ପ୍ରତାପ ଷଡଙ୍ଗୀ କାହିଁକି ନୀଳଗିରି ବିଧାନସଭାରୁ ନଲଢି ବାଲେଶ୍ବର ଲୋକସଭା ପ୍ରାର୍ଥୀ ହେଲେ ? ଗୁମର ଖୋଲିଲେ ବିଜେପି ନେତ୍ରୀ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର ୨୬|୩ (କିଶନ ବରାଇ): ୨୦୦୯ରେ ବିନା ଦଳୀୟ ଚିହ୍ନରେ ବି ନୀଳଗିରିରୁ ବାଜି ମାରିଥିଲେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ। ଅଞ୍ଚଳରେ ଖୁବ୍ କାଟତି ଥିଲା । ଦଳ ବି ତାଙ୍କୁ ସଚ୍ଚୋଟ ନେତା ଭାବେ ପ୍ରୋଜେକ୍ଟ କରୁଥିଲା । ତେବେ ୨୦୧୪ରେ ମୋଦି ହାୱା ଦେଖି ବାଲେଶ୍ବର ଏମପି ହେବାକୁ ମନ ବଳାଇଲେ ।  ହେଲେ ବାଲେଶ୍ବର ଲୋକସଭା ମଣ୍ଡଳୀରେ ପ୍ରତାପଙ୍କ ପ୍ରତାପ ଦେଖା ଗଲା ନାହିଁ । ଶଙ୍ଖ ନାଦ ଆଗରେ ମାଟି କାମୁଡ଼ିଲେ ପ୍ରତାପ । ତେଣୁ ବର୍ଷେ ଆଗରୁ ପୁଣି ନୀଳଗିରି ଲାଗି ମନ ବଳାଇଥିଲେ ପ୍ରତାପ ଷଡଂଗୀ । ସଂଗଠନ ବଢେଇବାକୁ ଚେଷ୍ଟା ମଧ୍ୟ କରିଆସୁଥିଲେ ।

{"id":97049,"width":582,"height":433}

ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ନିଜ ଆଡ଼କୁ ମୋଡ଼ିବାକୁ ଚେଷ୍ଟା କରୁଥିଲେ । ହେଲେ ବିଜେଡି ସୁକାନ୍ତଙ୍କ ଟିକଟ କାଟିବା ପରେ ସବୁ ଅଙ୍କ ଭୁଲ୍ ହୋଇଗଲା । ଏହି ଅଙ୍କ ଭୁଲ ହେବା କଥା ଆମେ ଅନୁମାନରେ କହୁନୁ । ଖୋଦ୍ ବିଜେପିର ବାଲେଶ୍ବର ଜିଲ୍ଲାର ଜଣେ ନେତ୍ରୀ ଏହି ଗୁମର ଖୋଲିଛନ୍ତି । ଏକ ଅନୌପଚାରିକ କଥାବାର୍ତ୍ତା ବେଳେ ବାଲେଶ୍ବରରେ ଦଳର ଅଙ୍କ ବୁଝାଇଛନ୍ତି ଏହି ନେତ୍ରୀ । 

{"id":97050,"width":578,"height":382}

ଏବେ ଫେରିବା ପ୍ରତାପ ଷଡ଼ଙ୍ଗୀଙ୍କ କଥାକୁ । ନୀଳଗିରି ବିଧାୟକ ପ୍ରାର୍ଥୀ ହେବା ଆଗରୁ ବିଭିନ୍ନ ଫୋରମରେ ବିଜେପି ଓ ଖୋଦ୍ ପ୍ରତାପ ସ୍ଥାନୀୟ ଅଞ୍ଚଳରେ ଦଳର ଲୋକପ୍ରିୟତା ମାପିଥିଲେ । ହେଲେ ୨୦୦୯ର ଚିତ୍ର ପୂରା ଓଲଟିଯାଇଥିବା ସବୁ ସର୍ଭେରେ ଆସିଥିଲା । ସାରା ରାଜ୍ୟରେ ପ୍ରତାପଙ୍କ ପତିଆରା ଥିଲେ ବି ୨୦୧୪ରେ ନୀଳଗିରି ଛାଡ଼ିବା ପରଠାରୁ ଅଞ୍ଚଳରେ ତାଙ୍କ ପ୍ରଭାବ କମି ସାରିଥିବା ସେ ଅନୁଭବ କରିଥିଲେ । ହେଲେ ବଡ଼ ନେତା, ଲଢିବାକୁ ବି ଇଚ୍ଛା । ତେଣୁ ବିଧାୟକ ଭାବେ ଲଢି ହାରିବା ଅପେକ୍ଷା ଏମପି ଭାବେ ଫାଇଟ୍ କରିବା ବେଶୀ ସମ୍ମାନଜନକ ବୋଲି ହିସାବ ଲଗାଇଥିଲେ ପ୍ରତାପ ।

{"id":97051,"width":577,"height":406}

ବିଜେପିର ଏହି ନେତ୍ରୀଙ୍କ ହିସାବ ଅନୁସାରେ, ରେମୁଣାରୁ ଗତଥର ଦଳ ଜିତିଥିଲେ ବି ଏଥର ସ୍ଥିତି ଭଲ ନାହିଁ । ଜଳେଶ୍ବର ସଂଗଠନ ବଢିଛି, ହେଲେ ଲିଡ୍ ନେଇ ଗ୍ୟାରେଣ୍ଟି ନାହିଁ । ବଡ଼ସାହିରେ ଦଳ ଭଲ କରିପାରେ । ବସ୍ତା, ବାଲେଶ୍ବର, ଭୋଗରାଇରେ ଏବେ ବି ବିଜେଡି ଆଗରେ । ନୀଳଗିରି କଥା ତ ଉପରେ କହିସାରିଛୁ । ଆଉ ଯଦି ପୂରା ଅଙ୍କକୁ ଦେଖିବା ଦରକାର ପଡ଼ିଲେ କଂଗ୍ରେସ ବି ବିଜେପିଠାରୁ ବାଲେଶ୍ବରରେ ଟପିଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।

{"id":97052}

ତେଣୁ ପ୍ରତାପଙ୍କ ବିଜୟ ଲାଗି ସବୁ ବଡ଼ ନେତାଙ୍କୁ ବାଲେଶ୍ବରରେ ଝୁଙ୍କ୍ ଲଗାଇବାକୁ ହେବ । ନ ହେଲେ ଦଳ ଲାଗି ସବୁ ଗଡ଼ବଡ଼ ହୋଇଯିବ । ବାଲେଶ୍ବର ଲୋକସଭା ଆସନ ପାଇଁ ନିକଟରେ ବିଜେପିରେ ଯୋଗ ଦେଇଥିବା ଉତ୍କଳ ବାରତର ସଭାପତି କାରବେଳ ସ୍ବାଇଁ ଆଗ୍ରହୀ ଥିଲେ । ହେଲେ ସେ ଦଳରେ ଯୋଗ ଦେଲାବେଳକୁ ଦଳ ପ୍ରତାପ ଷଡଂଗୀଙ୍କୁ ଟିକେଟ ଦେଇସାରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.