ପାର୍ବଣ ପାଇଁ ପାରମ୍ପରିକ ପ୍ରସ୍ତୁତି, ଆରମ୍ଭ ହେଲା ଷୋଳପୂଜା

Published By : Prameya-News7 Bureau | September 22, 2019 IST

ଭୁବନେଶ୍ୱର/କଟକ/ପୁରୀ/ଜଗତସିଂହପୁର- ଆସିଛି ପାର୍ବଣର ଋତୁ । ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ । ଆରମ୍ଭ ହୋଇଛି ମାଆଙ୍କର ଷୋଡଶ ଉପଚାର ପୂଜା। ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀରେ ମାଆଙ୍କୁ ନିଦରୁ ଉଠାଯାଇ ଶହସ୍ର କୁମ୍ଭାଭିଷେକ କରାଯାଇଛି । ଆଜିଠାରୁ ଦେବୀ ପୀଠଗୁଡ଼ିକରେ ମାଆଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ। ସେପଟେ ଗଜପତିଙ୍କ ଶ୍ରୀନହରରେ ଶେଷ ହୋଇଛି ଆଚାର୍ଯ୍ୟ ବରଣ ।

{"id":161144}

ପାର୍ବଣ ପାଇଁ ପାରମ୍ପରିକ ପ୍ରସ୍ତୁତି । ମୂଳାଷ୍ଟମୀରେ ଗଜପତିଙ୍କ ଶ୍ରୀନହରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି। ରାଜଗୁରୁ ପ୍ରତି ପୀଠ ପାଇଁ ୨୬ ଜଣ ଲେଖାଏଁ ବ୍ରାହ୍ମଣ ଏବଂ ବିମଳାଙ୍କ ପୀଠ ପାଇଁ ୧୦ ଜଣ ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରି ବରଣ କରିଛନ୍ତି । ଶୋତ୍ତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଶ୍ରୀକ୍ଷେତ୍ରର କ୍ଷେତ୍ରଶ୍ବରୀ ମାଆ ବିମଳାଙ୍କ ପୀଠରେ ଶୋଡ଼ଷ ପୂଜାବିଧି ଆରମ୍ଭ ହୋଇଛି ।ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ବରୀ, ବଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣ କାଳୀ, ଆଲାମଚଣ୍ଡି ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ କରାଯାଇଛି।

{"id":161145}

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଗତକାଲିଠାରୁ ଶାରଦୀୟ ପୂଜା ଆରମ୍ଭ ହୋଇଛି ।ମନ୍ଦିର ଗର୍ଭ ଗୃହରୁ ଏକ ଶୋଭାଯାତ୍ରା ଯାଇ ବ୍ରହ୍ମାକୁଣ୍ଡରେ ପହଂଚିଥିଲେ । ସେଠାରେ ମୁଖ୍ୟ ପୂଜକ ସ୍ନାନ, ତର୍ପଣ, ସଂକଳ୍ପ ସାରିବା ପରେ ଜଳ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।ସେହିପରି ବୈତରଣୀ ଜଳରେ ବିରଜାଙ୍କ ମହାସ୍ନାନ କରାଯାଇ ବଡସିଂହାର ବେଶ ଓ ଷୋଡଶୋପଚାର ପୂଜା ଆରମ୍ଭ ହୋଇଛି ।

{"id":161146}

ମା ଶାରଳାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଳପୂଜା । ମନ୍ଦିର ଭିତରେ ସମାର୍ଜନୀ କଳସ ବସିବା ସହ ବ୍ରାହ୍ମଣମାନଙ୍କ ଦ୍ବାରା ଶୋଡଷ ଉପଚାର ପୂଜା କରାଯାଇଛି । ଏଠାରେ ପ୍ରତିଦିନ ମଧ୍ୟ ରାତ୍ରୀରେ ମାଆଙ୍କୁ ସୁନା ବେଶ କରାଯିବା ସହ ଅଷ୍ଟମୀ ନବମୀ ଓ ହଶହରା ତିନି ଦିନ ମହିଷା ମର୍ଦ୍ଦିନୀ ବେଶରେ ସୁସଜିତ କରାଯିବ। ପ୍ରତିଦିନ ସକାଳେ ପାଲିଙ୍କିରେ ମାଙ୍କୁ ବସାଯାଇ ବିଭିନ୍ନ ସ୍ଥାନ ପରିକ୍ରମା କରାଯିବା ସହ ପିଠା ପଣା ଲାଗି କରାଯାଇଥାଏ । ଏଠି ବଳୀପ୍ରଥା ପରିବର୍ତ୍ତେ ୧୦୮ ହାଣ୍ଡି ପଣା ଭୋଗ ଲାଗି ହୋଇଥାଏ ।…

{"id":161147}

ଏପଟେ କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ ଓ ଝାଞିରୀମଙ୍ଗଳା ଆଦି ଦେବୀ ପୀଠରେ କୁମ୍ଭାଭିଷେକ କରାଯାଇ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । କଟକ ଚଣ୍ଡୀଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥିବା ବେଳେ, ଗଡ ଚଣ୍ଡୀଙ୍କର ଚାନ୍ଦୀ ବେଶ୍ ଅନୁଷ୍ଠିତ ହୋଇଛି । ଏଥର ଚଣ୍ଡୀ ମନ୍ଦିରରେ ଫୁଲର ସାଜସଜା ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରୁଛି ।

ପବିତ୍ର ମୂଳାଷ୍ଟମୀରେ ବଡ଼ମ୍ବାର ଆରାଧ୍ୟ ଦେବୀ ମା ଭଟ୍ଟାରିକାଙ୍କର ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଳ ପୂଜା। ଆଜି ଠାକୁରାଣୀଙ୍କ ଘଟକୁ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଥିଲା। ମହାଷ୍ଟମୀ ଓ ମହାନବମୀର ସନ୍ଧି କ୍ଷଣରେ ମାଆଙ୍କର ସ୍ଵତନ୍ତ୍ର ପୂଜା ହୋଇଥାଏ ।

ମାଆ ଚାର୍ଚ୍ଚିକାଙ୍କ ପୀଠରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ଆଜିଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ପୂଜା ଦଶହରାରେ ଶେଷହେବ । ପ୍ରତି ଦିନ ମାଆ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.