ପୋତିଗଲାଣି ଟ୍ରେନଜ, ଛିଣ୍ଡି ତଳେ ପଡିଛି ସୋଲାର ଫେନ୍ସି ,ଝାଡ଼ଖଣ୍ଡ ହାତୀ ପାଇଁ ଚିନ୍ତାରେ ନୀଳଗିରି ରେଞ୍ଜବାସୀ

Published By : Prameya-News7 Bureau | November 15, 2020 IST

ନୀଳଗିରି,୧୫/୧୧: ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡ ହାତୀ ଆସିବାରେ ଲାଗିଛନ୍ତି। ହାତୀଙ୍କ ଦାଉରୁ ଗାଁ ଓ ଫସଲ ସୁରକ୍ଷା ପାଇଁ ସରକାରୀ ଯୋଜନାରେ ସୋଲାର ଫେନ୍ସି ଓ ଟ୍ରେନଜ ଖୋଳା ଯାଇଛି। କିନ୍ତୁ ଏହା ସବୁ ଅଚଳ ହୋଇ ପଡ଼ିଥିବାରୁ ଶତାଧିକ ହାତୀ ଏକତ୍ରିତ ହୋଇ ଆସିଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା କରାଯାଉଛି। ବାରମ୍ବାର ପ୍ରତିକାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବନବିଭାଗ ନାଭିରେ ତେଲ ମାରି ବସିଥିବା ଅଭିଯୋଗ ଉଠିଛି। ଆଜକୁ ୧୦ ବର୍ଷ ହେବ ଶତାଧିକ ଝାଡ଼ଖଣ୍ଡ ହାତୀ ଏହି ସମୟରେ ନୀଳଗିରି ଅଂଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଆସୁଛନ୍ତି।

ହାତୀ ମୁକାବିଲା ପାଇଁ ଗୋପାଳପୁର, ଜଡ଼ିବାଲି, ହାତୀମୁଣ୍ଡା, ବଣଭୁଇଁ, ତେରଲଡ଼ିହି, ବୁଡୁସାହି,ନରଣପୁର, ସାତରାଣ୍ଡ, କୁଞ୍ଚିବଣିଆ, ବୈଷ୍ଣବବନ୍ଧ ଦଲକୀ ଅଂଚଳରେ ସୋଲାର ଫେନ୍ସି କରାଯାଇଛି। ଏପରିକି ବହୁ ଅଂଚଳରେ ଖୋଳା ଯାଇଥିବା ଟ୍ରେନଜ ମଧ୍ୟ ପୋତିଯାଇଛି। ଏବେ ୪୦ ରୁ ଅଧିକ ଯୋଗଳ ଅଂଚଳରୁ ଜାତୀୟ ରାଜପଥ ପାର ହୋଇ ନଡ଼ପୁର ସଂରକ୍ଷିତ ଜଙ୍ଗଲରେ ପହଂଚିବାର ସମ୍ଭାବନା ରହିଛି। ସେହିପରି ଓଡିଶା ସୀମାନ୍ତରେ ଘୁରିବୁଲୁଥିବା ଗୋଟିଏ ୬୦ ଟିକିଆ ହାତୀପଲ ଆଜି ରାତିରେ ଗୋବିନ୍ଦପୁର ପାର ହୋଇ ଦେଉଳି ରେଞ୍ଜ ରେ ପହଂଚିବାର ସମ୍ଭାବନା ରହିଛି।

୪୦ ଟିକିଆ ହାତୀପଲ ପ୍ରଥମେ ନୀଳଗିରି ରେଞ୍ଜକୁ ଦିନେ ଦୁଇଦିନ ଭିତରେ ପଶିବାର ସମ୍ଭାବନା ଥିବା ବେଳେ ତା ପଛକୁ ଥିବା ହାତୀପଲ କିଛିଦିନ ପରେ ପହଁଞ୍ଚିବେ। ହାତୀପଲ ଆସିବା ସୁନିଶ୍ଚିତ ଜାଣି ଚାଷୀମାନେ ଧାନ ଫସଲ କାଟିନେଉଛନ୍ତି। କେହିକେହି କଞ୍ଚାଧାନ ମଧ୍ୟ କାଟିନେଉଥିବା ଦେଖାଯାଇଛି। ତେବେ ଏବେ ଅଞ୍ଚଳବାସୀଙ୍କ ଚିନ୍ତା ଘାରିଛି ହାତୀ ଉପଦ୍ରବକୁ ନେଇ।

ଫସଲ ଓ ଗାଁ ସୁରକ୍ଷା ପାଇଁ ପୂର୍ବରୁ ସୋଲାର ଫେନ୍ସି ଓ ଟ୍ରେନଜ ହାତୀ ଉପଦ୍ରଵ ପାଇଁ ବନବିଭାଗକୁ ସହଜ ହେବା ସହ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁଥିଲେ। ହେଲେ ଚଳିତବର୍ଷ ଅର୍ଥ ମଞ୍ଜୁର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ନୀଳଗିରି ବନବିଭାଗ ନାଭିରେ ତେଲ ଦେଇ ବସିଥିବା ଅଭିଯୋଗ ଉଠିଛି। ହାତୀ ପାଇଁ କୌଣସି ଅଘଟଣ ଘଟିଲେ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ଜରୁରୀକାଳୀନ ପରିସ୍ଥିତିରେ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.