Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କୁଳାଙ୍ଗାର ପୁଅର କଳା କାରନାମା, ସତ ଲୁଚାଇବା ପାଇଁ ପୁରା ପରିବାରକୁ କଲା ହତ୍ୟା

12/01/2021 at 9:27 PM

ନୂଆଦିଲ୍ଲୀ ୧୨/୦୧: ରାକ୍ଷସ ପାଲଟିଗଲା ସୁନା ପୁଅ। ସତ କହିବା ପରିବେର୍ତେ ଏତେ ଭଲ ପାଉଥିବା ବାପା, ମା, ଭଉଣୀ ଓ ଜେଜେ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲା। ସୁନା ପୁଅ ପରିବାରକୁ ଧ୍ବଂସ କରିପକାଇଲା। ପୋଲିସ କି ପଡ଼ୋଶୀ କେହି ବିଶ୍ବାସ କରିପାରିଲେ ନାହିଁ। ଏଭଳି ଏକ ଘଟଣା କାନାଡାରେ ଘଟିଥିବା ବେଳେ ଏହା ଏବେ ବିଶ୍ବରେ ବି ଚହଳ ପକାଇଛି। ମେହନାଜ ଜମାନ, ବୟସ ୨୩ ବର୍ଷ। ଘରେ ସେ ଥିଲା ଭାରି ଗେହ୍ଲା। ଏଭଳି ପୁଅ ଜଗତେ ନାହିଁ ବୋଲି ବାପା-ମା କହୁଥିଲେ। କିନ୍ତୁ ଏମିତି କଣ ହେଲା ଯେ ସବୁ କିଛି ବଦଳିଗଲା।

ଜମାନ ଆଉ କିଛି ଦିନ ଭିତରେ ସ୍ନାତକ ପାସ କରିଥାନ୍ତା। ପରିବାରର ଖୁସି କହିଲେ ନସରେ। ପୁଅର ସ୍ନାତକ ପାସ କରିବା ବେଳର ଖୁସିରେ ବାପା-ମା ବି ସାମିଲ ହେବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ। କୁଳାଙ୍ଗାର ପୁଅ ପାଠ ତ ପଢ଼ୁଥିଲା କିନ୍ତୁ କେଉଁ କଲେଜ୍‌ କି ବିଶ୍ବବିଦ୍ୟାଳୟରେ ନୁହେଁ ବରଂ ଇଣ୍ଟରନେଟରେ। ଇଣ୍ଟରନେଟରେ ବିଶ୍ବର ବିଭିନ୍ନ ଦେଶର ଲୋକଙ୍କ ସହ କଥା ହେଉଥିଲା ଜମାନ।  ସମୟ ଗଡ଼ିଚାଲିଥିଲା କିନ୍ତୁ ନିଜ ପାଠ ପଢ଼ା ସମ୍ପର୍କରେ କାହାକୁ କହିବାକୁ ସାହସ କରିନଥିଲା ଜମାନ। ସବୁ ଦିନ ଘରୁ ଖାଇ ପିଇ ବ୍ୟାଗ୍‌ ଧରି ବାହାରି ଯାଉଥିଲା। ବାପା-ମା ଭାବୁଥିଲେ ପୁଅ ପଢ଼ିବାକୁ ଯାଉଛି। କିନ୍ତୁ ସେ ତାର ଦ୍ବିତୀୟ ଜୀବନରେ ବଞ୍ଚୁଥିଲା। ଘରେ ଥିଲା ଗୋଟିଏ ଶାନ୍ତ ସୁଧାର ପିଲାର ଜୀବନ। ଦିନ ତମାମ କିନ୍ତୁ ସପିଂ ମଲରେ କଟୁଥିଲା ଜମାନର ଭର୍ଚୁଆଲ ଜୀବନ।

