କେଦାରନାଥ-ବଦ୍ରୀନାଥ ସମେତ ଚାରଧାମରେ ବର୍ଷା ଓ ତୁଷାରପାତ: ରାସ୍ତା ଯାମ୍, ଅସୁବିଧାରେ ଯାତ୍ରୀ

Published By : Prameya-News7 Bureau | October 18, 2021 IST

ଡେରାଡୁନ ୧୮/୧୦ : ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ବଦ୍ରୀନାଥ, କେଦାରନାଥ-ଗଙ୍ଗୋତ୍ରୀ ସମେତ ଚାରଧାମରେ ତୁଷାରପାତ ଜାରି ରହିଛି। ଉତ୍ତରକାଶୀ, ଚମୋଲି, ରୁଦ୍ରପ୍ରୟାଗ, ଅଲ୍ମୋଡା, ବାଗେଶ୍ଵର ସମେତ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି। ଉଚ୍ଚ ହିମାଳୟ କ୍ଷେତ୍ରରେ ତୁଷାରପାତ ଲାଗି ରହିଛି। ବଦ୍ରୀନାଥରେ ନର ନାରାୟଣ ପର୍ବତ, ନୀଳକଣ୍ଠ ପର୍ବତ, ହେମକୁଣ୍ଡ, ରୁଦ୍ରନାଥ, ନନ୍ଦାଦେବୀ, ରୂପକୁଣ୍ଡ ସମେତ ଆଖପାଖ ଅଞ୍ଚଳରେ ତୁଷାରପାତ ଜାରି ରହିଛି।

{"id":529116,"sizeSlug":"full","linkDestination":"none"}

ସୋମବାର ସକାଳୁ ବର୍ଷା ପରେ ବଦ୍ରୀନାଥ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭାରତ-ଚୀନ ସୀମାକୁ ସଂଯୋଜିତ କରୁଥିବା ରାଜପଥ ବାଧାପ୍ରାପ୍ତ ହୋଇଛି। ସେନା କ୍ୟାମ୍ପକୁ ଯାଉଥିବା ସେବା ଗାଡି ମଧ୍ୟ ଅଟକି ରହିଛି। ପାହାଡ ଉପରୁ ଲଗାତାର ପଥର ଓ ବୋଲ୍ଡର ପଡୁଥିବାରୁ ଚିନ୍ତାଜନକ ସ୍ଥିତି ଉପୁଜିଛି। ଖରାପ ପାଣିପାଗ ଯୋଗୁଁ ଜିଲ୍ଲା ଅଧିକାରୀ ହିମାଂଶୁ ଖୁରାନା ମଙ୍ଗଳବାର ଯାଏଁ ଯାତ୍ରୀଙ୍କୁ ଯଥା ସ୍ଥାନରେ ଅଟକି ରହିବାକୁ ପରାମର୍ଶ ଦେଇଛନ୍ତି।

ରବିବାର ରାତିରୁ ଲଗାତାର ବର୍ଷା ହେଉଛି। ସୋମବାର ମଧ୍ୟ ଜିଲ୍ଲାର ସମସ୍ତ ସ୍ଥାନରେ ମୁଷଳଧାରା ବର୍ଷା ହେଉଛି। କେଦାରନାଥ ପାହାଡରେ ତୁଷାରପାତ ଯୋଗୁଁ ପାଗ ଭୀଷଣ ଥଣ୍ଡା ହୋଇଯାଇଛି। ପାଣିପାଗ ଯୋଗୁଁ କେଦାରନାଥରେ ଉପସ୍ଥିତ ତୀର୍ଥଯାତ୍ରୀଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

କେଦାରନାଥରୁ ଫେରୁଥିବା ପଦଯାତ୍ରୀଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି। ଋଷିକେଶ-ବଦ୍ରୀନାଥ ରାଜପଥ ସିରୋବଗଡରେ ବନ୍ଦ ରହିଛି। ପଥର ପଡୁଥିବାରୁ ଅନେକ ଗାଡି ଓ ଯାତ୍ରୀ ଅନ୍ୟ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.