ସାନଖେମୁଣ୍ଡି, ୦୮ ।୧୦: ନିଜ ଜନ୍ମଦାତାଙ୍କ ତଣ୍ଟି କାଟିଦେଲା ପୁଅ । ରକ୍ତ ଜୁଡୁବୁଡୁ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ବାପା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ।
ସୂଚନାନୁସାରେ, ବୁଗୁଡ଼ା ବ୍ୟାଘ୍ରଦେବୀ ସାହିର ସୁରେନ୍ଦ୍ର ପ୍ରଧାନ ଗୁଜୁରାଣ ମେଣ୍ଟାଇବା ପାଇଁ ଆନ୍ଧ୍ରରେ ପରିବାର ସହ ରହି କାମଧାମ କରୁଥିଲେ। କରୋନା କଟକଣା ଜାରି ହେବା ପରେ ସେ ପରିବାର ସହ ଘରକୁ ଫେରିଥିଲେ। ସୁରେନ୍ଦ୍ର (୫୫)ଙ୍କ ପୁଅ ଧୋବା (୨୨) କିଛି କାମଦାମ କରେନାହିଁ। ସେ ସୁରେନ୍ଦ୍ରଙ୍କ ଏକମାତ୍ର ପୁଅ ହୋଇଥିବାରୁ ଘରେ ଧୋବାକୁ କେହି କିଛି କୁହନ୍ତି ନାହିଁ। ସେ ଘରୁ ଟଙ୍କା ନେଇ ଖର୍ଚ୍ଚ କରେ ଓ ସାଙ୍ଗସାଥୀ ମେଳରେ ବୁଲିଚାଲି ସମୟ ଅପଚୟ କରେ। ତେବେ ଏହି ଟଙ୍କାକୁ କେନ୍ଦ୍ର କରି ପୂର୍ବରୁ ମଧ୍ୟ ଧୋବା କିଛି ଦିନ ତଳେ ନିଜ ବାପାଙ୍କୁ ଆକ୍ରମଣ କରିଥିଲା। ସାହି ଲୋକ ଘଟଣା ସ୍ଥଳରେ ପହଞ୍ଚି ସୁରେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ଏଥିରୁ ଧୋବାର ମାନସିକ ଦୋଷଥିବା ପରିବାର ଲୋକେ ଅନୁମାନ କରିଥିଲେ।
ତେବେ ଗୁରୁବାର ମଧ୍ୟାହ୍ନରେ ହଠାତ ଧୋବା ଏକ ଧାରୁଆ ଛୁରୀ ନେଇ ବାପ ସୁରେନ୍ଦ୍ରଙ୍କୁ ଆକ୍ରମଣ କରି ତାଙ୍କ ଗଳାକାଟି ପକାଇଥିଲା। ରକ୍ତ ଜୁଡୁବୁଡ଼ୁ ହୋଇ ସୁରେନ୍ଦ୍ର ଛଟପଟ ହୋଇଥିଲେ। ଘଟଣା ବାବଦରେ ଖବର ପାଇ ନିକଟରେ ଥିବା କିଛି ଦମକଳ କର୍ମଚାରୀ ଗାଡିରେ ଧରି ସୁରେନ୍ଦ୍ରଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଧୋବା ଫେରର ଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସରେ କୌଣସି ଅଭିୟୋଗ ହୋଇନଥିବା ଜଣାପଡିଛି ।