Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡା ଭୋଟରଙ୍କ ମଧ୍ୟରେ ଭାଇରାଲ୍ ହେଉଛି ‘ବଗ’, ‘ଗଧ’ ଭଳି ବହୁ କୋଡ୍ ଓ୍ବାର୍ଡ : ରାଜନେତାଙ୍କୁ ପକାଇଛି ଚିନ୍ତାରେ, ଜାଣନ୍ତୁ ଏହାର ଅର୍ଥ

25/04/2019 at 12:56 PM

ଭୁବନେଶ୍ବର ୨୫|୪: ଚତୁର୍ଥ ପର୍ଯ୍ୟାୟର ସବୁଠୁ ହଟ୍ ସିଟ୍ ହେଉଛି କେନ୍ଦ୍ରାପଡା ଲୋକସଭା ଆସନ । ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ କେନ୍ଦ୍ରାପଡା ଲୋକସଭା ଓ କେନ୍ଦ୍ରାପଡା ବିଧାନସଭା ସମ୍ମାନର ପ୍ରଶ୍ନ ହୋଇଛି । ୨୯ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟରମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିସାରିଲେଣି । ହେଲେ ଏହି ସମ୍ମାନଜନକ ଆସନରେ ଭୋଟର କାହାକୁ ଭୋଟ୍ ଦେବେ ସେ ସଂପର୍କରେ କେନ୍ଦ୍ରାପଡାରେ ଏବେ ଦୁଇଟି କୋଡ୍ ଓ୍ବାର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି କୋଡ୍ ଓ୍ବାର୍ଡ ଦୁଇଟି ହେଲା ‘ବଗ’ ଏବଂ ‘ଗଧ’ । ଏବେ ଯଦି କେନ୍ଦ୍ରାପଡାର କାହାକୁ ଆପଣ ପଚାରିବେ ଯେ, ସେ କାହାକୁ ଭୋଟ୍ ଦେବାକୁ ମନସ୍ତ କରିଛନ୍ତି ତାହାଲେ ଆପଣଙ୍କୁ ଉତ୍ତର ମିଳିବ ‘ଗଧ’ ନହେଲେ ‘ବଗ’ ।ଏହି ଦୁଇ କୋଡ୍ ଓ୍ବାର୍ଡର ବିଶ୍ଳେଷଣ ଜାଣିବାକୁ ହେଲେ ଚଳିତ ନିର୍ବାଚନରେ କେନ୍ଦ୍ରାପଡା ରାଜନୀତିର ପ୍ରେକ୍ଷାପଟ୍ଟ ଜାଣିବାକୁ ପଡିବ ।   

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ବହୁ ବିଚାର ବିମର୍ଶ ପରେ ବିଜେଡି ଏଠାରେ ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଇଦାନରେ ଉତାରିଛି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବରିଷ୍ଠ ଅଇନଜୀବୀ ଧରଣୀଧର ନାୟକ । ସେହିଭଳି କେନ୍ଦ୍ରାପଡା ବିଧାନସଭା ଆସନରୁ ବହୁ ଆଗରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ବିଜେଡି, ବିଜେପି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରାର୍ଥୀ ଦେବା ପାଇଁ ଛକାପଞ୍ଝା ହୋଇରହିଥିଲେ । ଶେଷରେ ବିଜେପି ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଥିଲା ।

କିନ୍ତୁ ବିଜେଡି ନାମାଙ୍କନ ଦାଖଲର ପୂର୍ବ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ନକରି ସସପେନ୍ସ ବଜାୟ ରଖିଥିଲା । ନାମାଙ୍କନ ପତ୍ର ଦାଖଲ ପୂର୍ବ ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ନେଇ କେନ୍ଦ୍ରାପଡାରେ ଭିନ୍ନ ଭିନ୍ନ ରାଜନୈତିକ ସମୀକରଣ ତିଆରି ହୋଇଥିଲା । ସବୁ ଦଳର ଟିକେଟ୍ ନପାଇଥିବା ଆଶାୟୀମାନେ ଅସନ୍ତୁଷ୍ଟର ଭୂମିକାରେ ନଜର ଆସିଥିଲେ । ତେବେ ରାଜନୈତିକ ଦଳଗୁଡିକ ନିଜର କଳବଳ କୌଶଳ ବ୍ୟବହାର କରି ଅସନ୍ତୁଷ୍ଟମାନଙ୍କୁ ମନେଇବାରେ ସକ୍ଷମ ହୋଇଥିଲେ ।

ସବୁଠୁ ବେଶୀ ଡ୍ରାମା ଦେଖିବାକୁ ମିଳିଥିଲା ବିଜେଡିରେ । ଶଶୀଭୂଷଣଙ୍କୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ହୋଇ ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ ସ୍ବାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିଭଳି ବିଧାୟକ କିଶୋର ତରାଇ ମଧ୍ୟ ନିଜ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଅତନୁ ସବ୍ୟସାଚୀ ନାୟକ ଏବଂ ନବୀନ ନିବାସର ହସ୍ତକ୍ଷେପ ଫଳରେ ପରିସ୍ଥିତି ଏକପ୍ରକାର ସୁଧୁରିଥିଲା ।

