କରୋନା ପାଇଁ ବାପାଙ୍କୁ କାନ୍ଧ ଦେଇପାରିଲେନି ପୁଅ , ଭିଡିଓ କଲ୍‌ରେ ଦେଖିଲେ ସ୍ୱର୍ଗତ ପିତାଙ୍କ ଅନ୍ତ୍ୟେଷ୍ଟି

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦।୦୪: ଆମେରିକାରେ ରହୁଥିବା ପୁଅ ପାଖକୁ ଫୋନ୍‌ ଗଲା । ବାପାଙ୍କ ଦେହାନ୍ତ ହୋଇଛି । ଏହା ଶୁଣିବା ପରେ ପାଦ ତଳୁ ମାଟି ଖସି ଗଲା । ହେଲେ ଉପାୟ ଶୂନ୍ୟ । ଚାହିଁଲେ ବି ଫେରି ପାରିବେନି । କାରଣ କରୋନା ପାଇଁ ଚାରିଆଡ଼େ ଲାଗୁ ହୋଇଛି ଲକ୍‌ଡାଉନ୍‌ । ବିମାନ ସେବା ବାତିଲ ହୋଇଥିବାରୁ ସେଠାରେ ଅଟକିବାକୁ ବାଧ୍ୟ ହେଲେ । ଶେଷରେ ଭିଡିଓ କଲ୍‌ରେ ବାପାଙ୍କ ଅନ୍ତ୍ୟେଷ୍ଟି ଦେଖି ମନକୁ ବୁଝାଇବାକୁ ପଡ଼ିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବ୍ରହ୍ମପୁରରେ ।

ଗତ ଶନିବାର ବ୍ରହ୍ମପୁର ସାନବଜାର କପିଳେଶ୍ୱର ପେଟାସାହିର କେ. ନରସିଂହ ସୁବୁଦ୍ଧିଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା । ଲକ୍‌ଡାଉନ୍‌ ଯୋଗୁ ବିମାନ ସେବା ବନ୍ଦ ଥିବାରୁ ପୁଅ ପି. ସୁଦୀପ ଚାହିଁଲେ ବି ଆସି ପାରିନଥିଲେ । ଏପଟେ ବାପାଙ୍କ ଏକମାତ୍ର ପୁଅ ହୋଇଥିବାରୁ ମୁଖାଗ୍ନି ଦେବାର ଅଧିକାର କେବଳ ପୁଅର ଥିଲା । ହେଲେ ଭଗବାନଙ୍କ ଲେଖା କିଛି ଅଲଗା ଥିଲା ସ୍ୱର୍ଗତ ନରସିଂହଙ୍କ ପାଇଁ । ଶେଷ ଇଚ୍ଛା ବି ତାଙ୍କର ପୂରଣ ହୋଇ ପାରିନଥିଲା ।

ପୁଅ ଏବଂ ବାପାଙ୍କ ମଧ୍ୟରେ ପ୍ରାୟ ସପ୍ତାହରେ ଚାରି ପାଞ୍ଚ ଦିନ କଥାବାର୍ତ୍ତା ହୋଇଥାଏ । କରୋନାକୁ ନେଇ ଆମେରିକା ଏବଂ ଭାରତର ସ୍ଥିତିକୁ ନେଇ ମଧ୍ୟ ଦୁହେଁ ଆଲୋଚନା କରୁଥିଲେ । ଶନିବାର ଉଭୟ ଫୋନ୍‌ରେ କଥା ହୋଇଥିଲେ । ଆମେରିକାରେ କରୋନା ଅବସ୍ଥା କ’ଣ ଏବଂ କେବେ ଫେରିବୁ ବୋଲି ପୁଅକୁ ପଚାରିଥିଲେ ବାପା । ଲକ୍‌ଡାଉନ୍‌ ଖୋଲିଲେ ତୁରନ୍ତ ମୁଁ ଭାରତ ଫେରିବି ବୋଲି କହିଥିଲେ ପୁଅ ସୁଦୀପ । ଫୋନ୍‌ ରଖିବାର କିଛି ସମୟ ପରେ ପି. ନରସିଂହ ସୁବୁଦ୍ଧିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । ଏହା ଜାଣିବା ପରେ ବାପାଙ୍କ ଶେଷ ଦର୍ଶନ ପାଇଁ ପୁଅ ଆକୁଳ ହୋଇଥିଲା । ତେବେ ବିଧିର ବିଧାନ ଯୋଗୁଁ ଗୋଟିଏ ବୋଲି ପୁଅ ହୋଇ ସୁଦ୍ଧା ସୁଦୀପ ବାପାଙ୍କ ମୃତଦେହକୁ କାନେ୍ଧଇ ପାରିଲା ନାହିଁ । ନରସିଂହଙ୍କ ପରିବାରରେ ପତ୍ନୀ, ୨ ଝିଅ ଏବଂ ଗୋଟିଏ ପୁଅ ଥିଲେ । ଶେଷ ମୁହୂର୍ତ୍ତରେ ବାପାଙ୍କୁ କାନ୍ଧେଇ ନ ପାରିବା ଯୋଗୁଁ ଫ୍ଲୋରିଡାରେ ରହି ପୁଅ ମୋବାଇଲ୍‌ ଦ୍ୱାରା ଭିଡିଓ କଲିଂ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଦେଖିଥିଲେ । ନରସିଂହଙ୍କ ସାନ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ ।

