ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା: ୩ ଜାତୀୟ ରାଜପଥ ସମେତ ୧୦୫ଟି ରାସ୍ତା ବନ୍ଦ

Published By : Prameya-News7 Bureau | February 04, 2021 IST

ଶିମଲା ୦୪/୦୨ : ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ଭୀଷଣ ତୁଷାରପାତ ଓ ବର୍ଷା ହୋଇଛି। ବୁଧବାର ରାତିରେ ସୁବେ ଅଞ୍ଚଳରେ ଜୋରଦାର ବର୍ଷା ହୋଇଛି। ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି। ଶିମଲା-ନାରକଣ୍ଡା-ରାମପୁର ରାଜପଥ ତୁଷାରପାତ ଯୋଗୁଁ ବନ୍ଦ ହୋଇଯାଇଛି। ଚୌପାଲା ଦେହା ସଡକ ମାର୍ଗରେ ମଧ୍ୟ ଯାତାୟାତ ଠପ୍ ହୋଇଯାଇଛି ।ଏଠାରେ ୨ ରୁ ୪ ଇଞ୍ଚ ଯାଏଁ ବରଫ ପଡିଛି। ମନାଲି ଲେହ ରାଜପଥ ମନାଲିରୁ ନେହରୁ କୁଣ୍ଡ ଆଗକୁ ବନ୍ଦ ରହିଛି। ସୁବେରେ ପାଖାପାଖି ୧୦୦ରୁ ଅଧିକ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ତୁଷାରପାତ ଯୋଗୁଁ ଲାହୌଲ ଘାଟି ଧଳା ଚାଦରରେ ଘୋଡେଇ ହୋଇ ରହିଛି।

{"id":403380,"sizeSlug":"large","linkDestination":"none"}

ପାଣିପାଗ ବିଭାଗ ଅନୁସାରେ, ହିମାଚଳରେ ଫେବୃଆରୀ ୫ ତାରିଖ ଯାଏଁ ତୁଷାରପାତ ଓ ବର୍ଷା ହେବ। ଏହାପରେ ପାଗ ସଫା ହେବ ଓ ତାପମାତ୍ରା ବଢିବ। ବୁଧବାର ଦିନ ରାଜ୍ୟର ଉଚ୍ଚତମ ଅଞ୍ଚଳରେ ତୁଷାରପାତ ଓ ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ଫଳରେ ତାପମାତ୍ରା ବହୁତ ହ୍ରାସ ପାଇଛି। ପାହାଡ ରାଣୀ ଶିମଲାରେ ହାଲୁକା ବର୍ଷା ଓ ତୁଷାରପାତ ହୋଇଛି। ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକ ତୁଷାରପାତର ମଜା ନେଉଥିବା ଦେଖିବାକୁ ମିଳିଛି। ମନାଲିରେ ଅଟଳ ଟନେଲକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି।

{"id":403382,"sizeSlug":"large","linkDestination":"none"}

ପାଣିପାଗ ବିଭାଗ ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟାରେ ଉନା,  ବିଳାସପୁର, ହମିରପୁର ଓ କାଙ୍ଗଡାର ଅନେକ ଅଞ୍ଚଳରେ ବଜ୍ରପାତ ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ୫ ତାରିଖରେ କେବଳ ଉପରିଆ ଅଞ୍ଚଳରେ ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଅତ୍ୟଧିକ ଉଚ୍ଚ ସ୍ଥାନରେ ତୁଷାରପାତ ଯୋଗୁଁ ବିଜୁଳି ଓ ପାଣି ସେବା ବାଧାପ୍ରାପ୍ତ ହୋଇପାରେ। ବୁଧବାର ଦିନ ଲାହୌଲ ସ୍ପିତି ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ସର୍ବାଧିକ ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.