ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଲେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ବବିଦ୍ୟାଳୟର ଜାଗୋ ଟିମ୍ ସଦସ୍ୟ
7/01/2019 at 10:53 AM

ଖୋର୍ଦ୍ଧା ୭|୧: ସମାଜର ଅବହେଳିତ ମାନଙ୍କ ସହ ସମୟ ବିତାଇବା । ସେମାନଙ୍କ ସହ ଖୁସୀ ବାଣ୍ଟିବା ଏବଂ ସେମାନଙ୍କୁ ହାତରେ କିଛି ଭେଟି ଦେଇ ସେମାନଙ୍କ ମୁହଁରେ ହସ ଆଣିବା କିଛି ଭିନ୍ନ ମାନସିକତାର ଲୋକମାନେ ହିଁ କରିଥନ୍ତି। ଏମିତି କିଛି ଭିନ୍ନ ଭାବନାରେ ଏକାଠି ହୋଇଥିଲେ ସୋଆ ଜାଗୋର କର୍ମୀମାନେ।

ହସ ବାଣ୍ଟିବାର ବିରଳ ଖୁସି। କାହା ମୁହଁରେ ଚେନାଏ ହସ ଫୁଟାଇବାରେ ଥାଏ ଜୀବନର ବାସ୍ତବ ସୁଖ। ଆଉ ଏହି ସୁଖର ସ୍ପର୍ଶ ଲାଭ କରିବା ଲାଗି ଏମାନେ ଆଜି ଏଠି ଏକାଠି ହୋଇଛନ୍ତି। ଖୋର୍ଦ୍ଧାର ବୋଲଗଡ଼ ବ୍ଲକ ସାରୁଅ ଗାଁର ଦିବ୍ୟାଙ୍ଗ ବିଦ୍ୟାଳୟ ପରିବେଶ ଏମିତି ହୋଇଥିଲା ଉତ୍ସବମୁଖର। ଯେଉଁଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହିତ ଏକାଠି ହୋଇଥିଲେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ବବିଦ୍ୟାଳୟର ଜାଗୋ ଟିମ୍ର ସକ୍ରିୟ ସଦସ୍ୟମାନେ। ଦୃଷ୍ଟିହୀନ ଛାତ୍ର ନିବାସ ବେହେରା ଏମାନଙ୍କୁ ଗୀତ ଗାଇ ସ୍ବାଗତ କରିଥିଲେ।

ଗୋଟିଏ ପଟେ ଗୀତ ଆଉ ଅନ୍ୟପଟେ ଚାଲୁଥିଲା ଚିତ୍ରାଙ୍କନ। କୁନି କୁନି ଭିନ୍ନକ୍ଷମ ପିଲାଙ୍କ ମନର ଦୁନିଆ ଫୁଟି ଉଠିଥିଲା ପେନ୍ସିଲ ମୁନରେ। ସେହି ଗୋଟି ଗୋଟି ଚିତ୍ର ହିଁ କହିଥିଲା ଏହି ପିଲାମାନେ କେତେ ଖୁସି ଥିଲେ। ଶୁଣନ୍ତୁ ସେମାନଙ୍କ ମୁହଁରୁ।

ମ୍ୟୁଜିକ ପରେ ଥିଲା ମ୍ୟୁଜିକ ଚେୟାର।ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ମ୍ୟୁଜିକ୍ ଖେଳରୁ ଯେତିକି ଖୁସି ପାଉଥିଲେ ସେମାନଙ୍କୁ ଦେଖୁଥିବା ସମସ୍ତେ ଆହୁରି ଖୁସି ହେଉଥିଲେ। ଏହି ଖୁସିକୁ ବଢ଼ିଥିଲା, ଯେତେବେ ସେମାନଙ୍କ ହାତରେ ଛୋଟଛୋଟ ଗିଫ୍ଟମାନ ଦିଆଯାଉଥିଲା। ଆଉ ଏହି ପିଲାମାନଙ୍କର ଖୁସି ଦେଖି ବିଲ୍କୁଲ ଭାବବିହ୍ବଳ ହୋଇଯାଇଥିଲେ ଜାଗୋର ସଭାନେତ୍ରୀ ତଥା ଶିକ୍ଷା ଓ ଅନୁସନ୍ଧାନର ଭାଇସ୍ ପ୍ରେସିଡେଣ୍ଟ ଶାଶ୍ବତୀ ଦାସ।

କେବଳ ଛୋଟ ଛୋଟ ପିଲାମାନେ କାହିଁକି, ବୟସ୍କ ତଥା ଅବହେଳିତ ହୋଇଯାଇଥିବା ବୟସ୍କଙ୍କ ମୁହଁରେ ଚେନାଏ ଚେନାଏ ହସ ଫୁଟାଇବାକୁ ଚେଷ୍ଟା କରିଥିଲା ଜାଗୋ। ପ୍ରବଳ ଶୀତ ଲହରୀରୁ ସେମାନଙ୍କ ଶରୀରରେ ଉଷ୍ମତା ଭରିବା ଲାଗି ସେମାନଙ୍କୁ କମ୍ବଳ ଦିଆଯାଇଥିଲା। ଏହା ହିଁ ତ ରବିବାରର ଅସଲ ଖୁସି, ଯାହାକୁ ଦେଖି ଅନ୍ୟମାନେ ବି କହିବେ ଜାଗୋ।