ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ନେଇ ସୋଆ କମ୍ୟୁନିଟି ରେଡିଓର ପ୍ରୟାସ

Published By : Prameya-News7 Bureau | July 05, 2019 IST

ଭୁବନେଶ୍ୱର, ୫ /୦୭ : ବର୍ତମାନ ଶିଶୁ ନିର୍ଯାତନା, ଯୌନ ଶୋଷଣ ଓ ଦୁଷ୍କର୍ମ ଆମ ସମାଜର ଏକ ବ୍ୟାଧି ଭାବେ ଉଭା ହୋଇଛି । ଏସବୁ ସମସ୍ୟାର ମୁକୁଳିବାକୁ ହେଲେ ଆମ ପିଲାମାନଙ୍କୁ ମଧ୍ୟ ସଚେତନ କରିବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ କମ୍ୟୁନିଟି ରେଡିଓ ଭଏସ୍ ଅଫ୍ ସୋଆ ୯୦.୪ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିସେଫ୍ ଏବଂ ୟଙ୍ଗ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ୍ରେ ଏକ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

କମ୍ୟୁନିଟି ରେଡିଓ ମାଧ୍ୟମରେ କିଭଳି କିଶୋର, କିଶୋରୀ ମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ସମାଜରେ ବଢ଼ି ଚାଲିଥିବା ଦୁଷ୍କର୍ମ ଏବଂ ଯୌନ ଶୋଷଣ ସମ୍ପର୍କରେ ସଚେତନ କରାଇବା ସହ ପିଲାମାନେ କିଭଳି ଏସବୁ କ୍ଷେତ୍ରରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ ।

ସୋଆର ଚିଫ୍ ଭିଜିଲାନ୍ସ ଅଫିସର ଓ ନିର୍ଦ୍ଦେଶକ ରିସୋର୍ସେସ୍ ତଥା ପୂର୍ବତନ ବରିଷ୍ଠ ପୋଲିସ୍ ଅଧିକାରୀ ଶ୍ରୀ ଯୁଗଳ ଦାସ ପିଲାମାନଙ୍କୁ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ କହିଥିଲେ । ସେହିପରି ଅନେକ ଦୁଷ୍କର୍ମ ଘଟୁଥିଲେ ମଧ୍ୟ ଅଧିକାଂଶ ରିପୋର୍ଟ ହୁଏ ନାହିଁ । ପିଲାମାନେ ଏଭଳି କୌଣସି ପରିସ୍ଥିତିର ସମ୍ମୁଖିନ ହେଲେ ତୁରନ୍ତ ପିତାମାତାଙ୍କୁ ଜଣାନ୍ତୁ ବୋଲି ସେ କହିଥିଲେ ।  

ସେହିପରି ସୋଆ ଆଇନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ମଧୁବ୍ରତା ମହାନ୍ତି ଏସବୁ କ୍ଷେତ୍ରରେ ଆଇନ୍ର ଆଶ୍ରୟ ନେଇ ମୁହଁ ଖୋଲିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ସଦସ୍ୟା ଶ୍ରୀମତି ଜୟଶ୍ରୀ ମହାପାତ୍ର ଯୋଗ ଦେଇ ପିଲାମାନେ ତାଙ୍କ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ ଏବଂ ନିଜକୁ କେମିତି ରକ୍ଷା କରିବେ ସେ ଦିଗରେ ସଚେତନ ହୁଅନ୍ତୁ ବୋଲି କହିଥିଲେ ।

ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଆସିଷ୍ଟାଂଟ ପ୍ରଫେସର ଡ. ହିରଣ୍ମୟ ନନ୍ଦ କହିଥିଲେ ଯେ କେବଳ ଝିଅ ନୁହନ୍ତି ପୁଅମାନେ ମଧ୍ୟ ଅନେକ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଛନ୍ତି । ତେଣୁ କେଉଁଟା ଠିକ୍ ଓ କେଉଁଟା ଭୁଲ୍ ସେ ଦିଗରେ ପିଲାମାନେ ସଚେତନ ହେବା ଉଚିତ୍ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ (ଗୁଡ଼ ଟଚ୍ ଏବଂ ବ୍ୟାଡ ଟଚ୍) ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା ।  

ଏହି କାର୍ଯ୍ୟକ୍ରମରେ ସୋଆର ଜଏଂଟ ରେଜିଷ୍ଟ୍ରାର୍ ଶ୍ରୀ ସିଦ୍ଧ୍ୟବ୍ରତ ଦାଶ ଏବଂ ସୋଆ କମ୍ୟୁନିଟି ରେଡିଓର ଆର୍ଜେ କେପି, ଗୌର, ରମାବଲ୍ଳଭ ଏବଂ ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ୍ର ଅଧ୍ୟକ୍ଷ, ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଆର୍ଜେ ଶବ୍ନମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍କୁଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.