ସମାଜସେବୀ କାଳି ପ୍ରସାଦ ସାମନ୍ତରାୟଙ୍କ ପରଲୋକ
Published By : Prameya-News7 Bureau | August 19, 2018 IST
ଭୁବନେଶ୍ୱର ୧୯/୮ : ସମାଜସେବୀ କାଳି ପ୍ରସାଦ ସାମନ୍ତରାୟଙ୍କ ୫୫ ବର୍ଷ ବୟସରେ ଦେହାନ୍ତ । ସେ ଅନେକ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ମୁମ୍ବାଇସ୍ଥିତ ଟାଟା ମୋମେରିଆ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଷଢେଇକଳା ଓ ଖରସୁଆ ଅଞ୍ଚଳରେ ଥିବା ଓଡିଆ ଲୋକଙ୍କ ପାଇଁ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ବହୁ ଅବଦାନ ଥିଲା। ସେଠାକାର ଲୋକମାନେ କିଭଳି ଓଡିଆ ଭାଷାକୁ ବଞ୍ଚାଇ ରଖିବେ, ସେଠାରେ କିଭଳି ଓଡିଆ ସ୍କୁଲ ପ୍ରତିଷ୍ଠା ହେବ ଏବଂ ଓଡିଆ ପୁସ୍ତକ ସେମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ ଅନେକ କାର୍ଯ୍ୟକ୍ରମ ଜାରି ରଖିଥିଲେ । ପ୍ରତିବର୍ଷ ଓଡିଶାରୁ କିଛି ଲୋକଙ୍କୁ ନେଇ ସେଠାକାର ଓଡିଆ ଲୋକଙ୍କ ସହ ପରିଚିତ କରାଇବା ଏବଂ ସେଠାରୁ ଓଡିଆ ଲୋକଙ୍କୁ ଆଣି ଏଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ପରିଚୟ କରାଇବା ସହ ସେମାନଙ୍କ ବିକାଶ ପାଇଁ ଆଲୋଚନା କରୁଥିଲେ । ସେ ବିଜୁ ପଟ୍ଟନାୟକ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା । ତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।