ସ୍ୱିଜରଲ୍ୟାଣ୍ଡ ନିଶା ପାର କରାଇଲା ସୀମା: ୪ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳି ସ୍ବଦେଶ ଫେରିଲେ ହାଇଦ୍ରାବାଦର ସଫ୍ଟୱେୟାର ଇଞ୍ଜିନିୟର

Published By : Prameya-News7 Bureau | June 02, 2021 IST

ହାଇଦ୍ରାବାଦ ୦୨/୦୬ : ଗତ ୪ ବର୍ଷ ହେଲା ପାକିସ୍ତାନ ଜେଲରେ ବନ୍ଦୀ ଥିବା ହାଇଦ୍ରାବାଦର ସଫ୍ଟୱେୟାର ଇଞ୍ଜିନିୟର ସ୍ବଦେଶ ଫେରିଛନ୍ତି । ତେଲେଙ୍ଗାନା ଓ ଭାରତ ସରକାରଙ୍କ ସାହାଯ୍ୟରେ ସେ ବୁଧବାର ଦିନ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ମଙ୍ଗଳବାର ଦିନ ପାକିସ୍ତାନ ତାଙ୍କୁ ଅଟାରି ବର୍ଡ଼ର ନିକଟରେ ଥିବା ସାଇବରାବାଦ ମାଧାପୁର ପୋଲିସକୁ ହସ୍ତାନ୍ତର କରିଥିଲା ।
ହାଇଦ୍ରାବାଦର ସଫ୍ଟୱେୟାର ଇଞ୍ଜିନିୟର ପ୍ରଶାନ୍ତ ୨୦୧୭, ଏପ୍ରିଲ ୧୧ ତାରିଖରେ ନିଖୋଜ ହୋଇଯାଇଥିଲେ । ଅନେକ ଦିନ ଖୋଜାଖୋଜି କରିବା ପରେ ପରିବାର ଲୋକେ ୨୦୧୭ ଏପ୍ରିଲ ୨୯ ତାରିଖରେ ମାଧାପୁର ପୋଲିସ ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ । ମାଧାପୁର ପୋଲିସ ମଧ୍ୟ ବହୁତ ଖୋଜାଖୋଜି କରିଥିଲା । କିନ୍ତୁ ପ୍ରଶାନ୍ତଙ୍କୁ ଖୋଜିବାରେ ସଫଳ ହୋଇନଥିଲା ।
ହଠାତ ଦିନେ ତାଙ୍କ ପରିବାର ଲୋକଙ୍କୁ ଖବର ମିଳିଲା ଯେ ପ୍ରଶାନ୍ତ ପାକିସ୍ତାନରେ ଫସି ଯାଇଛନ୍ତି ଓ ପୋଲିସ କଷ୍ଟଡିରେ ଅଛନ୍ତି । ଏହି ଖବର ଶୁଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଶାନ୍ତ କିଭଳି ପାକିସ୍ତାନରେ ପହଞ୍ଚିଲେ ଘର ଲୋକ କିଛି ଭାବି ପାରିନଥିଲେ । ପ୍ରଶାନ୍ତ ବେଆଇନ ତରିକାରେ ଭାରତ-ପାକିସ୍ତାନ ସୀମା ପାର କରିଥିଲେ ।

wp:gallery {"ids":[460492],"linkTo":"none"} /wp:gallery


ଏହି ଖବର ପାଇବା ପରେ ପ୍ରଶାନ୍ତଙ୍କ ଘରଲୋକ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ସାଇବରାବାଦ ପୋଲିସ କମିଶନର, ତେଲେଙ୍ଗାନା ସରକାର ଓ ଭାରତ ସରକାରଙ୍କୁ ସାହାଯ୍ୟ ମାଗିଥିଲେ । ତେଲେଙ୍ଗାନା ସରକାର, ବିଦେଶ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଭାରତ ସରକାର ପ୍ରଶାନ୍ତଙ୍କୁ ଭାରତକୁ ଫେରାଇ ଆଣିବାକୁ ଲଗାତାର ଚେଷ୍ଟା କରିଥିଲେ । ଏହାପରେ ମେ' ୩୧ ତାରିଖରେ ପାକିସ୍ତାନ ପ୍ରଶାନ୍ତଙ୍କୁ ମୁକ୍ତ କରିଥିଲା ଓ ଅଟାରି ବର୍ଡ଼ରରେ ମାଧାପୁର ପୋଲିସକୁ ହସ୍ତାନ୍ତର କରିଥିଲା ।
ସାଇବରାବାଦ ପୋଲିସ ଅନୁଯାୟୀ, ପ୍ରଶାନ୍ତ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ସେ କୌଣସି ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱିଜରଲ୍ୟାଣ୍ଡ ଯିବାକୁ ଚାହୁଁଥିଲେ । କିନ୍ତୁ ଏଥିପାଇଁ ତାଙ୍କ ପାଖରେ ଆବଶ୍ୟକ ମୁତାବକ ଟଙ୍କା ନଥିଲା । ସେଥିପାଇଁ ସେ ଯେକୌଣସି ପ୍ରକାରେ ଚାଲି ଚାଲି ହେଉ ପଛେ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିବାକୁ ଚାହୁଁଥିଲେ । ନିଜ ଯୋଜନା ଅନୁଯାୟୀ ପ୍ରଶାନ୍ତ ଏପ୍ରିଲ ୧୧ ତାରିଖରେ ଟ୍ରେନ ଯୋଗେ ରାଜସ୍ଥାନ ବିକାନେରରେ ପହଞ୍ଚିଥିଲେ । ଭାରତ-ପାକିସ୍ତାନ ସୀମାକୁ ଯାଇ ତାର ବାଡ ଡେଇଁ ପାକିସ୍ତାନରେ ପ୍ରବେଶ କରିଥିଲେ । ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିବା ଅଭିଯୋଗରେ ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଥିଲା । ୪ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ସେ ନିଜ ଦେଶକୁ ଫେରିଛନ୍ତି ।

wp:gallery {"ids":[460494],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.