ମମିତା ହତ୍ୟା ମାମଲା: ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା ଗୋବିନ୍ଦ, ହେଲେ କଳାକାରନାମା ଖୋଲିଦେଲେ ମମିତା, ତାପରେ...

Published By : Prameya-News7 Bureau | October 21, 2021 IST

ବଲାଙ୍ଗୀର ୨୧/୧୦: ସନସାଇନ ପବ୍ଲିକ୍‌ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ଉପରୁ ପରଦା ହଟିଛି । ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିବା ପରେ ପୋଡି ପୋତି ଦେଇଥିଲା । ନିଜ ବ୍ୟଭିଚାର ଓ ପରକୀୟାର ପ୍ରମାଣକୁ ଲୁଚାଇବା ପାଇଁ ସେ ପାଲଟିଗଲା ହତ୍ୟାକାରୀ । ନିଜ ପାପ ସାମ୍ରାଜ୍ୟର ପ୍ରମାଣ ଲୁଚାଇବାକୁ ଯାଇ ଆଉ ଏକ ଜଘନ୍ୟ କାଣ୍ଡରେ ଫିସିଗଲା । କିନ୍ତୁ ଏହି ଘଟଣା ପରେ ଗୋବିନ୍ଦର ଅନେକ ଗହନ କଥା ସାମ୍ନାକୁ ଆସିବାରେ ଲାଗିଛି ।

ଏକା ଗୋବିନ୍ଦ ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା । ସନ୍‌ସାଇନ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ପଦ ପାଇଁ ତିନିଜଣଙ୍କ ମଧ୍ୟରେ ଚାଲିଥିଲା ଟଣାଓଟଣା । ମମିତା ଅଧ୍ୟକ୍ଷା ନହେଲେ ବି ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ମୁଣ୍ଡାଇଥିଲେ । କିନ୍ତୁ ତାଙ୍କୁ ପଦରୁ ହଟାଇ ନିଜେ ଅଧ୍ୟକ୍ଷା ହେବା ପାଇଁ ଆଉ ଦୁଇଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ । ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ । ମମିତାର ସମସ୍ତ ଦୋଷ ଦୁର୍ବଳତା ଗୋବିନ୍ଦକୁ ଜଣାଉଥିଲେ । ଏପରିକି ଲକଡାଉନ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା । ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କଳାକାରନାମା ସମ୍ପର୍କରେ କହିଥିଲେ, କିଛି ପ୍ରମାଣ ବି ଦେଖାଇଥିଲେ ।

ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନିଜଣଯାକ ମିଶିଯାଇଥିଲେ । ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ । ସେମାନେ ମିଳିତ ଭାବରେ ଏକ ଫେସବୁକ୍‌ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ ଦେଇଥିଲେ । ଗୋବିନ୍ଦ ଏସବୁ ଜାଣିବାପରେ ମାମଲାକୁ ଚତୁରତାର ସହିତ ହ୍ୟାଣ୍ଡେଲ କରିଥିଲା । ସହିତ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ବୁଝାଇବାରେ ସମର୍ଥ ହୋଇଥିବା ବେଳେ ମମିତାକୁ କିନ୍ତୁ ନିୟନ୍ତ୍ରଣକୁ ନେଇପାରିନଥିଲା । ଶେଷରେ ମମିତାଠାରୁ ବ୍ଲାକ୍‌ମେଲର ଶିକାର ହେବାପରେ ତାକୁ ରାସ୍ତାରୁ ହଟାଇ ଦେଇଥିବା ସେ ପୋଲିସ ଆଗରେ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.