ସିନ୍ଧିଆ ପରିବାର କାରଣରୁ ଦ୍ଵିତୀୟ ଥର କ୍ଷମତାରୁ ବେଦଖଲ ହେବ କଂଗ୍ରେସ, ଇସ୍ତଫା ଦେଲେଣି ୨୨ ବିଧାୟକ, ସିନ୍ଧିଆଙ୍କ ପୁଅ କହିଲେ ସାହାସ ଥିବା ଦରକାର

Published By : Prameya-News7 Bureau | March 10, 2020 IST

ଭୋପାଳ ୧୦।୦୩ : କଂଗ୍ରେସର  ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମଧ୍ୟ ପ୍ରଦେଶ ରାଜନୀତିରେ ଭୂକମ୍ପ ଆସିଛି। ସନ୍ଧ୍ୟା ହେଉ ହେଉ ଜଣେ ପରେ ଜଣେ ସିନ୍ଧିଆଙ୍କ ୨୨ ସମର୍ଥକ ବିଧାୟକ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଏତେ ସଂଖ୍ୟାରେ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବାକୁ ଯାଉଥିବା ସ୍ପଷ୍ଟ ନଜର ଆସୁଛି। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ କମଲନାଥ ଶୀଘ୍ର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ। ଉଲ୍ଲେଖନୀୟ ସିନ୍ଧିଆଙ୍କ ପରିବାର  କାରଣରୁ ମଧ୍ୟ ପ୍ରଦେଶରେ ଦ୍ଵିତୀୟ ଥର କଂଗ୍ରେସ କ୍ଷମତାରୁ ବିତାଡିତ ହେବାକୁ ଯାଉଥିବା ଦେଖିବାକୁ ମିଳିଛି।

ଇସ୍ତଫା ଦେବା ପାଇଁ ସାହାସ ଥିବା ଦରକାର

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପରିବାର ସମର୍ଥନ କରିଛନ୍ତି। ସିନ୍ଧିଆଙ୍କ ପୁତ୍ର ମହାଆର୍ଯ୍ୟମାନ ସିନ୍ଧିଆ ପିତାଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ମୋର ପିତା ନିଜ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି, ଏଥିପାଇଁ ମୁଁ ତାଙ୍କୁ ନେଇ ଗର୍ବିତ। ବିରାସତରୁ ଇସ୍ତଫା ଦେବାକୁ ହେଲେ ସାହାସ ଦରକାର। ଇତିହାସ ସାକ୍ଷୀ ଯେ, ଆମ ପରିବାର ଏବଂ ଆମେ କେବେ ବି କ୍ଷମତାଲୋଭୀ ହୋଇନାହୁଁ। ଆମେ ପ୍ରତିଶ୍ରୁତି ମୁତାବକ ଭାରତ ଓ ମଧ୍ୟ ପ୍ରଦେଶରେ ପରିବର୍ତ୍ତନ ଆଣିବୁ।

{"id":236205,"sizeSlug":"large"}

ରାଜମାତାଙ୍କ ରକ୍ତ ନେଲା ଦେଶହିତର ନିଷ୍ପତ୍ତି

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ସିନ୍ଧିଆଙ୍କ ପରିବାରରେ ଖୁସିର  ଲହରି ଖେଳି ଯାଇଛି। ବିଜେପି ନେତା ତଥା ଜ୍ୟୋତିରାଦିତ୍ୟଙ୍କ ଅପା ଏବଂ ଶିବରାଜ ସରକାରରେ ମନ୍ତ୍ରୀ ରହିଥିବା ଯଶୋଧରା ଏହାକୁ ସାହସିକ ପଦକ୍ଷେପ କହିଛନ୍ତି। ଶିବପୁରୀରୁ ବିଜେପି ବିଧାୟକ ଯଶୋଧରା ରାଜେ ସିନ୍ଧିଆଙ୍କ ଇସ୍ତଫା ଉପରେ ଟୁଇଟ୍ କରି କହିଛନ୍ତି ଯେ, ରାଜମାତାଙ୍କ ରକ୍ତ ରାଷ୍ଟ୍ରହିତ ଲାଗି ଏହି ନିଷ୍ପତ୍ତି ନେଇଛନ୍ତି। ଏକାଠି  ଚାଲିବା, ନୂତନ ଦେଶ ଗଢିବା, ଏବେ ଦୂରତା ଭାଙ୍ଗିଗଲା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ଵାରା କଂଗ୍ରେସ ଛାଡିବା ସାହସିକ ପଦକ୍ଷେପକୁ ଆତ୍ମୀୟତାର ସହ ସ୍ଵାଗତ କରିବି ବୋଲି ସେ କହିଛନ୍ତି।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଜ୍ୟୋତିରାଦିତ୍ୟଙ୍କ ଅପା ଅଟନ୍ତି। ବସୁନ୍ଧରା, ଯଶୋଧାରା ଓ ମାଧବରାଓ ସିନ୍ଧିଆଙ୍କ ମା ରାଜମାତା ବିଜୟରାଜେ ସିନ୍ଧିଆ ଜନସଙ୍ଘର ନେତା ଥିଲେ। ମଧ୍ୟପ୍ରଦେଶରେ ଜନସଂଘ ଓ ବିଜେପିକୁ ସ୍ଥାପିତ କରିବାରେ ବିଜୟାରାଜେ ସିନ୍ଧିଆଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ମାଧବରାଓ ସିନ୍ଧିଆଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ଯଶୋଧାରା ଟୁଇଟ୍ କରି ଲେଖିଛନ୍ତି ଯେ, ବଡ ଭାଇ ଶ୍ରୀମନ୍ତ ମାଧବରାଓ ସିନ୍ଧିଆଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ନମନ।

ସିନ୍ଧିଆଙ୍କ ପରିବାର ଦୋହରାଇବାକୁ ଯାଉଛି ଇତିହାସ

ମଧ୍ୟପ୍ରଦେଶରେ ୫୩ ବର୍ଷ  ପରେ ଇତିହାସ ପୁଣି ଥରେ ନିଜକୁ ଦୋହରାଇବାକୁ ଯାଉଛି। ଆଜିଠୁ ୫୩ ବର୍ଷ ପୂର୍ବେ ୧୯୬୭ରେ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ କାରଣରୁ କଂଗ୍ରେସ କ୍ଷମତାରୁ ବେଦଖଲ ହୋଇଥିଲା। ଏବେ ତାଙ୍କ ପୁତୁରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାରଣରୁ କମଲନାଥ ସରକାର କ୍ଷମତାରୁ ବେଦଖଲ ହେବାକୁ ଯାଉଛି। ୧୯୬୮ରେ ବିଜୟାରାଜେ କଂଗ୍ରେସରୁ ଇସ୍ତଫା ଦେଇ ସ୍ଵାଧୀନ  ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ ଏବଂ ବିଜୟପ୍ରାପ୍ତ କରିଥିଲେ। ଏବେ ଜ୍ୟୋତିରାଦିତ୍ୟ ବିଜେପିରୁ ରାଜ୍ୟସଭା ଯାଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.