ଆଇନଜୀବୀଙ୍କ ବିବାଦ ପରେ ହାଇକୋର୍ଟରେ କାମ ଆରମ୍ଭ ; ଶୁଣାଣି ପ୍ରକ୍ରିୟାରେ କିଛି ଆଇନଜୀବୀ ସାମିଲ

Published By : Prameya-News7 Bureau | October 29, 2018 IST

କଟକ ୨୯|୧୦: ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଆଇନଜୀବୀଙ୍କ ବିବାଦ ପରେ ହାଇକୋର୍ଟରେ କାମ ଆରମ୍ଭ ହୋଇଛି । କିଛି ଆଇନଜୀବୀ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଓକିଲଙ୍କୁ ମାଡ ଘଟଣାକୁ ନେଇ ୨ମାସ ଧରି ହାଇକୋର୍ଟ ବାର୍ ଆସୋସିଏସନ ଜାରି ରଖିଛି କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି । ଆନ୍ଦୋଳନରୁ ଓହରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନାହାନ୍ତି । ତେବେ ଆଇନଜୀବୀ ସଂଘର ନିଷ୍ପତ୍ତିକୁ ବିରୋଧ କରି ବିଜେଡି ଲିଗାଲ ଫ୍ରଣ୍ଟ ଆନ୍ଦୋଳନରୁ ଓହରିଯିବା ଫଳରେ ବିବାଦ ଅଧିକ ବଢିବାରେ ଲାଗିଛି । ହାଇକୋର୍ଟରେ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବିଜେଡି ଲିଗାଲ ଫ୍ରଣ୍ଟ ଓକିଲଙ୍କୁ ଆନ୍ଦୋଳନରତ ଓକିଲମାନେ ବିରୋଧ କରିଛନ୍ତି । ଫଳରେ ସେଠାରେ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି । ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଥିବା ପ୍ରାୟ ୩୦ହଜାର ଓକିଲ ଆଜି କାର୍ଯ୍ୟରେ ଯୋଗ ଦେଉଛନ୍ତି । ଆନ୍ଦୋଳନରୁ ଓହରିବା ନେଇ ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାକୁ ନେଇ ହାଇକୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟ ନିକଟରେ ୨୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.