ବଇଦଠୁ ଚେରମୂଳି ଔଷଧ ଖାଇ ପୁଅ ଅସୁସ୍ଥ, ଚାଖିବାରୁ ବାପାଙ୍କର ମୃତ୍ୟୁ

Published By : Prameya-News7 Bureau | January 14, 2019 IST

ଗୁମଲା ୧୪|୧: ଝାଡଖଣ୍ଡ ପାଲକୋଟର ଦେବଗାଓଁ ବଡକାଟୋଲି ନିବାସୀ ୪୫ବର୍ଷୀୟ ଆନନ୍ଦ ଏକ୍କାଙ୍କର ଜଙ୍ଗଲୀ ଚେରମୂଳି ଔଷଧ ଚାଖିବାରୁ ମୃତ୍ୟୁ ହୋଇଛି । ସେହିଭଳି ମୃତକଙ୍କ ପୁଅ ୬ବର୍ଷୀୟ ସୌମୀ ଏକ୍କା ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି । ପୁଅ ସୌମୀଙ୍କ ଚିକିତ୍ସା ଗୁମଲା ସଦର ହସ୍ପିଟାଲର ଶିଶୁ ବିଭାଗରେ ଚାଲିଛି । ଉଭୟ ବାପା ଓ ପୁଅ ବାରଡିହ ଗାଁର ଜଣେ ବଇଦଙ୍କ ଦ୍ବାରା ଦିଆଯାଇଥିବା ଔଷଧ ଖାଇଥିଲେ । ପୁଅର ପେଟରେ ଯନ୍ତ୍ରଣା ହେଉଥିବାରୁ ଆନନ୍ଦ ବଇଦଙ୍କଠାରୁ ଔଷଧ ଆଣିଥିଲେ ।

ଆନନ୍ଦ ବଇଦ ପାଖରୁ ଜଙ୍ଗଲୀ ଚେରମୂଳି ଔଷଧ ଆଣି ପୁଅକୁ ଖାଇବାକୁ ଦେଇଥିଲେ । ଔଷଧ ଖାଇବା ପରେ ପୁଅ ବାନ୍ତି କରିବା ସହ ବେହୋସ ହୋଇଯାଇଥିଲେ । ପୁଅ ବେହୋସ ହେବା ଦେଖି ଆନ୍ଦ ମଧ୍ୟ ସେହି ଔଷଧକୁ ଚାଖିଥିଲେ । ଫଳରେ ସେ ମଧ୍ୟ ବେହୋସ ହୋଇଯାଇଥିଲେ । ଉଭୟଙ୍କୁ ହସ୍ପିଟାଲ ଆଣିବା ବାଟରେ ଆନନ୍ଦଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହ ଜବତ କରି ପୋଷ୍ଟମର୍ଟମ କରାଇଛି ଗୁମଲା ପୋଲିସ । ମୃତକଙ୍କ ଭିସାରା ଯାଞ୍ଚ ପାଇଁ ରାଞ୍ଚି ପଠାଯାଇଛି ।

ଆନନ୍ଦଙ୍କ ପତ୍ନୀ ବନ୍ଦନା ଏକ୍କା କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ତାଙ୍କ ପୁଅ ସୌମୀଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ସେହି ସମୟରେ ବାରଡିହ ଗାଁର ବଇଦଙ୍କଠାରୁ ଔଷଧ ଆଣି ଖାଇବାକୁ ଦେଇଥିଲେ । ସେହି ଔଷଧ ଖାଇ ପେଟ ଯନ୍ତ୍ରଣା ଭଲ ହୋଇଯାଇଥିଲା । ପୁଣି ଏକ ମାସ ହେବ ତାଙ୍କ ପୁଅର ପେଟରେ ଯନ୍ତ୍ରଣା ହେଉଛି । ପୁଅର ପେଟ ଯନ୍ତ୍ରଣା ହେଉଥିବା ଦେଖି ଆନନ୍ଦ ବାରଡିହ ଯାଇ ଔଷଧ ନେଇ ଆସିଥିଲେ । ସେ ତାଙ୍କ ପୁଅକୁ ଖାଇବାକୁ ଦେଇଥିଲେ । ଔଷଧ ଖାଇବା ପରେ ପୁଅ ବାନ୍ତି କରିବା ସହ ବେହୋସ ହୋଇଯାଇଥିଲେ ।

ଏହା ଦେଖି ଆନନ୍ଦ ଔଷଧର କିଛି ଅଂଶ ଚାଖିଥିଲେ । କିଛି ସମୟ ପରେ ତାଙ୍କର ମଧ୍ୟ ବାନ୍ତି ହୋଇଥିଲା ଏବଂ ସେ ମଧ୍ୟ ବେହୋସ ହୋଇଯାଇଥିଲେ । ଉଭୟ ବାପା ଓ ପୁଅଙ୍କୁ ଗୁମଲା ସଦର ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ଘଟଣାରେ ଆନନ୍ଦଙ୍କ ପତ୍ନୀ ବନ୍ଦନାଙ୍କ ବୟାନ ରେକର୍ଡ କରିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଭିସାର ଯାଞ୍ଚ ପରେ ଜଣାପଡିବ ଯେ ବଇଦ ଦେଇଥିବା ଔଷଧ ବିଷାକ୍ତ ଥିଲା କି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.