କରୋନା ସଂକ୍ରମିତ ମା’ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍, ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ : କାନ୍ଧରେ ମୃତଦେହ ବୋହି ଶ୍ମଶାନକୁ ନେଲା ପୁଅ

Published By : Prameya-News7 Bureau | May 15, 2021 IST

ଶିମଲା ୧୫।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ବଙ୍ଗଓ୍ବାର ଗାଁରେ ପ୍ରଶାସନ ପକ୍ଷରୁ ସହାୟତା ନମିଳିବାରୁ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ମୃତଦେହକୁ କାନ୍ଧରେ ବୋହି ନେଇ ଶବଦାହ କରିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥଲା । କାଙ୍ଗ୍ରା ଡେପୁଟି କମିଶନର ରାକେଶ ପ୍ରଜାପତି ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣା ବିଷୟରେ ତାଙ୍କୁ କିମ୍ବା ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ କେହି ଅବଗତ କରିନାହାନ୍ତି ।

ସଂପୃକ୍ତ ବ୍ୟକ୍ତି ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଥିଲେ ଯେ, ବେଡ୍ ଏବଂ ଅକ୍ସିଜେନ୍ ଅଭାବରୁ ତାଙ୍କ ମା’ କରୋନା ସଂକ୍ରମିତ ହେବା ସତ୍ତ୍ବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିଲା । ଫଳରେ ତାଙ୍କୁ ଗାଁକୁ ଫେରାଇ ଆଣିଥିଲେ । ଗାଁରେ ଗୁରୁବାର ଦିନ ପ୍ରାୟ ୪ଟା ୩୦ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଏ ସଂପର୍କରେ ଗ୍ରାମ ପଞ୍ଚାୟତ ମୁଖ୍ୟ ସୁରମ ସିଂଙ୍କୁ ସୂଚନା ଦେଇଥିଲେ । କିନ୍ତୁ ଗାଁଲୋକ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଫଳରେ ମୃତଦେହକୁ ଏକ କିଲୋମିଟର ଦୂରରେ ଥିବା ଶ୍ମଶାନକୁ କାନ୍ଧରେ ବୋହି ନେବାକୁ ପଡିଥିଲା । ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତ ମୁଖ୍ୟ ମୃତଦେହ ନେବାକୁ କୌଣସି ଗାଡିର ବ୍ୟବସ୍ଥା ମଧ୍ୟ କରିନଥିଲେ । ଫଳରେ ମୃତଦେହକୁ କାନ୍ଧରେ ବୋହି ନେବାକୁ ବ୍ୟକ୍ତି ଜଣଙ୍କ ସ୍ଥିର କରିଥିଲେ ।

ସେପଟେ ଗ୍ରାମ ପଞ୍ଚାୟତ ମୁଖ୍ୟ ସୁରମ ସିଂ କହିଛନ୍ତି ଯେ, ସେ ଏବଂ ଜଣେ ଆଶା କର୍ମୀ ଶବକୁ ଶ୍ମଶାନକୁ ନେବା ପାଇଁ ପିପିଇ କିଟ୍ ର ବ୍ୟବସ୍ଥା କରିବାରେ ବ୍ୟସ୍ତଥିଲେ କିନ୍ତୁ ବ୍ୟକ୍ତି ଜଣଙ୍କ କୌଣସି ସାହାଯ୍ୟ ନେବାକୁ ମନା କରିଦେଇଥିଲେ । ସେ ଦୁଇଟି ଟ୍ରାକ୍ଟର ଟ୍ରଲି ଡ୍ରାଇଭରଙ୍କ ସହ ମଧ୍ୟ କଥା ହୋଇଥିଲେ । କିନ୍ତୁ ସଂକ୍ରମଣ ଭୟରେ ସେମାନେ ମୃତଦେହ ନେବାକୁ ମନା କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.