କେନ୍ଦ୍ରାପଡାରେ ଆମ ପ୍ରତିନିଧି ନିର୍ବାଚନ ଖବର ସଂଗ୍ରହ କରୁଥିବାବେଳେ ଭୋଟରଙ୍କ ମୁହଁରୁ ଦୁଇଟି ଅଦ୍ଭୁଦ କୋଡ୍ ଓ୍ବାର୍ଡ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ରଥମ କଥା ହେଲା ଭୋଟର ଏଥର କୌଣସି ଦଳର ବ୍ରାଣ୍ଡେଡ ନୁହଁନ୍ତି ଏକଥା ମଧ୍ୟ ସ୍ପଷ୍ଟ ଜଣାପଡିଥିଲା । କେନ୍ଦ୍ରାପଡାର କୋର ପଞ୍ଚାୟତର ଜଣେ ଭୋଟର କହିଥିଲେ ଯେ, ତାଙ୍କ ପଞ୍ଚାୟତ ସବୁ ନିର୍ବାଚନରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମୂହ ଭୋଟ୍ ଦେଉଥିଲେ । ଏପରିକି ବିଧାନସଭାରେ ଯାହାକୁ ଭୋଟ୍ ଦିଅନ୍ତି ଲୋକସଭା ପାଇଁ ମଧ୍ୟ ସେହି ଦଳକୁ ହିଁ ଭୋଟ୍ ଦିଅନ୍ତି । କିନ୍ତୁ ଏଥରର ପରିସ୍ଥିତି ଆଉ ସେମିତି ନାହିଁ ବୋଲି ଏହି ଭୋଟର ଆମ ପ୍ରତିନିଧିଙ୍କୁ କହିଛନ୍ତି । ତାଙ୍କ ଉକ୍ତିକୁ ଅଧିକ ପ୍ରାଞ୍ଜଳ କରିବା ପାଇଁ ସେ କହିଥିଲେ ଯେ, କିଏ ‘ଗଧ’କୁ ଭୋଟ୍ ଦେବ ତ କିଏ ‘ବଗ’କୁ ଭୋଟ୍ ଦେବ । ‘ଗଧ’କୁ ବିଶ୍ଳେଷଣ କରି ସେ କହିଥିଲେ ଯେ, ‘ଗ’ ଅର୍ଥ କଂଗ୍ରେସର କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗଣେଶ୍ବର ବେହେରା । ସେହିଭଳି ‘ଧ’ ଅର୍ଥ କଂଗ୍ରେସର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ । ଅନ୍ୟପକ୍ଷରେ ‘ବଗ’କୁ ମଧ୍ୟ ସେ ବିଶ୍ଳେଷଣ କରିଥିଲେ । ‘ବଗ’ର ‘ବ’ ଅର୍ଥ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ‘ଗ’ ଅର୍ଥ କଂଗ୍ରେସର ବିଧାନସଭା ପ୍ରାର୍ଥୀ ଗଣେଶ୍ବର ବେହେରା । ଏମିତି ଆହୁରି ଅନେକ କୋଡ୍ ଓ୍ବାର୍ଡ ଏବେ କେନ୍ଦ୍ରାପଡାରେ ପ୍ରଚଳିତ ହୋଇଛି । ‘ବଗ’ କୋଡ୍ ଓ୍ବାର୍ଡରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଭୋଟର ବିଧାନସଭାରେ ଯାହାକୁ ଭୋଟ୍ ଦେବେ ଲୋକସଭାରେ ମଧ୍ୟ ସେହି ଦଳକୁ ଯେ ଭୋଟ୍ ମିଳିବ ତାହା ଭାବିବା ଭୁଲ୍ ।

କେନ୍ଦ୍ରାପଡା ଏବେ ଫୋକସ୍ ରେ ରହିଥିବାରୁ ଶାସକ ବିଜେଡି ଦଳର ବହୁ ହେବିଓ୍ବେଟ୍ ଏବେ ସେଠାରେ ଡେରା ପକାଇଛନ୍ତି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ୍ ସରିଥିବା ବିଭିନ୍ନ ଅଞ୍ଚଳର ତୁଙ୍ଗ ନେତାମାନେ କେନ୍ଦ୍ରାପଡାକୁ ଆମଦାନୀ ହୋଇଛନ୍ତି । ଗଞ୍ଜାମରୁ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି କଟକରୁ ସୁବାସ ସିଂ ଓ ପଶ୍ଚିମଓଡିଶାରୁ ନିରଞ୍ଜନ ପୂଜାରୀଙ୍କ ପର୍ଯ୍ୟନ୍ତ ବହୁ ନେତା ଅନୁଭବ ଓ ଶଶୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସେହିଭଳି ବିଜେପି ଓ କଂଗ୍ରେସର ମଧ୍ୟ ରଣନୀତି ରହିଛି । ବିଜେଡି ଯୋଜନା କରିଛି କେନ୍ଦ୍ରାପଡାର ପ୍ରତି ପଞ୍ଚାୟତ ଦାୟିତ୍ବରେ ଜଣେ ଜଣେ ବରିଷ୍ଠ ନେତା ରହିବେ । କେନ୍ଦ୍ରାପଡା ସହରର ପ୍ରବେଶ ସ୍ଥାନରେ ଥିବା ଦୁଇଟି ହୋଟେଲ ଗୌରୀଶଙ୍କର ଏବଂ ବିନାୟକ ପ୍ୟାଲେସ ଏବେ ସବୁ ଦଳର ମନ୍ତ୍ରଣା କକ୍ଷ ପାଲଟିଛି ।

   Related Posts