କେନ୍ଦୁଝର କାଞ୍ଜିପାଣିରେ ତୁଷାରପାତ, ଜନଜୀବନ ପ୍ରଭାବିତ
30/12/2018 at 2:22 PM
କେନ୍ଦୁଝର ୩୦|୧୨: ସମଗ୍ର ରାଜ୍ୟ ଓ ଦେଶରେ ଶୀତର ଲହରୀ ଜାରୀ ରହିଛି। ଶୀତ ଆହୁରି ୪୮ ଘଣ୍ଟା ଯାଏ ଜୋର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ବିଭିନ୍ନ ସ୍ଥାନରେ ୨୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ତୁଷାରପାତ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାରଦ ୪ ଡିଗ୍ରୀ ସେଲସିଅସକୁ ଖସିଆସିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି ପରେ କେନ୍ଦୁଝର ଜିଲ୍ଲାର କାଂଜିପାଣି ଘାଟି ଅଞ୍ଚଳରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଗତ ତିନି ଦିନ ହେଲା ରାତିରେ ଚୁଷାରପାତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।ଘରର ଛାତ, ଘାସ, କାଠ ଉପରେ ସକାଳୁ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି । ପ୍ରବଳ ଶୀତ କାରଣରୁ ଦିନରେ ମଧ୍ୟ ଲୋକ ଘରୁ ବାହାରୁ ନାହାଁନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସଂଧ୍ୟା ହେଲାମାତ୍ରେ ତାଟି କବାଟ ପଡିଯାଉଛି । ଠା ଠା ଲୋକେ ନିଆଁଜାଳି ବସୁଥିବା ଦେଖିବାକୁ ମିଳୁଛି ।
ଅପରପକ୍ଷରେ ପ୍ରଚଣ୍ଡ ଥଣ୍ଡା ଏବଂ ତୁଷାରପାତକୁ ଉପଭୋଗ କରିବା ପାଇଁ ଜିଲ୍ଲାକୁ ପର୍ୟ୍ୟଟକଙ୍କ ସୁଅ ଛୁଟିଛି। ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳି ରେ ଏବେ ଭିଡ ପରିଲକ୍ଷିତ ହେଉଛି। ବିଶେଷ କରି ଘାଘରା, ଭୀମକୁଣ୍ଡ ଆଦି ଅଂଚଳରେ ଅଧିକ ପିକ୍ନିକ କରିବାକୁ ଆସୁଥିବା ଦେଖିବାକୁ ମିଳିଛି। ସକାଳୁ ଏବଂ ସଂଧ୍ୟାରେ ଘନକୁହୁଡି ଯୋଗୁଁ ଗାଡି ବସ ଚଳାଚଳ ପ୍ରଭାବିତ ହେବା ସହ ବିପଦଜନକ ହୋଇପଡିଛି।