ସ୍ବାମୀଙ୍କ ମୃତ୍ୟୁ ପରେ ପେଟକୁ ପିଠିରେ ମାରି ପୁଅକୁ କରିଥିଲେ ମଣିଷ: ଏବେ ମନ୍ଦିର ବେଢ଼ାରେ ପଡି ରହିଛନ୍ତି ବିଧବା ମାଆ

Published By : Prameya-News7 Bureau | September 02, 2020 IST

ସାଲେପୁର୨/୯:  ବୟସ ୮୦ ବର୍ଷ। ଦେହରେ ଆଉ ବଳ ନାହିଁ, ଚାଲିବାକୁ ଜୁ' ପାଉନାହିଁ। ଏ ଘର, ସେଘର ଏମିତି ବାରଦୁଆର ବୁଲି ବୁଲି ପାଦ ଥକି ପଡିଲାଣି। ପେଟକୁ ଗଣ୍ଡେ ଦାନ ଆଉ ମୁଣ୍ଡ ଗୁଞ୍ଜିବା ଲାଗି ଛାତ ଖୋଜିବାରେ ଲାଗି ପଡିଛନ୍ତି ଏହି ଅସହାୟ ବିଧବା ମାଆ। ସ୍ବାମୀ ଚାଲିଯିବା ପରେ ବିଧବା ମାଆ, ପୁଅ ମୁହଁକୁ ଚାହିଁ ସ୍ବାମୀ ଚାଲିବାର ଦୁଃଖକୁ ଭୁଲି ଯାଇଥିଲେ। ହେଲେ ପୁଅ- ବୋହୂର ଗଞ୍ଜଣା ବିଧବା ମାଆକୁ ଅଣନିଃଶ୍ବାସୀ କରି ଦେଇଛି। ଥରେ ନୁହେଁ କି ଦୁଇଥର ନୁହେଁ, ପ୍ରତିଦିନ ପୁଅ- ବୋହୂର ଶାରିରୀକ ଓ ମାନସିକ ନିର୍ଯାତନା ସହି ନ ପାରି ଶେଷରେ ଘର ଛାଡ଼ି ଦେଲେ ବିଧବା ମାଆ। ସ୍ବାମୀ ଚାଲିଯିବା ପରେ ପେଟକୁ ପିଠିରେ ମାରି ପୁଅକୁ ମଣିଷ କରିଥିଲେ ମାଆ। ତାହାର ପ୍ରତିଦାନ ସ୍ବରୂପ ମନ୍ଦିର ବେଢ଼ାରେ ପଡି ରହିଛି ଏହି ବିଧବା ମାଆ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳ କଟିକଟା ନୂଆଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବା ମିଳିଛି।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନା ଅଂଚଳ ବିଶେଶ୍ବର ମହାଦେବ ମନ୍ଦିର ବେଢା଼ରେ ଏହି ବିଧବା ଆଶ୍ରୟ ନେଉଛନ୍ତି। ବୃଦ୍ଧା ଜଣକ ହେଲେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ନୂଆଁ ଗାଁର ପୁନି ମହାନ୍ତି। ପୁନି ଛଳଛଳ ଆଖିରେ ବଖାଣି ଥିଲେ ଦୁଃଖର କାହାଣୀ। ସେ କହିଥିଲେ, ବଡ଼ପୁଅ ପ୍ରଦୀପ୍ତ କୁମାର ମହାନ୍ତି ଓ ବୋହୂ ସବିତା ମହାନ୍ତି ଦୁଇଜଣ ମିଶି ମୋତେ ବହୁ ବର୍ଷ ଧରି ନିର୍ଯ୍ୟାତନା ଦେଇ ଆସୁଛନ୍ତି। ସାନପୁଅ ବାହାରେ ଦାଦନ ଶ୍ରମିକ ଭାବେ କାମ କରି ଘରକୁ ଟଙ୍କା ଦେଇ ଆସୁଥିଲେ। ହେଲେ ଲାକଡାଉନରେ ଘରକୁ ଫେରିବା ପରେ ସାନ ପୁଅ ଉପରେ ଆରମ୍ଭ ହୋଇଗଲା ବଡ ପୁଅର ଅତ୍ୟାଚାର। ଅବିବାହିତ ସାନ ପୁଅ ମଧ୍ୟ ଘର ଛାଡ଼ି ଦେଲେ।

ଏବେ ବୃଦ୍ଧା ବିଧବା ମାଆ ଆଉ ପୁଅକୁ ବେସାହାରା ଆଉ ବାସହରା ହୋଇ ବାରଦୁଆର ହେବାକୁ ପଡୁଛି। ଲକଡାଉନ୍ ସମୟରେ ମନ୍ଦିର ବେଢ଼ା ସାଜିଛି ଶେଷ ଆଶ୍ରୟସ୍ଥଳ। ଏ ନେଇ ବିଧବା ମାଆ ପୁନି ମହାନ୍ତି ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ଶୂନ। ଏବେ ବୁଢ଼ୀ ମାଆର ଘର ଦରକାର ବୋଲି ବାରମ୍ବାର କହି କାନ୍ଦି ପକାଉଛନ୍ତି। ଏ ନେଇ ବଡ଼ ପୁଅର ପ୍ରତିକ୍ରିୟା ମିଳି ପାରି ନାହିଁ କିନ୍ତୁ ପୁଅ ସିନା ଦୂର କରି ଦେଲା ହେଲେ ମନ୍ଦିରକୁ ଆସୁଥିବା ଭକ୍ତମାନେ ବିଧବା ମାଆଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.