ଭାରତୀୟ କ୍ରିକେଟ୍ ଦଳର ନୂଆ ପଟାଖା ପୃଥ୍ବୀ ସାଙ୍କ ସମ୍ପର୍କରେ ଜାଣନ୍ତୁ କେତୋଟି କଥା

Published By : Prameya-News7 Bureau | October 04, 2018 IST

ନୂଆଦିଲ୍ଲୀ ୪|୧୦: ରାଜକୋଟ ଟେଷ୍ଟରେ  ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜ କ୍ୟାରିୟର ପ୍ରଥମ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁମ୍ବାଇର ପୃଥ୍ବୀ ସା । କମ୍ ବୟସରେ ଟେଷ୍ଟ ଖେଳିବା କ୍ଷେତ୍ରରେ ସଚ୍ଚିନଙ୍କ ପରେ ଦ୍ବିତୀୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ପୃଥ୍ବୀ । ମାତ୍ର ୧୯ ବର୍ଷ ବୟସରେ ସେ ଟେଷ୍ଟ ଡେବ୍ୟୁ କରିଛନ୍ତି। ୱେଷ୍ଟଇଣ୍ଡିଜ ସହ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ ପୃଥ୍ବୀ ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟ-୨୦୧୮ରେ ଭାରତୀୟ ଦଳର ଅଧିନାୟକ ଥିଲେ । ବିଶ୍ବକପର ୬ଟି ମ୍ୟାଚରୁ ସେ ବ୍ୟକ୍ତିଗତ ୨୬୧ରନ ସଂଗ୍ରହ କରିଥିଲେ । ୧୯ ବର୍ଷରୁ କମ ବିଶ୍ବକପରେ ଭାରତୀୟ ଅଧିନାୟକ ହିସାବରେ ଏହା ଥିଲା ସର୍ବାଧିକ ରନ୍‌ । ତାଙ୍କ ପୂର୍ବରୁ ୨୦୧୨ ବିଶ୍ବକପରେ ଭାରତୀୟ ଅଧିନାୟକ ଉନ୍ମୁଖତ ଚାନ୍ଦ ସଂଗ୍ରହ କରିଥିଲେ ୨୪୬ ରନ । ମାତ୍ର ୧୭ ବର୍ଷ ବୟସରେ ସେ ମୁମ୍ବାଇ ରଣ୍‌ଜୀ ଟିମ୍ ପାଇଁ ଖେଳିଥିଲେ । ପ୍ରଥମ ମ୍ୟାଚରେ ହିଁ ସେ ମୁମ୍ବାଇ ଦଳ ପାଇଁ ଶତକ ହାସଲ କରିଥିଲେ । ମରଣଜୀରେ ପ୍ରଥମ ମ୍ୟାଚରେ ହିଁ ଶତକ ହାସଲ କରିବା କ୍ଷେତ୍ରରେ ସଚ୍ଚିନଙ୍କ ପରେ ଦ୍ବିତୀୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ପୃଥ୍ବୀ । ପୃଥ୍ବୀ ୨୦୧୮ ଆଇପିଏଲ ଦିଲ୍ଲୀ ଡେର ଡେଭିଲ୍ସ ପକ୍ଷରୁ ଖେଳିଥିଲେ । ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୯ଟି ମ୍ୟାଚରୁ ୨୪୫ରନ ସଂଗ୍ରହ କରିଥିଲେ । ତାଙ୍କ ଷ୍ଟ୍ରାଇକ ରେଟ ୧୫୦ ଉପରକୁ ରହିଥିଲା । ୧୭ ବର୍ଷ ବୟସରେ ହିଁ ସେ ଦୁଲୁପ ଟ୍ରଫି ଖେଳିଥିଲେ । ଏହି ବୟସରେ ଦୁଲିପ ଟ୍ରଫି ଖେଳି ୩ ଅଂକ ବିଶିଷ୍ଟ ସ୍କୋର କରିବା କ୍ଷେତ୍ରରେ ମଧ୍ୟ ସଚ୍ଚିନଙ୍କ ପରେ ସେ ଦ୍ବିତୀୟ ଖେଳାଳି । ଆନ୍ତଃ ସ୍କୁଲ ମ୍ୟାଚ୍‌ ରେ ବ୍ୟକ୍ତିଗତ ୫୪୬ ରନ କରି ସେ ଜାତୀୟ ରେକର୍ଡ କରିଥିଲେ । ରିଜ୍‌ଭି ସିଂ ଫିଲ୍ଡ ପକ୍ଷରୁ ସେଣ୍ଟ ଫ୍ରନ୍‌କିସ ଡି ଆଶିଶି ବିରୋଧରେ ଖେଳି ସେ ଏହି ଜାତୀୟ ରେକର୍ଡ କରିଥିଲେ । ତାଙ୍କର ଏହି ବିଶାଳ ସ୍କୋର ମଧ୍ୟରେ ରହିଥିଲା ୮୫ଟି ଚୌକା ଏବଂ ୫ଟି ଛକା । ୧୦ବର୍ଷ ତଳେ ପୃଥ୍ବୀଙ୍କ ଖେଳ ଦେଖି ସଚ୍ଚିନ ତେନ୍ଦୁଲକର କହିଥିଲେ ପୃଥ୍ବୀ ନିଶ୍ଟୟ ଭାରତୀୟ ଦଳରେ ଖେଳିବେ । ପୃଥ୍ବୀଙ୍କୁ ସେ କିଛି କିଛି ଟିପ୍ସ ମଧ୍ୟ ଦେଇଥିଲେ । ରାହୁଲ ଦ୍ରାବିଡଙ୍କ ତତ୍ତ୍ବାବାବଧାନରେ କିଛିଦିନ ସେ କୋଚିଂ ନେଇଛନ୍ତି । ତେବେ ତାଙ୍କ ଖେଳ ଷ୍ଟାଇଲ ବୀରେନ୍ଦ୍ର ସେହେୱାଗଙ୍କ ଭଳି ବୋଲି ବରିଷ୍ଠ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.