ସୋଆ ଛାତ୍ରଛାତ୍ରୀଙ୍କ ସାମାଜିକ ଦାୟିତ୍ବବୋଧର ପ୍ରତୀକ ‘ଜାଗୋ’

Published By : Prameya-News7 Bureau | September 08, 2018 IST

ଭୁବନେଶ୍ବର ୮/୯: ବସ୍ତିର କୁନି କୁନି ପିଲା କିଭଳି ପାଠ ପଢ଼ାରେ ଉନ୍ନତି କରିବେ, ପାଠପଢ଼ା ସହିତ ଅନ୍ୟାନ୍ୟ କାର୍ଯ୍ୟରେ କିଭଳି ନିଜକୁ ଆଗକୁ ନେଇପାରିବେ,ସେହି ଅଭିଯାନରେ ସାମିଲ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ଡ୍ରିମଡ୍ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ। ସୋଆା ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳର ୭/୮ଟି ବସ୍ତିର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସଙ୍ଗୀତ ଓ ନୃତ୍ୟ ଭଳି କଳା ମଧ୍ୟ ଶିଖାଇବାର କାର୍ଯ୍ୟ ହାତକୁ ନେଇଛନ୍ତି। ‘ଜାଗୋ’ ନାମକ ପ୍ଲାଟଫର୍ମ ମାଧ୍ୟମରେ ଏଭଳି ସାମାଜିକ କାର୍ଯ୍ୟକୁ ହାତକୁ ନେଇଛନ୍ତି ସୋଆର ଛାତ୍ରଛାତ୍ରୀ। ଜାଗୋ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସହିତ ପରିଚିତ ହେବା ନିମନ୍ତେ ନୂତନଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶୁକ୍ରବାର ଆଇଟିଇଆର୍ ପରିସରରେ ଏକ ବିଶେଷ ଅନୁଷ୍ଠାନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆର ଉପ ସଭାପତି ଶ୍ରୀମତି ଶାଶ୍ବତୀ ଦାସ ଏହାକୁ ଏକ ମହତ କାର୍ଯ୍ୟକ୍ରମ ଭାବେ ଅଭିହିତ କରି ‘ଜାଗୋ’ ସଦସ୍ୟମାନେ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଏହି ମହତ କାର୍ଯ୍ୟ ଦ୍ବାରା ସମାଜର ଅନେକ ଉନ୍ନତି ହେଉଛି ବୋଲି ଶ୍ରୀମତି ଦାସ କହିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଆଇଟିଆରର ଡିନ୍ ପ୍ରଫେସର୍ ପି.କେ. ସାହୁ କହିଥିଲେ ଯେ ‘ଜାଗୋ’ର ସ୍ବତନ୍ତ୍ରତା ରହିଛି ଓ ଏହାଦ୍ବାରା ବସ୍ତିର ପିଲାମାନେ ଅଧିକ ପ୍ରଶିକ୍ଷିତ ହେଉଛନ୍ତି। ଏହି ଅବସରରେ ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର୍ ଜ୍ୟୋତି ରଞ୍ଜନ ଦାସ ‘ଜାଗୋ’ ଏକ ଅଭିଯାନ ବୋଲି କହିଥିଲେ। ‘ଜାଗୋ’ ସମ୍ପର୍କରେ ସୂଚନା ଦେଇ ଏହାର ସଂଯୋଜିକା ପ୍ରଫେସର୍ ଅନିତା ପଣ୍ଡା କହିଥିଲେ ଯେ ଏହି କାର୍ଯ୍ୟରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହେବାର ଆବଶ୍ୟକତା ଅଛି। ୨୦୦୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସାରିଛନ୍ତି। ପାଖାପାଖି ବସ୍ତିର ପିଲାମାନଙ୍କୁ ବସ୍ ଯୋଗେ ଆଇଟିଆର୍ କ୍ୟାମ୍ପସକୁ ଅଣାଯାଇ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ପାଠପଢ଼ା ଦେବା ସହ ନୃତ୍ୟ ଓ ଗୀତ ମଧ୍ୟ ଶିକ୍ଷା ଦିଆଯାଇଥାଏ। ଏହା ସହିତ ସେମାନଙ୍କୁ ଖାଦ୍ୟ ମଧ୍ୟ ଦିଆଯାଇଥାଏ। ବର୍ତ୍ତମାନ ୭୦ଜଣ ବସ୍ତିପିଲା ଏଠାରେ ପାଠ ପଢ଼ୁଛନ୍ତି। ଏମାନଙ୍କ ପାଠ ପଢ଼ାଇବାର ଦାୟିତ୍ବ ନେଇଛନ୍ତି ‘ଜାଗୋ’ର ସଦସ୍ୟମାନେ। କେବଳ ପାଠପଢ଼ା ନୁହେଁ ସ୍ଥାନୀୟ ବସ୍ତିରେ ପରିଛ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗରେ ଶିକାର ହେଉଥିବା ଲୋକମାନଙ୍କର ସେବା ଶୁଶ୍ରୃଷା ମଧ୍ୟ ‘ଜାଗୋ’ ସଦସ୍ୟମାନେ କରିଛନ୍ତି। ବସ୍ତିର କୁନିକୁନି ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୋଆ ଛାତ୍ରଛାତ୍ରୀମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଅଫ୍ ବେସିକ୍ ସାଇନସ୍ ଏଣ୍ଡ ହ୍ୟୁମାନିଟିଜର ଆସୋସିଏଟ ଡିନ୍ ପ୍ରଫେସର୍ ମୀରା ଦାସ, ଆସୋସିଏଟ୍ ପ୍ରଫେସର୍ ପ୍ରିୟବ୍ରତ ପଟ୍ଟନାୟକ,ପ୍ରଫେସର୍ ସ୍ବୟଂପ୍ରଭା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ସୋଆର ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.