ସେହିପରି ଅନ୍ୟ ଏକ ଘଟଣା ବାଙ୍କୀ ତୁଳସୀପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ହରମୋହନ ମହାପାତ୍ରଙ୍କ ୭୬ ବୟସରେ ୬ଦିନ ତଳେ ମୃତ୍ୟୁ ହୋଇଥିଲା । ପୁଅ ସିଦ୍ଧାର୍ଥ ବେଙ୍ଗାଲୁରୁରେ ସଫ୍ଟୱେର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ । କିନ୍ତୁ କରୋନା ପାଇଁ ଲକ୍‌ଡାଉନ କାରଣରୁ ବାପାଙ୍କ ଶେଷ ସମୟରେ ଓଡ଼ିଶାକୁ ଆସି ପାରି ନଥିଲେ । ୬ଦିନ ଧରି ଆପ୍ରାଣ ଉଦ୍ୟମ କରିଥିଲେ ବି ଆସିବାର କୌଣସି ବାଟ ପାଇନଥିଲେ । ସେଠାରେ ଓଡ଼ିଶାକୁ ଆସିବା ପାଇଁ ପାସ୍‌ ପାଇଥିଲେ ମଧ୍ୟ ଏତେ ଦୂର ଏକା ଗାଡ଼ି ଚଳାଇ ଆସିବା ତାଙ୍କ ପକ୍ଷେ ସମ୍ଭବ ନଥିଲା ।

କେବଳ ଏହି ଦୁଇଟି ଘଟଣା ନୁହେଁ, ଦୈନିକ ଏମିତି ଅନେକ ଘଟଣା ଘଟୁଛି । ରାଜ୍ୟ ବାହାରେ ରହୁଥିବା ପୁଅ ଝିଅମାନେ ଏଭଳି ଅସମୟରେ ପରିବାର ନିକଟରେ ପହଞ୍ଚି ପାରୁ ନାହାନ୍ତି । କିଏ ନିଜ ବାପା-ମା’ଙ୍କ ଶେଷ ଦର୍ଶନ କରିପାରୁନି ତ ଆଉ କିଏ ଗଙ୍ଗାଜଳ ଟିକେ ଦେଇ ପାରୁନାହାନ୍ତି । ଆଉ କିଏ ବଡ଼ ପୁଅ ହୋଇ ମଧ୍ୟ ମୁଖାଗ୍ନି ଦେବାରୁ ବଞ୍ଚିତ ହେଉଛି ।
ଲକ୍‌ଡାଉନ୍‌ ହଟିବା ପରେ ଅର୍ଥନୀତି ସଜାଡି ହୋଇଯିବ । ଚଳଚଞ୍ଚଳ ହେବ ଦେଶ, ସହର ଆଉ ଗାଁ ଗଣ୍ଡା । ହେଲେ ଏହି ଲକ୍‌ଡାଉନ ସମୟରେ ଏମିତି କିଛି ଘଟଣା ଘଟି ଯାଇଥିବ ଯାହା କେବେ ସଜାଡ଼ି ହୋଇ ପାରିବନି । କହିବାକୁ ଗଲେ ସେହି ସମୟ କେବେ ଫେରିବନି । ତାହା ହେଉଛି ମୃତ୍ୟୁର ଖେଳ । ଦେଶରେ ଚାଲିଥିବା ତାଲା ବନ୍ଦ ସମୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି । କାହାର ବୟସ ହୋଇଯିବା କାରଣରୁ ତ ଆଉ କିଏ ରୋଗରେ ପୀଡ଼ିତ ଥିବା ଯୋଗୁଁ । ହେଲେ ଏହି ପ୍ରିୟଲୋକଙ୍କ ଶେଷ ଦର୍ଶନରେ ବାଧକ ସାଜୁଛି ଲକ୍‌ଡାଉନ୍‌ । ତାଲା ବନ୍ଦ କାରଣରୁ ଅନେକ ଲୋକ ଶେଷ ଦର୍ଶନ ପାଇଁ ଆସି ପାରୁନାହାନ୍ତି ।

ଫଳରେ ହ୍ୱାଟସ୍‌ ଆପ୍‌ ଓ ଫୋନ୍‌ରେ ଭିଡିଓ କଲ୍‌ କରି ବାହୁନି କାନ୍ଦୁଛନ୍ତି ପରିବାର ସଦସ୍ୟ । ଏସବୁ ସ୍ଥିତି ଦେଖିଲେ ଲାଗୁଛି ବର୍ତ୍ତମାନ ଶୋକରେ ବି ପଡ଼ିଛି ତାଲା । କରୋନା ଯୋଗୁ ଏଭଳି ସ୍ଥିତି ହେବ କେହି ସ୍ୱପ୍ନରେ ବି ଭାବି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.