇ ବାଳକ ସହିତ କଥାବାର୍ତ୍ତା କରିଥିବା ବ୍ୟକ୍ତି ଜଣକ ବାଳକ ପ୍ରଶ୍ନ କରିଥିଲେ ସେ କାହିଁକି ଏତେ ବାଟ ରିକ୍ସାରେ ବାପା-ମା’ଙ୍କୁ ନେଇ ଯାଉଛି | ଉତ୍ତରରେ ଆଲମ କହିଛି ଯେ ସେଠାରେ ତାଙ୍କ ପାଖରେ ଖାଇବା ପାଇଁ କିଛି ନଥିଲା | ବାରଣାସୀରେ ଖାଇବା ପିଇବାର କୌଣସି ସୁବିଧା ନଥିବା ଯୋଗୁଁ ସେମାନେ ନିଜ ଗାଁକୁ ଫେରି ଯାଉଥିବା ସେ କହିଥିଲା | ଭିଡିଓ କରିଥିବା ବ୍ୟକ୍ତି ଜଣଙ୍କ ଆଲମ ହାତରେ ୫୦୦ ଟଙ୍କା ଦେଇଥିଲେ | ଏହିଭଳି ଏକ ପଦକ୍ଷେପ ପାଇଁ ସେ ଆଲମକୁ ଶାବାସୀ ମଧ୍ୟ ଦେଇଥିଲେ |

ବ୍ୟକ୍ତି ଜଣକ ଭିଡିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | ଭିଡିଓ ପୋଷ୍ଟ କରିବା ପରେ ଏହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ ଲୋକେ ନିରୀହ ବାଳକକୁ ଶ୍ରବଣ କୁମାର ସହ ତୁଳନା କରିଛନ୍ତି | ସାଢେ ୫ ଶହ କି:ମି:ରୁ ଅଧିକ ବାଟ ଏବଂ ଆଲମର ଏହି ଜୋସକୁ ଲୋକେ ଭୁରି ଭୁରି ପ୍ରଶଂସା କରିବା ସହ ସଲାମ କରିଛନ୍ତି | 

   Related Posts