କରୋନା ଆକ୍ରାନ୍ତ ବାପାକୁ ଧରି ଆମ୍ବୁଲାନ୍ସରେ ୨ ଦିନ ହେଲା ବୁଲୁଛି ପୁଅ, ବୁଲି ବୁଲି ହସ୍ପିଟାଲ୍‌ରେ ମିଳୁନି ବେଡ୍‌ ‌

Published By : Prameya-News7 Bureau | April 14, 2021 IST

ମୁମ୍ବାଇ ୧୪/୪: କରିବେ ତ କରିବେ କଣ ? ଦାଉ ସାଧିଛି ଦଇବ। ଏମିତି ଲେଖିବାର କାରଣ କରୋନା ଭୂତାଣୁ ସଂକ୍ରମଣ ମଣିଷ ସମାଜକୁ ହରଡ଼ ଘଣାରେ ପକାଇଛି। ବଞ୍ଚିବେ ନା ବଞ୍ଚାଇବେ ସ୍ଥିତିରେ ଏବେ ମଣିଷ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ହୋଇଛି ସତ କିନ୍ତୁ ମଣିଷ ସାମ୍ନାରେ ଛିଡ଼ା ହୋଇଛି ବଡ଼ ଆହ୍ବାନ। ସାମ୍ନା କରିବାକୁ ଲକ୍ଷେ ପ୍ରୟାସ ହେଉଥିଲେ ହେଁ ବେଳେ ବେଳେ ଏହା କିଛି ନୁହେଁ ବୋଲି ମନେ ହେଉଛି। ନିଜର ଲୋକଟିକୁ ବଞ୍ଚାଇବାକୁ ପରିବାର ଲୋକେ ପ୍ରୟାସ କରୁଛନ୍ତି ସତ କିନ୍ତୁ ସୁଫଳ ମିଳିପାରୁନି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ଜୀବନ ବଞ୍ଚାଇବାକୁ ହସ୍ପିଟାଲ ଗଲେ ବି ସେଠି ବେଡଟିଏ ମିଳୁନି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସ୍ଥିତି ବିଗିଡ଼ିଥିବା ବେଳେ ଲୋକେ ଏବେ ପଡ଼ୋଶୀ ତେଲେଙ୍ଗାନା ଉପରେ ନିର୍ଭର କରୁଛନ୍ତି। ହସ୍ପିଟାଲରେ ବେଡ୍‌ ନପାଇ ଲୋକେ ନିଜର ସଂକ୍ରମିତ ପରିଜନଙ୍କୁ ତେଲେଙ୍ଗାନାର ହସ୍ପିଟାଲରେ ଭର୍ତ୍ତି କରିବାକୁ ଦୌଡ଼ୁଛନ୍ତି। କିନ୍ତୁ ସେଠାରେ ବି ବେଡ୍‌ ମିଳୁନଥିବା ଜଣାପଡ଼ିଛି। ଚନ୍ଦ୍ରପୁରର ଗୋଟିଏ ପରିବାର ନିଜ ଲୋକଙ୍କୁ ଆମ୍ବୁଲାନ୍ସରେ ନେଇ ଦୁଇ ଦିନ ବୁଲି ବୁଲି ତେଲେଙ୍ଗାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ବି ହସ୍ପିଟାଲରେ ବେଡ୍‌ ମିଳିନଥିବା ଜଣାପଡ଼ିଛି ।

ବେଡ ମିଳିନଥିବା ବେଳେ ରୋଗୀଙ୍କୁ ଘରକୁ ବି ଆଣିପାରୁନାନ୍ତି ପରିବାର ଲୋକେ। ଏପରି ପରିସ୍ଥିତିରେ କରିବେ ତ କରିବେ କଣ ?  ହସ୍ପିଟାଲ ସାମ୍ନାରେ ଆମ୍ବୁଲାନ୍ସରେ ୪୧ ବର୍ଷୀୟ କିଶୋର ନାରଶେଟ୍ଟିଓ୍ବାରଙ୍କୁ ଅକ୍ସିଜେନ୍‌ ଲାଗିଛି। ସେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଚନ୍ଦ୍ରପୁର ହସ୍ପିଟାଲରେ ବେଡ୍‌ ଖାଲିନଥିଲା ବୋଲି ପରିବାର ଲୋକେ ତେଲେଙ୍ଗାନା ନେଇଥିଲେ କିନ୍ତୁ ସେଠାରେ ବି ସମାନ ପରିସ୍ଥିତି। ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ଦୁଇ ଦିନ ଧରି ଘୁରି ବୁଲିଥିଲେ ପରିବାର ଲୋକେ। ଯେତେବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ସିଲିଣ୍ଡର ଖାଲି ହୋଇଗଲା ରୋଗୀଙ୍କ ପୁଅ ତାଙ୍କୁ ବାହାରକୁ ଆଣି ହସ୍ପିଟାଲର ଏକ ବେଡ୍‌ରେ ଶୋଆଇଦେଇଛନ୍ତି।

ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ବୁଲିଛନ୍ତି କିଶୋରଙ୍କ ପୁଅ ସାଗର। ଏମିତି ବୁଲି ବୁଲି ତେଲେଙ୍ଗାନାର ମଞ୍ଚୋରିଆଲ ପର୍ଯ୍ୟନ୍ତ ଯାଇଛନ୍ତି ସାଗର। କିଛି ଉପାୟ ନପାଇ ପୁଣି ଚନ୍ଦ୍ରପୁର ଫେରି ହସ୍ପିଟାଲ ସାମ୍ନାରେ ଆମ୍ବୁଲାନ୍ସ ଛିଡ଼ା କରି ସାଗର ସମସ୍ତଙ୍କୁ ଗୁହାରି କରୁଛନ୍ତି। ଜିଲ୍ଲାରେ ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଗୋଟିଏ ଦିନରେ ଏକ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ଟିଭ୍‌ ମାମଲା ୭ ହଜାର ପାର କରିଛି। ଏବେ ସୁଦ୍ଧା କରୋନାରେ ୫୧୪ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ବୃଦ୍ଧିକୁ ଦେଖି ପ୍ରଶାସନ ବି ହାତ ଟେକିଦେଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.