ଧୋନୀ କ'ଣ ? ସୋଏବ ଅଖତାରଙ୍କ ଉତ୍ତର ବି ଏମିତି ହୋଇପାରେ....? ପ୍ରଶଂସକଙ୍କ ପ୍ରଶଂସା ହିସାବ କରି ହେବନି

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ, ୦୪/୦୧ :   ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର ଭାରତୀୟ ଦଳ ଓ ଖେଳାଳିଙ୍କୁ ନେଇ ନିଜର ସ୍ପଷ୍ଟ ମତ ରଖିଥାନ୍ତି । ଟ୍ୱିଟରରେ ସୋଏବ ଅନେକ ପ୍ରସଙ୍ଗରେ ନିଜର ମତ ରଖିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ସମୟରେ ସେ ଭାରତୀୟ ଦଳର କିଛି ମହାନ କ୍ରିକେଟରଙ୍କ ବାବଦରେ ନିଜର ମତ ରଖିଥିଲେ । ପାକିସ୍ତାନର ଜଣେ ପ୍ରଶଂସକ ସୋଏବଙ୍କୁ ଧୋନୀଙ୍କ ବାବଦରେ ପଚାରିଥିଲେ । ଏହାର ଉତ୍ତରରେ ଏପରି କିଛି କହିଥିଲେ ଅଖତାର ଯାହା ସମସ୍ତଙ୍କ ମନକୁ ଛୁଇଁଛି ।

ସୋଏବଙ୍କୁ ଧୋନୀଙ୍କ ବାବଦରେ ଆପଣ କଣ କହିବେ ବୋଲି ଜଣେ ଟ୍ୱିଟର ୟୁଜର ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସୋଏବ କହିଥିଲେ ଯେ, ଏହା ଗୋଟିଏ ଯୁଗର ନାଁ । ଧୋନୀଙ୍କୁ ସର୍ବଶ୍ରେଷ୍ଠ ଓ୍ୱିକେଟ୍ କିପର୍ ଓ ଅଧିନାୟକ କୁହାଯାଏ । ଭାରତୀୟ ଦଳକୁ ସେ ଅନେକ ଟ୍ରଫି ପ୍ରଦାନ କରିଛନ୍ତି । ସେ ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ । ଧୋନୀ ଦଳ ପାଇଁ ୨୦୦୪ରୁ ୨୦୧୯ ମଧ୍ୟରେ ଖେଳିଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କରିଥିଲେ ।

ଧୋନୀ ବିଶ୍ୱର ଏକ ମାତ୍ର ଅଧିନାୟକ ଯାହାଙ୍କ ନେତୃତ୍ୱରେ ଦଳ ତିନୋଟି ଆଇସିସି ଟ୍ରଫି ଜିତିଛି । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ତାଙ୍କ ନେତୃତ୍ୱରେ ଦଳ ଟେଷ୍ଟ ରାଙ୍କିଂରେ ନମ୍ବର ୧ ହୋଇଥିଲା । ସେ ୨୦୧୯ ଜୁଲାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।

ସେ ଦିନିକିଆ କ୍ରିକେଟରେ ୫୦.୫୬ ଆଭରେଜରେ ୧୦୭୭୩ ରନ୍ କରିଛନ୍ତି । ଏହାବ୍ୟତୀତ ଟେଷ୍ଟରେ ୪୮୭୬ ରନ୍ ଓ ୧୬୧୭ ଟି୨୦ ରନ୍ କରିଛନ୍ତି । ଏହାସହ ୧୬ଟି ଶତକ ଓ ୧୦୮ଟି ଅର୍ଦ୍ଧଶତକ ମଧ୍ୟ ଲଗାଇଛନ୍ତି ମାହି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.