Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେଲେ ଶ୍ରୀଜୀଉ, କାଲିଠୁ ଅଣସର ନୀତି, ପୂଜା ପାଇବେ ପଟିଦିଅଁ

17/06/2019 at 7:17 PM

ପୁରୀ୧୭|୭: ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦିରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ହାତୀବେଶରେ ଦର୍ଶନ ଦେଇଛନ୍ତି । ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଅଣସର ଘରକୁ ବିଜେ କରିବେ ମହାପ୍ରଭୁ । ସ୍ନାନଯାତ୍ରା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

୧୦୮ ଗରା ସୁବାସିତ ଜଳର ସ୍ନାନ। ସ୍ନାନ ବେଦିରେ ମହାବାହୁ।  ଅଗଣିତ ଶ୍ରଦ୍ଧାଳୁଙ୍କୁ ଗଜାନନ ବା ହାତୀ ବେଶରେ ଦର୍ଶନ ଦେଇଛନ୍ତି ତିନି ଠାକୁର । । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ସମସ୍ତ ନୀତି ସୁରୁଖୁରୁରେ ସଂପନ୍ନ ହୋଇଛି । ଏହି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ ।

ଭୋରୁ ଆରମ୍ଭ ହୋଇଥିଲା ପହଣ୍ଡି । ରତ୍ନବେଦି ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି ।  ସାତ ପାହାଚରେ ଟାହିଆ ବନ୍ଧା ନୀତି ସଂପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତି ଝୁଲି ଝୁଲି ସ୍ନାନବେଦିକୁ ବିଜେ କରିଥିଲେ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ନୀତି ହୋଇଥିଲା। ଶୋଧ ପରେ ଅପରାହ୍ଣରେ ଜଳବିଜେ, ଜଳପୂଜା ଓ ଜଳଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ତରଦ୍ଵାର ମା ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ଗରାବଡ଼ୁମାନେ ଆଣିଥିବା ୧୦୮ ଗରା ଜଳକୁ ଅଧିବାସ କରାଯାଇ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା ।

ଏହାପରେ ଛେରାପହଁରା କରାଯାଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜନଅରରୁ ସ୍ବତନ୍ତ୍ର ମେହେନାରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସୁନା ଝାଡ଼ୁରେ ଛେରାପହଁରା କରିଥିଲେ । ପରେ ଠାକୁରମାନଙ୍କୁ ଗଜାନନବେଶରେ ସଜ୍ଜିତ କରାଯାଇଥିଲା। ଗୋପାଳତୀର୍ଥ ଓ ରାଘବଦାସ ମଠ ପକ୍ଷରୁ ପ୍ରସ୍ତୁତ ହାତୀବେଶକୁ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା ।

ଶୃଖଂଳିତ ଦର୍ଶନ ଓ ସୁରକ୍ଷା ବ୍ୟାବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଶେଷ କରି ପୁରୀକୁ ପ୍ରବେଶ ଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ପହଞ୍ଚିବା ଏବଂ ବାଇଶି ପାହାଛ ଦେଇ ଭକ୍ତମାନେ ଧାଡ଼ିରେ ଯାଇ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ  କରିବା ଯାଏଁ ପ୍ରଶାସନ ଖୁବ ସତର୍କ ଥିଲା।

ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଅଣସର ଘରକୁ ବିଜେ କରିବେ ମହାପ୍ରଭୁ । ଏହାପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସଂପନ୍ନ ହେବ । କାଲିଠୁ ଆରମ୍ଭ ହେବ ଅଣସର ନୀତି । ଏହାସହ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ ।

   Related Posts