ପ୍ରଣବଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’କୁନେଇ ପରିବାରରେ ମତପାର୍ଥକ୍ୟ ! ଝିଅ କହୁଛନ୍ତି ପ୍ରକାଶନ ହେଉ, ଜାଣନ୍ତୁ ପୁଅ କହୁଛନ୍ତି କ’ଣ ?
15/12/2020 at 9:18 PM

ନୂଆଦିଲ୍ଲୀ ୧୫।୧୨: ରୂପା ପବ୍ଲିକେସନ ହାଉସ୍ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସଂସ୍ମରଣ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ଲାଗି ଘୋଷଣା ହେବା ପରେ ପରଲୋକଗତ ନେତାଙ୍କ ପୁଅ-ଝିଅଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖା ଦେଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ମଙ୍ଗଳବାର ପ୍ରକାଶକଙ୍କୁ ପୁସ୍ତକ ପ୍ରକାଶନ ରୋକିବାକୁ କହିଛନ୍ତି। ଏଥିରେ ସେ ଏକ ସାମଗ୍ରୀକୁ ଦେଖିବାକୁ ଓ ମଞ୍ଜୁର କରିବାକୁ ଚାହୁଁଛନ୍ତି। ଏଥିରେ ତାଙ୍କ ଭଉଣୀ ତଥା କଂଗ୍ରେସ ପାର୍ଟି ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ ପରଲୋକ ପୂର୍ବରୁ ତାଙ୍କ ପିତା ପୁସ୍ତକୁ ମଞ୍ଜୁରି ଦେଇସାରିଛନ୍ତି। ଏଣୁ ଅଭିଜିତ ଶସ୍ତା ଲୋକପ୍ରିୟତାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି।
ତେବେ ଅଭିଜିତ କହିଛନ୍ତି ଯେ ପୁସ୍ତକର କିଛି ଅଂଶ ‘ମୋଟିଭେଟେଡ’ ଥିଲା। ହୁଏତ ରାଷ୍ଟ୍ରପତି ଏହାକୁ ମଞ୍ଜୁରି ଦେଇ ନଥାଇପାରନ୍ତି। ଏଣୁ ପୁସ୍ତକର ପ୍ରକାଶକ ରୂପା ବୁକ୍ସକୁ ଏହାର ପ୍ରକାଶନ ବନ୍ଦ ରଖିବାକୁ କହିଛନ୍ତି। ଏ ନେଇ ଅଭିଜିତ ପ୍ରକାଶକ କପିଶ ମେହରଙ୍କୁ ଟ୍ୟାଗ କରି ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ଯେହେତୁ ତାଙ୍କ ପିତା ଏବେ ଅବର୍ତ୍ତମାନ, ଏଣୁ ତାଙ୍କ ପୁଅ ଭାବେ ପୁସ୍ତକ ଚୂଡାନ୍ତ ପ୍ରତିର ସାମଗ୍ରୀ ସହ ପ୍ରକାଶନ କରିବାକୁ ଚାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଯଦି ପିତା ଆଜି ଜୀବିତ ଥାନ୍ତେ ତେବେ ସେ ମଧ୍ୟ ହୁଏତ ସେଇଆ କରିଥାନ୍ତେ ବୋଲି ଅଭିଜିତ ଉଲ୍ଲେଖ କରିଛନ୍ତି।

ଟ୍ୱିଟ୍ରେ ସେ ଆଗକୁ ଉଲ୍ଲେଖ କରିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ସାମଗ୍ରୀକୁ ସେ ମଞ୍ଜୁର ନ କରିଛନ୍ତି ଓ ଏଥିଲାଗି ଲିଖିତ ସହମତି ନ ଦେଇଛି ସେ ପର୍ଯ୍ୟନ୍ତ ଏହାର ପ୍ରକାଶନକୁ ରୋକନ୍ତୁ ବୋଲି ଅଭିଜିତ ଉଲ୍ଲେଖ କରିଛନ୍ତି। ତେବେ ଏକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରଣବ ପରଲୋକ ପୂର୍ବରୁ ପୁସ୍ତକ ସମେତ ଏହାର କଭର ପେଜକୁ ମଧ୍ୟ ମଞ୍ଜୁରିଦେଇଥିଲେ। ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କ କହିବା ଅନୁସାରେ ରାଷ୍ଟ୍ରପତି ତାଙ୍କ ସହ ୨୦୧୩ ମସିହାରେ ଏଥିଲାଗି ପ୍ରଥମ ରାଜିନାମା କରିଥିଲେ। ୨୦୧୮ରେ ନୂଆ ପୁସ୍ତକର କଣ୍ଟ୍ରାକ୍ଟରେ ମଧ୍ୟ ସ୍ୱାକ୍ଷର କରିଥିଲେ, ତେବେ ସେତେବେଳେ ଅଭିଜିତ ନଥିଲେ।

