ଟଙ୍କା ପାଇଁ ବାପାକୁ ହାଣିଲା ପୁଅ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର

Published By : Prameya-News7 Bureau | June 10, 2020 IST

ଭୁବନେଶ୍ୱର ୧୦।୦୬ : ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ବାପାକୁ ହାଣିଛି ପୁଅ । ଆକ୍ରମଣରେ ତମାଣ୍ଡୋ ଗ୍ରାମ ବାସିନ୍ଦା ନରୋତ୍ତମ ବଳ (ନରୁ) ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଏମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ପୁଅ ସୁକୁଟା ଏବେ ଫେରାର୍‌ ହୋଇଯାଇଛି ।

ଗ୍ରାମବାସୀଙ୍କ କହିବା ମୁତାବକ, ସୁକୁଟା ଜଣେ ନିଶାଖୋର ବ୍ୟକ୍ତି । ସବୁଦିନ ସେ ମଦ ସହ ଗଞ୍ଜେଇ, ବ୍ରାଉନ୍‌ସୁଗର ସେବନ କରନ୍ତି । ନିଶା ଖାଇବା ପରେ ସେ ଏକାଧିକ ଥର ଅନ୍ୟ ଲୋକଙ୍କୁ ମାର୍‌ପିଟ୍‌ କରିଛନ୍ତି । ଏଥିପାଇଁ ଘରେ ତାଙ୍କୁ ପରିବାର ଲୋକ ତାଗିଦ୍‌ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁଁ ନିଶା ସେବନରେ ସୁକୁଟାଙ୍କୁ ଟିକେ ବ୍ରେକ୍‌ ମିଳିଥିଲା । ଆଜି ସକାଳେ ସୁକୁଟା ନିଶା ଖାଇବାକୁ ବାଉଳି ହୋଇଥିଲା । ବଡ଼ ପାଟିରେ ଏଥିପାଇଁ ନରୁଙ୍କୁ ୫୦୦ ଟଙ୍କା ମାଗିଥିଲେ । ହେଲେ ନରୁ ଟଙ୍କା ଦେବାକୁ ସିଧା ମନା କରି ଦେଇଥିଲେ । ସୁକୁଟା ଚିଡି ଯାଇ ନରୁଙ୍କୁ ମନଇଚ୍ଛା ଗାଳି କରିଥିଲେ । ଆଉ ରାଗ ତମତମ ହୋଇ ସେ ଘରୁ ବାହାରି କେଉଁ ଆଡ଼େ ପଳାଇଥିଲେ ।

ସନ୍ଧ୍ୟାରେ ପୁଣି ଘରେ ପହଞ୍ଚି ସୁକୁଟା ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ । ନରୁ ଘରେ ନଥିବାରୁ ପରିବାର ଲୋକଙ୍କୁ ମାର୍‌ଧର୍‌ କରି ଜବରଦସ୍ତି ୪୦୦ ଟଙ୍କା ଛଡ଼ାଇନେଇ ବାହାରକୁ ପଳାଇଥିଲେ । ଏହାପରେ ରାତି ସାଢ଼େ ୧୦ଟାରେ ନିଶାରେ ଟଳ ମଳ ହୋଇ ଘରକୁ ଫେରିଲା ସୁକୁଟା । ଟଙ୍କା କଥାକୁ ନେଇ ନରୁଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ପରେ ରାଗିଯାଇ ଏକ ଫାର୍ସା ଯୋଗେ ନରୁଙ୍କୁ ଚୋଟ ମାରି ଚାଲିଲା । ପରିବାର ଲୋକ ଓ ପଡୋଶୀ ବିରୋଧ କରିବାରୁ ସୁକୁଟା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରିବାର ଲୋକ ନରୁଙ୍କୁ ଏମ୍‌ସ୍‌ ହସ୍ପିଟାଲ ନେଇଥିଲେ । ଡାକ୍ତର କହିଛନ୍ତି, ଆକ୍ରମଣରେ ନରୁଙ୍କ ଗୋଡ, ହାତ, ପିଠି ଓ ଜଙ୍ଗରେ ଆଘାତ ଲାଗିଛି । ତାଙ୍କ ହାତର ଶୀରା ପ୍ରଶିରା ବି କଟିଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁକୁଟାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.