ମୃତ ବାପାଙ୍କୁ ଜୀବିତ କରିବା ପାଇଁ ୮ମାସ ଯାଏଁ ଶବକୁ ଘରେ ରଖିଥିଲା ତାନ୍ତ୍ରିକ ପୁଅ
25/11/2018 at 1:53 PM

ଧାନବାଦ ୨୫/୧୧ : ଦିନେ ନା ଦିନେ ବାପା ଜୀବିତ ହୋଇଯିବେ ବୋଲି ଭାବି ବାପାଙ୍କ ଶବକୁ ୮ ମାସ ଯାଏଁ ଘରେ କଏଦ କରି ରଖିଥିଲା ତାନ୍ତ୍ରିକ ପୁଅ | ଏଥିରେ ମା ଏବଂ ଭଉଣୀ ମଧ୍ୟ ତାନ୍ତ୍ରିକଙ୍କୁ ସହଯୋଗ କରିଥିଲେ |
ଘଟଣାଟି ହେଲା ଝାରଖଣ୍ଡର ମକଟପୁର ସ୍ଥିତ ଇନ୍ଦିରା କଲୋନୀର | ମୃତ ବ୍ୟକ୍ତି ଜଣକ ହେଲେ ୮୦ ବର୍ଷ ବୟସ୍କ ବିଶ୍ୱନାଥ ପ୍ରସାଦ ସିହ୍ନା | ସେ ବହୁତ ଦିନରୁ ରୋଗଗ୍ରସ୍ତ ଥିଲେ | ଗତ ଏପ୍ରିଲ ମାସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ବାପାଙ୍କ ମୃତ୍ୟୁକୁ ନେଇ ପୁଅ ପ୍ରଶାନ୍ତ ଚିନ୍ତିତ ହୋଇପଡିଥିଲେ | ସେ ବାପାଙ୍କ ଶବ ସତ୍କାର କରିଲେନାହିଁ | ବରଂ ଶବକୁ ଘରେ ସାଇତି ରଖିଲେ | ପ୍ରତିଦିନ ବାପାଙ୍କ ଶବକୁ ନେଇ ତନ୍ତ୍ରମନ୍ତ୍ର କରୁଥିଲେ | ସେ ବିଶ୍ୱାସ କରୁଥିଲେ ଯେ, ଦିନେ ନା ଦିନେ ବାପା ଜୀବିତ ହୋଇଯିବେ |
ଗତ ୮ ମାସ ଯାଏଁ ଘଟଣା ସମ୍ପର୍କରେ କେହି ମଧ୍ୟ ଜାଣିବାକୁ ପାଇନଥିଲେ | ଅଚାନକ ଗତକାଲି ସନ୍ଧ୍ୟାରେ ଘଟଣାର ଖୁଲାସା ହୋଇଥିଲା | ଗତକଲି କୌଣସି ଏକ କଥାକୁ ନେଇ ମା, ପୁଅ ଏବଂ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପାଟିତୁଣ୍ଡ ଧୀରେ ଧୀରେ ବଢି ମାରପିଟ ଯାଏଁ ପଳେଇଲା | ମାରପିଟ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଘଟଣାର ସମାଧାନ ପାଇଁ ପଡୋଶୀ ଘରକୁ ଆସିଥିଲେ | ପଡୋଶୀ ଘର ଭିତରକୁ ଆସିବା ପରେ ସେଠାରେ ବିଶ୍ୱନାଥ ପ୍ରସାଦଙ୍କ ଶବ ଦେଖିଥିଲେ | ଖବର ପାଇ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ତାନ୍ତ୍ରିକ ପୁଅକୁ ଗିରଫ କରି ମା ଏବଂ ଝିଅକୁ ପଚରାଉଚୁରା ଜାରି ରଖିଛି |