ଓ୍ବିଗ୍‌ର ମହିଳାଙ୍କ ଚୁଟି ବିକ୍ରି କରୁଛି ଚୀନ୍‌ ! ଆମେରିକାର ଦାବି-ସେଠାରେ ‘ନର ସଂହାର’ ଭଳି ହେଉଛି କାର୍ଯ୍ୟ

Published By : Prameya-News7 Bureau | October 17, 2020 IST

ଓ୍ବାଶିଂଟନ ୧୭/୧୦: ଚୀନ ସିନ୍‌ଜିଆଙ୍ଗରେ ଥିବା ଓ୍ବିଗର୍‌ ମୁସଲମାନଙ୍କ ସହିତ ‘ନର ସଂହାର’ ଭଳି କିଛି କାର୍ଯ୍ୟ କରୁଛି ବୋଲି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି। ଏସ୍ପେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ଆୟୋଜିତ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇ ରବର୍ଟ ଓବ୍ରାୟନ୍‌ କହିଛନ୍ତି, ଯଦିଓ ଏହା ନର ସଂହାର ନୁହେଁ ତଥାପି ଏହିଭଳି କିଛି ଅମାନୁସିକ କାର୍ଯ୍ୟ ସିନଜିଆଙ୍ଗରେ କରୁଛି ଚୀନ। ହଙ୍ଗକଙ୍ଗରେ ଲୋକତନ୍ତ୍ର ସମର୍ଥକ ଆନ୍ଦୋଳନକାରୀଙ୍କ ଦମନ କରିବା ସହ ଚୀନର ଆକ୍ରମଣ ସମ୍ପର୍କରେ ଖୁଲାସା କରିଛନ୍ତି ରବର୍ଟ।

ସିନଜିଆଙ୍ଗରେ ଚୀନ ଦ୍ବାରା ଓ୍ବିଗ୍‌ର ଓ ଅନ୍ୟ ଅଳ୍ପସଂଖ୍ୟକ ମୁସ୍‌ଲମାନଙ୍କ କରାଯାଉଥିବା ବ୍ୟବହାରକୁ ନିନ୍ଦା କରିଛି ଆମେରିକା। କିନ୍ତୁ ଏଯାଏଁ ଆମେରିକା ଏହାକୁ ସ୍ପଷ୍ଟ ଭାବେ ‘ନର ସଂହାର’ ବୋଲି କହିନାହିଁ। ଆଗାମୀ ଦିନରେ ଯଦି ଆମେରିକା ଏହାକୁ ସ୍ପଷ୍ଟ କରେ ତେବେ ଚୀନ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଝିଜିଆଙ୍ଗରେ ୧୦ ଲକ୍ଷ ମୁସଲମାନଙ୍କୁ ଚୀନ ସରକାର ବନ୍ଦୀ କରି ରଖିଥିବା ଆମେରିକା ଅନୁମାନ କରୁଛି। ଏହାସହ ଅନ୍ୟ ସାମାଜିକ କାର୍ଯକର୍ତ୍ତାଙ୍କ ମତରେ ସେଠାରେ ମାନବିକତା   ବିରୋଧୀ କାର୍ଯ୍ୟ ସହ ନରସଂହାର ହେଉଛି। କିନ୍ତୁ ଚୀନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସେଠା​‌ରେ ଲୋକଙ୍କ ଭଲ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରାଯାଉଥିବା କହିଛନ୍ତି ।

ଅନ୍ୟପଟେ ଓବ୍ରାୟନ୍‌ ସିନଜିଆଙ୍ଗରେ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ହେୟାର ପ୍ରଡକ୍ଟସ୍‌ ଆମେରିକା କଷ୍ଟମ୍‌ ଅଧିକାରୀଙ୍କ ଦ୍ବାରା ଜବତ କରିଥିବା କହିଛନ୍ତି ।   ଏହାସହ ଚୀନ ନିଶ୍ଚିତ ଭାବେ ସେଠାକାର ଓ୍ବିଗର୍‌ ମହିଳାମାନଙ୍କୁ ଲଣ୍ଡା କରି ହେୟାର ପ୍ରଡକ୍ଟସ୍‌ ତିଆରି କରୁଥିବା କହିଛନ୍ତି। ପରେ ଏହି ଜିନିଷ ଗୁଡ଼ିକୁ ଚୀନ୍‌ ଆମେରିକା ପଠାଉଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ଚଳିତ ବର୍ଷ ଜୁନ୍‌ରେ ଏହିସବୁ ଜିନିଷ ଆମଦାନୀକୁ ବନ୍ଦ କରିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି। ସିନଜିଆଙ୍ଗରେ ଚୀନ ଜୋର ଜବରଦସ୍ତି ଗର୍ଭପାତ, ଗର୍ଭ ନିରୋଧ ନିୟମ ଆଦି ଳାଗୁ କରୁଥିବା ମଧ୍ୟ ଆମେରିକା ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.