ଟିକା ନେବା ପରେ ଆଶା କର୍ମୀଙ୍କ ମୃତ୍ୟୁ, ୪ ଦିନ ପୂର୍ବରୁ ନେଇଥିଲେ କରୋନା ଭ୍ୟାକସିନ୍

Published By : Prameya-News7 Bureau | January 24, 2021 IST

ଗୁଣ୍ଟୁର ୨୪/୦୧ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ରବିବାର ଜଣେ ଆଶା କର୍ମୀଙ୍କର ମୃତ୍ୟୁ ଘଟିଛି । ଭ୍ୟାକସିନ୍‌ ନେବାର ୪ ଦିନ ପରେ ସଂପୃକ୍ତ ସ୍ବାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କିନ୍ତୁ ଡାକ୍ତରଙ୍କ କହିବା କଥା ଯେ, ବ୍ରେନ୍‌ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଆଶା କର୍ମୀ ହେଉଛନ୍ତି ଗୁଣ୍ଟୁର ଜିଲ୍ଲା ସୁନର୍‌ ଅଞ୍ଚଳର ବିଜୟ ଲକ୍ଷ୍ମୀ (୪୨) ।

ସୂଚନା ଅନୁସାରେ, ଗତ ୧୯ ତାରିଖରେ ତାଙ୍କୁ କରୋନା ଭ୍ୟାକସିନ୍‌ ଦିଆଯାଇଥିଲା । ଭ୍ୟାକସିନ୍‌ ନେବା ପରେ ପରେ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ଜାନୁୟାରୀ ୨୧ରେ ଅଚାନକ୍‌ ବେହୋସ୍‌ ହୋଇଯିବାରୁ ତାଙ୍କୁ ଗୁଣ୍ଟୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରବିବାର ବିଜୟ ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ତେବେ ବିଜୟ ଲକ୍ଷ୍ମୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଭ୍ୟାକସିନ୍‌ ନେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଟିକାକରଣ ବନ୍ଦ କରିବାକୁ ଦାବି କରିଥିଲେ ପରିବାର ଲୋକେ । ଜିଲ୍ଲାପାଳ ସାମୁଏଲ ଆନନ୍ଦ କୁମାର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହା ସହିତ ବିଜୟ ଲକ୍ଷ୍ମୀଙ୍କ ପୁଅକୁ ଚାକିରି ଦେବା ସହ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

କରୋନା ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଛି । ବର୍ତ୍ତମାନ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଭ୍ୟାକସିନ୍‌ ଦିଆଯାଉଛି । ଦେଶରେ ପ୍ରାୟ ୧୫ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ ଶେଷ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.