ସୋଆର ‘ଜାଗୋ’ ଅଭିଯାନକୁ ପୁରିଲା ୧୨ ବର୍ଷ: ପ୍ଲାଷ୍ଟିକ ବର୍ଜନ ଲାଗି ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 11, 2019 IST

ଭୁବନେଶ୍ୱର ୧୧।୧୦ : ରାଜଧାନୀ ବସ୍ତି ଅଞ୍ଚଳର କୁନି କୁନି ପିଲା କିଭଳି ପାଠ ପଢ଼ିପାରିବା ସହିତ ଅନ୍ୟ ଗୁଣାତ୍ମକ ଦିଗରେ ମଧ୍ୟ ନିଜକୁ ଆଗେଇ ନେଇ ପାରିବେ ସେଇ ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍‌ ଟୁ ବି ୟୁନିଭର୍ସିଟିରେ ପକ୍ଷରୁ ଆରମ୍ଭ ହୋଇଥିଲା 'ଜାଗୋ’ ଅଭିଯାନ । ସେହି ମହତ୍‌ ଅଭିଯାନକୁ ଶୁକ୍ରବାର ୧୨ ବର୍ଷ ପୁରିଛି ।  ୨୦୦୭ ଅକ୍ଟୋବର ୧୧ ତାରିଖରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀମାନେ ଆରମ୍ଭ କରିଥିଲେ ଏହି ଅଭିଯାନ । ସୋଆର ପ୍ରତିଷ୍ଠାତା ଓ ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଏବଂ ଉପସଭାପତି ଶାଶ୍ୱତୀ ଦାସଙ୍କ ପୃଷ୍ଠପୋଷକତାରେ ଅଭିଯାନ ଆରମ୍ଭ ହୋଇଥିଲା ।

ଆଇଟିଇଆର କ୍ୟାମ୍ପସ ନିକଟସ୍ଥ ବସ୍ତିର ଚାରୋଟି କୁନି କୁନି ପିଲାଙ୍କ ପାଠପଢ଼ିବାର ଦାୟିତ୍ୱ ନେଇଥିଲେ ଆଇଟିଇଆର ଛାତ୍ରଛାତ୍ରୀ । ପାଠପଢ଼ା ସାଙ୍ଗକୁ ସଙ୍ଗୀତ, ନୃତ୍ୟ ଭଳି କଳା ମଧ୍ୟ ସେମାନଙ୍କୁ ଶିକ୍ଷାଇଥିଲେ। କୁନି କୁନି ପିଲାଙ୍କୁ ତାଙ୍କ ବସ୍ତିରୁ ଆଣି ଆଇଟିଇଆର କ୍ୟାମ୍ପସ ଭିତରେ ପାଠପଢ଼ାଇ ଗୀତ ନାଚ ଶିଖାଇବା ସହ ପୁଣି ତାଙ୍କ ଘରେ ଛାଡ଼ିଦେଇ ଆସୁଥିଲେ । ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟ କରୁଥିଲେ । ଏହି ଚାରୋଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା 'ଜାଗୋ’ ଆଜି ପରିବ୍ୟାପ୍ତ ହୋଇଛି । ବିଶ୍ୱବିଦ୍ୟାଳୟର ସମ୍ପୂର୍ଣ୍ଣ ସହାୟତାରେ ସୋଆର ସବୁ କ୍ୟାମ୍ପସରେ ଆରମ୍ଭ ହୋଇଛି ଏହି ଅଭିଯାନ । ଚାରିଟି ପିଲାରୁ ଏବେ ଜାଗୋ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶତାଧିକ ହୋଇଛି । ଆଇଟିଇଆର ର ମାତ୍ର ୨୫୦ ପିଲା ଏହି ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ଏଥିରେ ୧୦୦୦ରୁ ଅଧିକ  ଛାତ୍ରଛାତ୍ରୀ ସାମିଲ୍‌ ହୋଇଛନ୍ତି ।


କେବଳ ପାଠପଢ଼ା ନୁହେଁ, ନିକଟସ୍ଥ ବସ୍ତିଗୁଡିକର ପରିସ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟିଦେବା ସହ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗରେ ଶିକାର ହୋଇଥିବା ଲୋକମାନଙ୍କର ସେବା ସୁଶୃଷା ମଧ୍ୟ କରୁଛନ୍ତି 'ଜାଗୋ’ ସଦସ୍ୟ ।  ୧୨ ବର୍ଷ ପୂର୍ତି ଅବସରରେ ସୋଆ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଚେତନତା ରାଲି କରାଯାଇଥିଲା । ଏହାର ଥିମ ଥିଲା 'ସେ ନୋ ଟୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ' । ଜାଗୋ ନେତୃତ୍ୱ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଇଟିଇଆର ଏବଂ ଏହାର ନିକଟବର୍ତୀ ଅଞ୍ଚଳରେ ରାଲି କରାଯାଇଥିଲା । ଏଥିରେ ସୋଆର ନିର୍ଦ୍ଦେଶକ (ଆଡମିଶନ) ପ୍ରଫେସର୍‌ ମାନସ କୁମାର ମଲ୍ଲିକ, ଆଇଟିଇଆର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ ଏବଂ 'ଜାଗୋ’ର ସଂଯୋଜିକା ପ୍ରଫେସର ଅନୀତା ପଣ୍ଡା ମଧ୍ୟ ସାମିଲ୍‌ ହୋଇଥିଲେ ।

ସେହିପରି ସୋଆର କ୍ୟାମ୍ପସ୍‌ – ୨ ରେ ମଧ୍ୟ ସଚେତନତା ରାଲି କରାଯାଇଥିଲା । ଏହି ରାଲିରେ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, 'ଜାଗୋ’ ସଂଯୋଜିକା ପ୍ରଫେସର ଅନୀତା ପଣ୍ଡାଙ୍କ ସମେତ ସୋଆ ଛାତ୍ରଛାତ୍ରୀ ସାମିଲ୍‌ ହୋଇ ସଚେତନତାର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଜାଗୋର ସଦସ୍ୟ ଆକାଶ ତିୱାରୀ, ଅସୀତ କୁମାର, ସ୍ମୃତି ଲକ୍ଷ୍ମୀ ଓ ଶ୍ରେଷ୍ଠା ପ୍ରଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.