ମା'ର ଅନ୍ତ୍ୟେଷ୍ଟି ପାଇଁ ଯୋଗାଡ ହୋଇପାରିଲାନି ଅର୍ଥ, ଜୀବନ ହାରିଲା ପୁଅ

Published By : Prameya-News7 Bureau | June 27, 2021 IST

ଝାଡଖଣ୍ଡ ୨୭/୬: ଝାଡଖଣ୍ଡର ଦେଓଗର ଜିଲ୍ଲାରେ ନଜର ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହାକି ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି । ଏଠାରେ ଥିବା ଜିଲ୍ଲାର ଜସିଡିହ ପୋଲିସ ଷ୍ଟେସନ ଅଞ୍ଚଳର ଚାରକିପାହରୀ ଗାଁରେ ଜଣେ ଯୁବକ ଦୁଃଖ ସହିନପାରି କରିଛି ଆତ୍ମହତ୍ୟା । ତା ପୁଣି ନିଜର ମାଆ ପାଇଁ । ଅର୍ଥାତ୍ ମାଆର ଅନ୍ତ୍ୟେଷ୍ଟି ପାଇଁ ପୁଅ ପାଖରେ ନଥିଲା ପଇସା ।

ଫଳରେ ଶେଷ ରୀତିନୀତି କରିବାରେ ଅସମର୍ଥ ହୋଇଥିଲା ପୁଅ । ଜୀବନ ହାରିଥିବା ଯୁବକ ଜଣଙ୍କ ହେଉଛନ୍ତି କିଶନ ଚୌଧୁରୀ । ଗତ ୩ ବର୍ଷ ହେବ ମୃତ କିଶାନଙ୍କ ମାଆ ଜୀବନ ସହ ସଂଘର୍ଷ କରୁଥିଲେ । ଅବସ୍ଥା ଏପରି ହୋଇଥିଲା କି, ମାଆର ଚିକିତ୍ସାରେ ଘରର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା । ହେଲେ ଗତ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଏହାପର ତାଙ୍କର ମୃତ୍ୟୁ ହୋଇଥିଲା ।

ଆଉ ମାଆର ମୃତ୍ୟୁ ଖବର ଶୁଣିବା ପରେ ପୁଅ ଦୁଃଖରେ ଭାଙ୍ଗିପଡିଥିଲା । ପାଖରେ ଟଙ୍କାଟିଏ ନଥିବାରୁ କେମିତି କରିବ ସୁଦ୍ଧିକ୍ରିୟା ସେ ଚିନ୍ତାରେ ପଡିଯାଇଥିଲେ କିଶାନ । ଏପରିକି ମାଆର ଅନ୍ତ୍ୟେଷ୍ଟି ପାଇଁ ବି ଯୋଗାଡ କରିପାରିଲେନି ଅର୍ଥ । ଶେଷରେ ବାଧ୍ୟ ହୋଇ ନିଜର ଜୀବନ ହାରିଥିଲା କିଶାନ । ପରିବାର ଲୋକେ କିଛି ବୁଝିବା ପୂର୍ବରୁ ଫାଶୀ ଖୁଣ୍ଡରେ ଝୁଲିପଡିଥିଲା କିଶାନ । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.