ଜମାନର ଘରେ ଥିଲେ ବାପା ମୋନିରୁଜ, ମା ମମତାଜ, ଭଉଣୀ ମାଲେସା,  ଜେ​‌ଜେ ମା ଫିରୁଜା ବେଗମ। ଭଉଣୀ ମାଲେସା ଜଣେ ଭଲ ଡାକ୍ତର ହେବାକୁ ପଢ଼ାପଢ଼ି କରୁଥିଲା। ବାପା-ମା’ଙ୍କ ଖୁସି ଯେ ତାଙ୍କ ପିଲା ସେମାନଙ୍କ ନାଁ ରଖିବେ। ଜମାନଙ୍କ ପରିବାର ବାଂଲାଦେଶରୁ ଯାଇ କାନାଡାରେ ରହୁଥିଲେ। ବାପା ମୋନିରୁଜ ସେଠାରେ ଟ୍ୟାକ୍ସି ବ୍ୟବସାୟ କରି ରୋଜଗାର କରୁଥିଲେ। ଭଉଣୀ ନିଜ ଖର୍ଚ୍ଚ ବହନ କରିବାକୁ ଗ୍ରୋସରି ଦୋକାନରେ ପାର୍ଟ ଟାଇମ କାମ କରୁଥିଲେ। ପୁଅ କିନ୍ତୁ ସକାଳ ହେବା ମାତ୍ରେ ଘରୁ ବାହାରିଯାଉଥିଲା ପୁଣି ରାତିରେ ଫେରୁଥିଲା। ତାକୁ କେହି କିଛି ବି କହୁନଥିଲେ। କାରଣ ପୁଅ ପାଠ ଚିନ୍ତାରେ ରହୁଛି। ଆଉ କିଛି ଦିନ ମଧ୍ୟରେ ସେ ସ୍ନାତକ ପାସ୍‌ କରିବ।

ଜୁଲାଇ ୨୮ରେ ଜମାନ ସ୍ନାତକ ପାସ କରିଥାନ୍ତା। ଚାହୁଁ ଚାହୁଁ ୩ ବର୍ଷ ବିତି ସାରିଥିଲା କିନ୍ତୁ ଜମାନ କେଉଁଠି ବି ପଢ଼ୁନଥିଲା। ଏକତା କହିବାକୁ ବି ସେ ସାହସ କରୁନଥିଲା। ଜମାନ ୟର୍କ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଛି ବୋଲି ସମସ୍ତେ ଜାଣିଥିଲେ। ପ୍ରକୃତରେ ସେ ଏକ ସ୍ଥାନୀୟ କଲେଜ୍‌ରେ ନାଁ ଲେଖିଥିଲା। କିନ୍ତୁ କିଛି ଦିନ ଭିତରେ ସେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲା। ଏଥିରେ ସେ ପାସ କରିବାକୁ କିଛି ନକରି ସପିଂ ମଲ୍‌ରେ ବସି ଇଣ୍ଟରନେଟ୍‌ରେ ବ୍ୟସ୍ତ ରହୁଥିଲା। ଭିଡିଓ ଗେମ୍‌ ଖେଳୁଥିଲା ଅନଲାଇନ୍‌ରେ ଲୋକଙ୍କ ସହ କଥା ହେବାରେ ବିତାଉଥିଲା ଜମାନ। ୨୦୧୫ରୁ ଫେଲ୍‌ ହେବା ପରଠୁ ସେ ପଢ଼ା ଛାଡ଼ିସାରିଥିଲା। କିନ୍ତୁ ୨୦୧୯ ବେଳକୁ ତାର ଚିନ୍ତା ବଢ଼ି ବଢ଼ି ଯାଇଥିଲା। ବାସ ଆଉ କିଛି ଦିନ ପରେ ତାର ମିଛ ଧରାପଡ଼ିଯିବ। ତଥାପି ସେ କିଛି କହିବାକୁ ଉଚିତ ମନେ କରିନଥିଲା।

