ତେଲେଙ୍ଗାନାରେ ବନ୍ଧାପଡ଼ିଛନ୍ତି ବଲାଙ୍ଗିରର ଦାଦନ, ଉଦ୍ଧାର ପାଇଁ ପ୍ରଶାସନକୁ କଲେ ନିବେଦନ
6/03/2021 at 4:15 PM

ବଲାଙ୍ଗିର, ୦୬/୦୩: ବଲାଙ୍ଗୀର ଜିଲ୍ଲାର କିଛି ଦାଦନ ଇଟା ଭାଟିରେ ବନ୍ଧା ପଡିଥିବା ଖବର ମିଳିଛି । ସେମାନେ ସମସ୍ତେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ଫସି ରହିଛନ୍ତି । ନିୟୁଜ୍ ୭ ଜରିଆରେ ଭିଡିଓ ଜାରି କରି ଉଦ୍ଧାର ପାଇଁ ସମସ୍ତେ ସରକାରଙ୍କୁ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ବେଲପଡା ବ୍ଲକ ଘାଗୁର୍ଲିର ଦିଲେଶ୍ୱର ବେହେରା ନାମକ ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ପଠାଇଥିବା ଅଭିଯୋଗ ହୋଇଛି । ଏହି ଦଳରେ ଛୁଆପିଲା ମିଶାଇ ୩୦ ରୁ ଅଧିକ ଦାଦନ ଶ୍ରମିକ ରହିଛନ୍ତି । ସେମାନେ ଦୀର୍ଘ ୬ ମାସ ହେବ ଏଟା ଭାଟି ମାଲିକଙ୍କ ନିର୍ଯାତନା ସହୁଥିବା ଏକ ଭିଡିଓରେ କହିଛନ୍ତି । ବନ୍ଧକ ଶ୍ରମିକ ବଲାଙ୍ଗୀର ପାଟଣାଗଡ, ଖପ୍ରାଖୋଲ ଓ ବେଲପଡ଼ା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ୫୦ ହଜାର ଟଙ୍କାର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଇଥିବା ସେମାନେ କହିଛନ୍ତି । ଇଟା ଭାଟି ମାଲିକ ସଲିମ୍ ଶେଖ୍ ନାମକ ବ୍ୟକ୍ତି ମାଡମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ଆଭିଯୋଗ କରିଛନ୍ତି । ଏହା ସହିତ ଅନେକ ସମୟରେ ଦାଦନ ମାନଙ୍କୁ ଅମାନୁଷିକ ଅତ୍ୟାଚାର , ଠିକ ସମୟରେ ପ୍ରାପ୍ୟ ନଦେବା ଏପରିକି ମହିଳା ମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଖବର ସାମ୍ନାକୁ ଆସିଛି ।

ଅନେକ ସମୟରେ ଦାଦନ ଶ୍ରମିକମାନେ ବାହାର ରାଜ୍ୟରେ ମୃତ୍ୟୁବରଣ କରୁଥିବା ଖବର ଆସୁଛି । କିନ୍ତୁ ସେମାନଙ୍କ ମୃତଦେହ ମଧ୍ୟ ନିଜ ଜନ୍ମମାଟିରେ ପହଞ୍ଚିପାରୁନାହିଁ । ଜୋର ଜବରଦସ୍ତ କାମ କରାଉଥିବାରୁ ଜିଲ୍ଲାପ୍ରଶାସନକୁ ଉଦ୍ଧାର ପାଇଁ ସେମାନେ ଗୁହାରୀ କହିଛନ୍ତି । ପାଟଣାଗଡ ବ୍ଳକ , ଖପ୍ରାଖୋଲ , ବେଲପଡା ବ୍ଲକ ଅଂଚଳ ରୁ ବନ୍ଧାପଡ଼ିଥିବା ଦାଦନ ମାନେ ମୁକ୍ତି ପାଇଁ ମୋବାଇଲ ଭିଡିଓ କରି ଅକୁଳ ନିବେଦନ କରିଥିବାର ଜଣାପଡିଛି ।