ଲକଡାଉନରେ ବୁଲି ବୁଲି ଗରିବ ଏବଂ ଅସହାୟଙ୍କ କେଶ କାଟୁଛନ୍ତି ରବୀନ୍ଦ୍ର : 'ସୋସିଆଲ ବାର୍ବର'ଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା

Published By : Prameya-News7 Bureau | June 01, 2021 IST

ମୁମ୍ବାଇ ୦୬/ ୦୧ : ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ତାଲା ବନ୍ଦ ବା ଲକଡାଉନ୍‌ । ଏହି ସମୟରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଅନେକ ସହୃଦୟ ବ୍ୟକ୍ତି । ଗରିବ ତଥା ଅସହାୟଙ୍କୁ ଖାଦ୍ୟ ପାନୀୟ ଦେବା ସହିତ ପିନ୍ଧିବା ପାଇଁ ବସ୍ତ୍ରର ମଧ୍ୟ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଏହି ଏକଡାଉନ ସମୟରେ ଗରିବ ତଥା ଅସହାୟଙ୍କୁ ନିଆରା ଭଙ୍ଗିରେ ସାହାଯ୍ୟ କରୁଛନ୍ତି ରବୀନ୍ଦ୍ର ବିରାରୀ । ପେଶାରେ ରବୀନ୍ଦ୍ର ଜଣେ ବାରିକ । ଏବେ ବୁଲି ବୁଲି ଗରିବ ଲୋକଙ୍କ ବାଳ କାଟିବା ତାଙ୍କର ନିଶା ହୋଇଯାଇଛି । ମୁମ୍ବାଇର ବିଭିନ୍ନ ସ୍ଥାନ ବୁଲି ଗରିବ ତଥା ଅସହାୟ ଛୋଟ ବଡ ସମସ୍ତଙ୍କର ବାଳ କାଟୁଛନ୍ତି ରବୀନ୍ଦ୍ର । ଏଥିପାଇଁ କାହାଠାରୁ ଟଙ୍କାଟିଏ ବି ନେଉନାହାନ୍ତି ।

ରବୀନ୍ଦ୍ରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ଏବେ ବେଶ ଚର୍ଚ୍ଚାରେ । ସାମାଜିକ ଗଣମାଧ୍ୟମରେ ସେ ଏବେ ସୋସିଆଲ ବାର୍ବର ଭାବେ ବେଶ ପରିଚିତ ହୋଇଯାଇଛନ୍ତି । ମୁମ୍ବାଇର ବିଭିନ୍ନ ସ୍ଥାନରେ ଏବେ ଭିକାରୀମାନେ ବୁଲୁଛନ୍ତି । ସବୁ ବନ୍ଦ ଥିବାରୁ ସେମାନଙ୍କ ବାଳ ମଧ୍ୟ ବଡ ହୋଇଯାଇଛି ଏବଂ କିଛି ଭିକାରୀଙ୍କୁ ଚର୍ମ ରୋଗ ମଧ୍ୟ ହେଉଛି । ରବୀନ୍ଦ୍ର ସେମାନଙ୍କୁ ଖୋଜିବା ସହିତ ତାଙ୍କ ବାଳ କାଟୁଛନ୍ତି ଏବଂ ସେମାନଙ୍କୁ ସଫାସୁତରା କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରବୀନ୍ଦ୍ରଙ୍କୁ ବେଶ ପ୍ରଶଂସା କରାଯାଉଛି ।
ମୁମ୍ବାଇରେ ତାଲା ବନ୍ଦ ସମୟରେ ଏହି ସୋସିଆଲ ବାର୍ବରଙ୍କ ନିକଟକୁ ହଜାର ହଜାର ଫୋନ କଲ ମଧ୍ୟ ଆସୁଛି । ଏପରିକି ଫୋନ ଉଠାଇ ଉଠାଇ ସେ ବିରକ୍ତ ମଧ୍ୟ ହୋଇଯାଉଛନ୍ତି । ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଅଭାବୀ ଲୋକମାନଙ୍କର କେଶ କାଟନ୍ତି। ରବିନ୍ଦ୍ର କହିଛନ୍ତି ଯେ ଅନେକ ଥର ଯେତେବେଳେ ସେ କିଛି ମାନସିକ ରୋଗୀଙ୍କ କେଶ କାଟିବାକୁ ଯାଇଛନ୍ତି, ସେତେବେଳେ ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଥିଲା। ଲୋକମାନେ ତାଙ୍କ କାମକୁ ପରିହାସ ମଧ୍ୟ କରନ୍ତି କିନ୍ତୁ ସେ ଏହାକୁ ଖାତିର ନକରି ଲୋକଙ୍କ ସେବା କରନ୍ତି ।
ସବୁଠାରୁ ବଡ କଥା ହେୁଛି ରବିନ୍ଦ୍ର ତାଙ୍କ ଦୋକାନରେ ଏକ ଛୋଟ ଲାଇବ୍ରେରୀ ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁଠାରେ ଲୋକମାନେ କେଶ କାଟିବା ପାଇଁ ଆସନ୍ତି ଏବଂ ବସିବାକୁ ପଡେ, ସେମାନେ କିଛି ବହି ବାହାର କରି ପଢନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.