'ଆଜି ମୁଁ ମୋ ମା'କୁ ମୁକ୍ତି ଦେଇ ଦେଲି'... ଛୁରୀ ଭୁସି ମାରି ଦେବା ପରେ ପୁଅ ଏପରି କଲା ଚିତ୍କାର

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭ : ସୋମବାର ସକାଳେ ଦକ୍ଷିଣ ଦିଲ୍ଲୀର ମଦନାଗିର ଅଞ୍ଚଳରେ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁଅ ପାଞ୍ଚ ଥର ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚଳାଇଛି।

ଅଭିଯୁକ୍ତର ୨୨ ବର୍ଷୀୟ ସାଗର କହିଛି ଯେ 'ଜୀବନରୁ ମୁକ୍ତି' ଦେବା ପାଇଁ ସେ ନିଜ ମା'କୁ ହତ୍ୟା କରିଛି। ଖବର ପାଇ ପୁଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା ସାଗର ମା'ର ମୃତଦେହ ପାଖରେ ବସିଥିଲା। ଛୁରାମାଡ଼ ଯୋଗୁଁ ମହିଳାଙ୍କ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।| 

ତଦନ୍ତକାରୀ ଅଧିକାରୀ କହିଛନ୍ତି ଘଟଣା ବିଷୟରେ ପଚରାଯିବା ପରେ ସାଗର କହିଥିଲା ଯେ 'ଆଜି ମୁଁ ମୋ ମା'କୁ ମୁକ୍ତି ଦେଇ ଦେଇଛି'। ସେ ବାରମ୍ବାର ଏହି ଗୋଟିଏ କଥା ଦୋହରାଉଥିଲା। 'ପଚରାଉଚରା ବେଳେ ମଧ୍ୟ ସେ ମୃତ୍ୟୁ ପରର ଜୀବନ ବିଷୟରେ କହୁଥିଲା ଏବଂ ଅସ୍ପଷ୍ଟ ଉତ୍ତର ଦେଉଥିଲା। ଅଭିଯୁକ୍ତ ସାଗରର ହାଲୁସିନାସନ୍ ସମସ୍ୟା ରହିଛି ବୋଲି ଅଧିକାରୀ ସନ୍ଦେହ ପ୍ରକାଶ କରି କହିଛନ୍ତି। ତାର ମାନସିକ ଭାରସ୍ୟାମ ଠିକ୍ ନଥିବା ପୁଲିସ କହିଛି। ତଦନ୍ତରୁ ଜଣାପଡିଛି ଯେ ସାଗର ପ୍ରତିଦିନ ଡ୍ରଗ୍ସ ଏବଂ ମଦ୍ୟପାନ କରୁଥିଲା। ସେ ଦିଲ୍ଲୀର ହାଉଜ ଖାସର ଏକ କାଫେରେ ଡିଜେ ଭାବେ କାମ କରୁଥିଲା।

ପୁଲିସ କହିଛି ଯେ ସେମାନେ ମନଚିକିତ୍ସକଙ୍କ ସହିତ ପରାମର୍ଶ କରୁଛନ୍ତି। ଡିସିପି ଅତୁଲ କୁମାର ଠାକୁର କହିଛନ୍ତି ଯେ 'ସାଗର ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଞ୍ଜଳିଙ୍କ ଘରୁ ହତ୍ୟା ଅସ୍ତ୍ର ମଧ୍ୟ ପୋଲିସ ଜବତ ହୋଇଛି। ହତ୍ୟା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି |

ସୋମବାର ସକାଳ ପାଖାପାଖି ସାଢେ ୧୧ଟା ସମୟରେ ଆପାର୍ଟମେଣ୍ଟରୁ ଚିତ୍କାର ଶୁଭିଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୂଚନାଯୋଗ୍ୟ ଯେ ମହିଳା ଅଞ୍ଜଲି ଫ୍ରାନ୍ସିସ୍ ତାଙ୍କ ପୁଅଙ୍କ ସହ ମଦନାଗିର ବଜାର ନିକଟ ଜି-ବ୍ଲକରେ ରହୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.