ଜୁଲାଇ ୨୭ ଗ୍ରାଜୁଏଟ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଜମାନ ଏସମସ୍ତ ଚିନ୍ତାରୁ ମୁକ୍ତି ପାଇବାକୁ ଉପାୟ ପାଞ୍ଚିସାରିଥିଲା। ସେଦିନ ବାପା କାମରେ,ଭଉଣୀ ବି କାମରେ ଓ ମା-ଜେ​‌ଜେ ମା ଘରେ ଶୋଇଥିଲେ। ଦିନ ୩ଟାରେ ଜମାନ ନିଜ ମା’ର ଗଳା କାଟି ହତ୍ୟା କଲା । ଏହାର କିଛି ସମୟ ପରେ ସମାନ ଢ଼ଙ୍ଗରେ ଜେଜେ ମା’କୁ ବି ହତ୍ୟା କଲା ଜମାନ। ପରେ କିଛି ନଜାଣିଲା ପରି ଭିଡିଓ ଗେମ୍‌ ଖେଳିଲା ଜମାନ। କିଛି ସମୟ ପରେ ଭଉଣୀ ମାଲେସା ଘରକୁ ଫେରିଲେ। ଯେମିତି କବାଟ ଖୋଲି ଘର ଭିତରକୁ ମାଲେସା ପ୍ରବେଶ କରିଛନ୍ତି ଠିକ୍‌ ସେହି ସମୟରେ ତାଙ୍କ ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ଜମାନ। ପରେ ତାଙ୍କ ଗଳାକୁ ଛୁରୀରେ କାଟି ପକାଇଥିଲା। ରାତି ଅଧରେ ବାପା ବି ଘରକୁ ଫେରିଥିଲେ। ତାଙ୍କୁ ବି ସମାନ ଢ଼ଙ୍ଗରେ ଗଳା କାଟି ହତ୍ୟା କରିଥିଲା କୁଳାଙ୍ଗାର ପୁଅ ଜମାନ।

ସମସ୍ତଙ୍କୁ ହତ୍ୟା କରିବା ପରେ ଜମାନ ଏକା ଘରେ ବସି ଭିଡିଓ ଗେମ୍‌ ଖେଳିଥିଲା। ଅନଲାଇନ୍‌ରେ ବନ୍ଧୁମାନଙ୍କ ସହ କଥା ହେଲା। ଇଣ୍ଟରନେଟରେ ଲେଖିଲା ‘ମୁଁ ମୋ ପରିବାରକୁ ହତ୍ୟା କରିଛି’ ବୋଲି କ୍ୟାପ୍ସନ ଦେଇ ପୋଷ୍ଟ କଲା ଜମାନ। ପ୍ରଥମେ ଜମାନ ମଜା କରୁଛି ବୋଲି ଲୋକେ ଭାବୁଥିଲେ। ପରେ ପରେ ସେ କିଛି ଫଟୋ ଛାଡ଼ିଥିଲା। ଯେଉଁଥିରେ ଏକ ରକ୍ତ ଭିଜା ଛୁରୀ ସହ ସେଲ୍ଫି ନେଇ ଛାଡ଼ିଥିଲା ଜମାନ। ଏହି ଘଟଣା ଧିରେଧିରେ ଭାଇରାଲ୍‌ ହୋଇଥିଲା। କିଛି ଇଣ୍ଟରନେଟ୍‌ ୟୁଜର ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଆଇପି ଆଡ୍ରେସ୍‌ ଟ୍ରେସ୍‌ କରି ପୋଲିସ ଜମାନର ଘରେ ପହଞ୍ଚିଥିଲା। ପୋଲିସ ପହଞ୍ଚିବା ପରେ ବି ଜମାନ ଘରେ ଥିଲା। ପୋଲିସ ସାମ୍ନାରେ ନିଜ ଭୁଲ ସ୍ବିକାର କରିଥିଲା ଜମାନ।

ଜମାନକୁ ପୋଲିସ କୋର୍ଟରେ ହାଜର କରାଇଥିଲା। ସେପ୍ଟେମ୍ବର ୨୦୨୦ରେ କୋର୍ଟରେ ସେ ଦୋଷ ସ୍ବିକାର କରିବା ପରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏବେ ୪୦ ବର୍ଷ ପର୍ଯ୍ୟନ୍ତ ତାକୁ ଜାମିନ ମିଳିପାରିବ ନାହିଁ। ତେବେ ଜମାନ ମିଛ ଦୁନିଆରେ ଦୀର୍ଘ ବର୍ଷ ରହିଥିଲା। ପରେ ଏହି ମିଛ ଜୀବନ ପରିବାରକୁ ମୃତ୍ୟୁ ଦ୍ବାରରେ ପହଞ୍ଚାଇଥିଲା। ଏବେ ୨୪ ବର୍ଷୀୟ ଜମାନ ଜେଲ୍‌ର କାଳ କୋଠରୀରେ ନିଜ ଭୁଲ ପାଇଁ ପଶ୍ଚାତାପ କରିବ। ଏହା ଛଡ଼ା ତା ପାଖରେ ଆଉ କୌଣସି ବିକଳ୍ପ ହିଁ ନାହିଁ।

   Related Posts