କ୍ୟାନ୍ସର ଚିକିତ୍ସା ପାଇଁ ସୋଆ ଓ ରୋଟାରୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
30/06/2018 at 1:18 PM

କ୍ୟାନ୍ସର ଚିକିତ୍ସା ପାଇଁ ସୋଆ ଓ ରୋଟାରୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର : କ୍ୟାନ୍ସର ରୋଗରେ ପୀଡିତ ଗରିବ ରୋଗୀମାନଙ୍କୁ କିଭଳି କମ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ନେଇ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସ୍ପିଟାଲ ଓ ରୋଟାରୀ କ୍ୟାନ୍ସର ରେଫରାଲ ସେଣ୍ଟର ମଧ୍ୟରେ ଗତ ଶୁକ୍ରବାର ଦିନ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି |
ବୁଝାମଣା ପତ୍ର ଅନୁଯାୟୀ ରୋଟାରୀ କ୍ୟାନ୍ସର ରେଫରାଲ ସେଣ୍ଟର ପକ୍ଷରୁ ଓଡିଶାର ଯେଉଁସବୁ ସ୍ଥାନରେ କ୍ୟାନ୍ସର ସ୍କ୍ରିନିଂ କ୍ୟାମ୍ପ କରାଯିବ ସେଠାରେ ସମ ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଯୋଗାଇ ଦିଆଯିବ | ଏଥି ସହିତ ରୋଟାରୀ କ୍ୟାନ୍ସର ରେଫରାଲ ସେଣ୍ଟର ପକ୍ଷରୁ ଯେଉଁ ରୋଗୀମାନଙ୍କୁ ସମ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯିବ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦରରେ ଚିକିତ୍ସା ପ୍ରଦାନ କରାଯିବ |
ରୋଟାରୀ କ୍ୟାନ୍ସର ରେଫରାଲ ସେଣ୍ଟର ରୋଟାରୀ କ୍ଲବ ଅଫ ଭଦ୍ରକ ମିଡ଼ ଟାଉନ ପରିଚାଳିତ କ୍ୟାନ୍ସର କେୟାର ଆଣ୍ଡ ସ୍କ୍ରିନିଂ ସେଣ୍ଟର ଦ୍ୱାର ଗଠିତ ହୋଇଛି |
ସୋଆ ପକ୍ଷରୁ ଅନେକ ସାମାଜିକ କ୍ଷେତ୍ରରେ ଜନହିତକର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହି ବୁଝାମଣା ପତ୍ର ତା’ ମଧ୍ୟରୁ ଅନ୍ୟତମ ବୋଲି ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି | ୩ ବର୍ଷ ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି | ଏହି ବୁଝାମଣା ପତ୍ରରେ ସମ ହସ୍ପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ.ପୁଷ୍ପରାଜ ସାମନ୍ତସିଂହାର, ରୋଟାରୀ ଇନ୍ଟରନ୍ୟାଶନାଲ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ନର ଶ୍ରୀ ଅଜୟ ଅଗ୍ରୱାଲ ଏବଂ ଖାରବେଳ ରୋଟାରୀ କ୍ଲବର ସଭାପତି ଶ୍ରୀ କେ.ସି.ସ୍ୱାଇଁ ସ୍ଵାକ୍ଷର କରିଛନ୍ତି |
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଏବଂ ବିଖ୍ୟାତ ରୋଟାରୀୟାନ ଶ୍ରୀ ଅରୂପ ପଟ୍ଟନାୟକ ଏହି ବୁଝାମଣା ସ୍ଵାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ ମହତ ଏବଂ ଏହା କ୍ୟାନ୍ସର ପୀଡିତ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ | ସମ ହସ୍ପିଟାଲର ଏହି ସହଯୋଗ ପାଇଁ ସେ ଧନ୍ୟବାଦ ଅର୍ପଣ କରିଥିଲେ |
ଗରିବ ଏବଂ ଅନୁନ୍ନତ ଶ୍ରେଣୀର ଲୋକଙ୍କ ପାଇଁ ଉନ୍ନତମାନର ସେବା ଯୋଗାଇଦେବା ସମ ହସ୍ପିଟାଲର ଲକ୍ଷ ବୋଲି ଡିନ ପ୍ରଫେସର ସାହୁ କହିଥିଲେ |