ଜଘନ୍ୟ ! ମା’କୁ ହତ୍ୟା କରି ଶବକୁ ୧୦୦୦ ଖଣ୍ଡରେ କାଟି ରୋଷେଇ କରି କୁକୁରଙ୍କୁ ଖାଇବାକୁ ଦେଲା ନୃଶଂସ ପୁଅ
25/02/2019 at 2:33 PM

ସ୍ପେନରେ ଘଟିଛି ଏକ ଜଘନ୍ୟ ଅପରାଧ | ଜଣେ ବ୍ୟକ୍ତି ନିଜ ମା’ଙ୍କୁ ହତ୍ୟା କରି ତାଙ୍କ ଶବକୁ ଟୁକୁଡା ଟୁକୁଡା କରି କାଟିଦେଇଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ପୋଲିସ ନିକଟରେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି | କେବଳ ହତ୍ୟା ନୁହେଁ ବରଂ ହତ୍ୟା ପରେ କାଟିଥିବା ଟୁକୁଡାଗୁଡିକୁ ରୋଷେଇ କରି କୁକୁରଙ୍କୁ ଖାଇବାକୁ ଦେଇଥିଲା | ଅଭିଯୁକ୍ତ ୨୬ ବର୍ଷ ବୟସ୍କ ଆଲବର୍ଟ | ଆଲବର୍ଟର ମା’ ମାରିଆ ନିଖୋଜ ହୋଇଥିବା ନେଇ ପୋଲିସ ମାରିଆଙ୍କ ଘରକୁ ଯାଞ୍ଚ ପାଇଁ ଆସିଥିଲା | ଯାଞ୍ଚ ବେଳେ ଅପରାଧ ସମ୍ପର୍କରେ ଜଣାପଡିଥିଲା | ମାରିଆଙ୍କ ବୟସ ୬୬ ବର୍ଷ | ମାରିଆଙ୍କ ଘର ଯାଞ୍ଚ ବେଳେ ପୋଲିସକୁ ୬ଟି ପ୍ଲାଷ୍ଟିକ ବ୍ୟାଗରେ ମାରିଆଙ୍କ ଶରୀରର କଟାଯାଇଥିବା ଅଙ୍ଗ ମିଳିଥିଲା |

ଅଭିଯୁକ୍ତ ଆଲବର୍ଟ ମାରିଆଙ୍କ ଶରୀରର ଅନେକ ଅଙ୍ଗ ଘରର ଡଷ୍ଟବିନରେ ପକେଇ ଦେଇଥିଲା | ସ୍ପେନର ଏକ ଖବରକାଗଜ ଅନୁସାରେ ଅଭିଯୁକ୍ତ ମହିଳାଙ୍କ ଶରୀରକୁ ପ୍ରାୟ ହଜାରେ ଖଣ୍ଡ କରି କଟିଥିଲା | ମହିଳାଙ୍କ ଶରୀରର କେତେକ ମହତ୍ଵପୁର୍ଣ ଅଙ୍ଗ ଗାୟବ ଥିବା ଯାଞ୍ଚବେଳେ ପୋଲିସ ଜାଣିବାକୁ ପାଇଥିଲା | ଆଲବର୍ଟ ଆଗରୁ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା | କିନ୍ତୁ କିଛି ଦିନ ପୂର୍ବରୁ କୌଣସି କାରଣବଶତଃ ସେ କାମ ଛାଡି ଦେଇଥିଲା | ସେ ଡ୍ରଗ୍ସ ମଧ୍ୟ ନେଉଥିଲା | ଘରୁ ମୂଲ୍ୟବାନ ଜିନିଷ ଚୋରି କରି ତାକୁ ବିକ୍ରି କରି ଡ୍ରଗ୍ସ କିଣୁଥିଲା ବୋଲି ଅଭିଯୁକ୍ତର ସାଙ୍ଗମାନେ ପୋଲିସକୁ କହିଛନ୍ତି |

ଅଭିଯୁକ୍ତର ସାଙ୍ଗମାନେ କହିଛନ୍ତି ଯେ, ସେ ଘର ସାମ୍ନାରେ ଥିବା ଏକ ପାର୍କରେ ବସି ସମୟ କାଟୁଥିଲା | ଅଭିଯୁକ୍ତ ପାଖାପାଖି ମାସେ ପୂର୍ବରୁ ମା’କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି | କିନ୍ତୁ ଏବେ ଯାଏଁ ଏହା ସ୍ପଷ୍ଟ ହୋଇନାହିଁ | ଅଭିଯୁକ୍ତ ଏହା ପୂର୍ବରୁ ମଧ୍ୟ ମା’ ସହ ଝଗଡା କରି ଅନେକଥର ଥାନାକୁ ଯାଇଛି | ପାରିବାରିକ କଳହ ଯୋଗୁଁ ଅଭିଯୁକ୍ତକୁ ପୋଲିସ ପୂର୍ବରୁ ମଧ୍ୟ କେତେଥର ଗିରଫ କରିଛି | ଅଭିଯୁକ୍ତକୁ କୋର୍ଟରେ ଚାଲାଣ କରାଯିବ |