ଚାଷୀଙ୍କୁ ସମର୍ଥନ କରି ଅନଶନରେ ବସିଲେ ସମାଜସେବୀ ଆନ୍ନା ହଜାରେ, କହିଲେ- ସାରା ଦେଶରେ ଚାଲୁ ଆନ୍ଦୋଳନ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ସାରା ଦେଶରେ କୃଷି ବିଲକୁ ନେଇ ଚାଷୀମାନେ ଭାରତ ବନ୍ଦ କରିଛନ୍ତି । ଚାଷୀଙ୍କୁ ଅନେକ ରାଜନୈତିକ ଦଳମାନଙ୍କର ସମର୍ଥନ ମଧ୍ୟ ମିଳିଛି । ତେବେ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଚାଷୀଙ୍କ ସମର୍ଥନରେ ନିଜକୁ ସାମିଲ କରିଛନ୍ତି । ଚାଷୀଙ୍କ ସମର୍ଥନରେ ସେ ମଙ୍ଗଳବାର ଦିନିକିଆ ଅନଶନରେ ବସିଛନ୍ତି ।

ଦିଲ୍ଲୀରେ ଚାଷୀମାନେ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି ତାହାକୁ ଦେଶବ୍ୟାପି ଚଲାଇବାକୁ ଆନ୍ନା ହଜାରେ ଦେଶର ଜନସାଧାରଣଙ୍କୁ ଅପିଲ କରିଛନ୍ତି । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏପରି ସ୍ଥିତି ଜାରି ରହିବା ଦରକାର ବୋଲି ସେ କହିଛନ୍ତି । କିନ୍ତୁ ଚାଷୀମାନେ କୌଣସି ପ୍ରକାରର ହିଂସା ସୃଷ୍ଟି ନକରିବା ପାଇଁ ଆନ୍ନା ହଜାରେ ଅନୁରୋଧ କରିଛନ୍ତି ।

ସମାଜସେବୀ ଆନ୍ନା ହଜାରେ ଚାଷୀଙ୍କୁ ସମର୍ଥନ କରି ମହାରାଷ୍ଟ୍ର ଅହମ୍ମଦନଗରର ରାଲେଗଣ ସିଦ୍ଧି ଗାଁରେ ଏକ ଦିନିକିଆ ଧାରଣାରେ ବସିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଚାଷୀଙ୍କୁ ସମର୍ଥନ କରୁଥିଲି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରି ରହିବ । ଏକ ଭିଡିଓ ଭାର୍ତ୍ତାରେ ଏହି ସନ୍ଦେଶ ଦେଇଛନ୍ତି ଆନ୍ନା ହଜାରେ ।

କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) କୁ ସ୍ବାଧୀନତା ଦେବା ପାଇଁ ଏମଏସ୍ ସ୍ବାମୀନାଥନ୍ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ହଜାରେ କହିଛନ୍ତି । କୃଷି ମୂଲ୍ୟ ଏବଂ ମୂଲ୍ୟ ଆୟୋଗ (CACP) କୁ ସ୍ବାଧୀନତା ନମିଳିଲେ ଆଗାମୀ ଦିନର ଆନ୍ଦୋଳନ ହେବ ବୋଲି ଆନ୍ନା ହଜାରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.