ଲକଡାଉନ ନିୟମ ଉଲ୍ଲଙ୍ଘନ କରୁଥିଲେ ପିତା, ଥାନାରେ FIR ରୁଜୁ କଲା ପୁଅ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୩।୦୪: କରୋନା ଭାଇରସ୍ ମହାମାରୀ ପ୍ରକୋପକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରି ସାରିଛନ୍ତି। ଏହା ମଧ୍ୟରେ ଦିଲ୍ଲୀରେ ଜଣେ ପୁଅ ନିଜର ବାପା ବିରୋଧରେ ଲକଡାଉନ୍ ନିୟମର ଉଲ୍ଲଂଘନ କରିବା ଆରୋପ ଲଗାଇ ଏଫଆଇଆର ରୁଜୁ କରିଛନ୍ତି। ପୁଅ ଜଣକ ଦିଲ୍ଲୀର ବସନ୍ତକୁଞ୍ଜ ସାଉଥ ଥାନାରେ  ପିତା ବିରୋଧରେ ମାମଲା ରୁଜୁ କରିଛି। ପୁଅଙ୍କ କହିବା ଅନୁଯାୟୀ ପିତା ପ୍ରତ୍ୟେକ ଦିନ ସକାଳ ୮ଟାରେ ଘରୁ ବାହାରି ଯାଉଛନ୍ତି, କହିଲେ କାହାରି କଥା ଶୁଣୁ ନାହାନ୍ତି।

ସୂଚନା ମୁତାବକ ଏପ୍ରିଲ ୧ ସକାଳେ ଯେବେ ଅଭିଯୋଗକାରୀଙ୍କ ପିତା ସଡକରେ ବୁଲୁଥିଲେ ତେବେ ତାଙ୍କୁ ପ୍ରଥମେ ତାଙ୍କର ପୁଅ ବୁଝାଇଥିଲେ ମାତ୍ର ସେ ମାନିନଥିଲେ। ଏପରିକି ଘଟଣାସ୍ଥଳରେ ପୋଲିସ୍ ଅଧିକାରୀ ମଧ୍ୟ ବୁଝାଇଥିଲେ। ତଥାପି ସେ ମାନି ନଥିଲେ। ଏହା ପରେ ପୋଲିସ ପୁତ୍ରଙ୍କ ଅଭିଯୋଗ କ୍ରମେ ଏଫଆଇଆର  ରୁଜୁ କରିଛି।

ଅନ୍ୟପଟେ ଦ୍ଵାରକାରେ ହୋମ୍ କ୍ଵାରେଣ୍ଟାଇନ ନିୟମର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ୨୧ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ପୋଲିସ୍ ଶୁକ୍ରବାର ଏହି ସୂଚନା ଦେଇଛି। ଉଲ୍ଲଂଘନକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ମହାମାରୀ ରୋଗ ଅଧିନିୟମର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.