ସୂଚନା ଯୋଗ୍ୟଯେ ରୂପା ବୁକ୍ସ ପ୍ରଣବଙ୍କ ମେମୋଇର୍ସ’ର କିଛି ଅଂଶ ଜାରି କରିଥିଲେ। ଯେଉଁଥିରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିପର୍ଯୟ ଲାଗି ଦଳରେ ଆଭ୍ୟନ୍ତରିଣ କଳହ ଓ ଦଳର ପତନ ଲାଗି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦାୟି କରିଥିବା ଉଲ୍ଲେଖ ରହିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ପ୍ରଥମ କାର୍ଯ୍ୟକାଳରେ ଶାସନ ଲାଗି ଏକ ନିରଙ୍କୁଶ ଶୈଳୀକୁ ନିୟୋଜିତ କରିଥିବା ପ୍ରଣବ ଉଲ୍ଲେଖ କରିଛନ୍ତି। ତେବେ ପୁସ୍ତକର ବିବରଣୀ ଅଥବା ଏହି ରହସ୍ୟୋଦଘାଟନ ନେଇ ଏପର୍ଯନ୍ତ କଂଗ୍ରେସ ପାର୍ଟି କୌଣସି ପ୍ରତିକ୍ରିୟା ଦେଇ ନାହିଁ।
ସେପଟେ ଶର୍ମିଷ୍ଠା ତାଙ୍କ ଭାଇଙ୍କ ଟ୍ୱିଟ୍ର ଜବାବରେ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଲେଖଙ୍କ କନ୍ୟା ହିସାବରେ ପିତାଙ୍କ ଦ୍ୱାରା ଲିଖିତ ଶେଷ ପୁସ୍ତକର ପ୍ରକାଶନରେ ଭାଇ ଅଭିଜିତ ମୁଖାର୍ଜୀ ଅନାବଶ୍ୟକ ପ୍ରତିବନ୍ଧକ ସୃଷ୍ଟି ନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ସେ ଅନ୍ତିମ ଶଜ୍ୟାକୁ ଯିବା ପୂର୍ବରୁ ପୁସ୍ତକର ସମ୍ପୂର୍ଣ୍ଣ ରଚନା କରିସାରିଥିଲେ। କେବଳ ଏତିକି ନୁହେଁ ପିତା ପୁସ୍ତକ ସହିତ ତାଙ୍କ ସ୍ୱହସ୍ତ ଲିଖିତ ନୋଟ୍ ମଧ୍ୟ ଦେଇଛନ୍ତି। ଯାହାର କଡାକଡି ପାଳନ ହୋଇଛି। ସେ ବ୍ୟକ୍ତ କରିଥିବା ବିଚାର ତାଙ୍କର ନିଜସ୍ୱ, ଏଣୁ ଶସ୍ତା ପ୍ରଚାର ଉଦ୍ଦେଶ୍ୟରେ ପୁସ୍ତକର ପ୍ରକାଶନ ରୋକାଯିବ ଉଚିତ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ଆମର ପରଲୋକଗତ ପିତାଙ୍କ ଲାଗି ସବୁଠୁ ବଡ ଅନ୍ୟାୟ ହେବ ବୋଲି ମଧ୍ୟ ସେ କହିଛନ୍ତି।

ପ୍ରକାଶନ ପକ୍ଷରୁ ଗଣମାଧ୍ୟମରେ ଜାରି ପୁସ୍ତକର ଅଂଶ ଅନୁସାରେ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ତାଙ୍କ ଅନୁଭବ ଓ କଂଗ୍ରେସ ନେତୃତ୍ୱଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ସାର୍ବଜନିକ ହୋଇଥିବା ପୁସ୍ତକର ଅଂଶ ଅନୁସାରେ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଦିଗ ଭୁଲିଯାଇଥିଲା। ପାର୍ଟିର କିଛି ନେତାଙ୍କ ଅନୁସାରେ ୨୦୦୪ରେ ପ୍ରଣବ ପ୍ରଧାନମନ୍ତ୍ରୀ ହୋଇଥିଲେ ୨୦୧୪ରେ କଂଗ୍ରେସକୁ ଦୁର୍ଦ୍ଦିନ ଦେଖିବାକୁ ମିଳିନଥାନ୍ତା ବୋଲି ଉଲ୍ଲେଖ ରହିଛି। ମୁଖାର୍ଜୀ ତାଙ୍କ ପରଲୋକର ବହୁ ପୂର୍ବରୁ ସମସ୍ମରଣ ପୁସ୍ତକ ଲେଖିସାରିଥିଲେ। ରୂପା ପ୍ରକାଶ ଦ୍ୱାରା ଏହି ପୁସ୍ତକ ପାଠକଙ୍କୁ ଜାନୁୟାରୀ ୨୦୨୧ରେ ମିଳିବାର ଥିଲା। ତେବେ ଅଭିଜିତଙ୍କ ଟ୍ୱିଟ୍ ପରେ ପୁସ୍ତକ ବିବାଦୀୟ ହୋଇପଡିଛି।