ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

Published By : Prameya-News7 Bureau | June 05, 2020 IST

ପୁରୀ ୫।୬: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେରେ ରତ୍ନସଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ହୋଇଛି । ରାତି ୧ଟା ୨୫ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ରାତି ୧ଟା ୪୦ରୁ ୩ଟା ୧୦ ଯାଏଁ ପହଣ୍ଡି ନୀତି ହୋଇଥିଲା । ରାତି ୩ଟା ୪୦ରେ ମଦନମୋହନ ବିଜେ ଓ ୪ଟା ୨୦ରେ ମଙ୍ଗଳଆଳତି ଅନୁଷ୍ଠିତ ।

{"id":281335,"sizeSlug":"large"}

ମଇଲମ ଓ ତଡପଲାଗି ୪ଟା ୩୫ରେ ଓ ଅଧର ପୋଛା ନୀତି ୪ଟା ୫୦ରେ ଶେଷ ହୋଇଛି । ସକାଳ ୫ଟା ୩୦ରେ ଅବକାଶ ନୀତି ଓ ୫ଟା ୪୦ରେ ରୋଷ ହୋମ ଶେଷ ହୋଇଛି । ସକାଳ ୫ଟା ୫୫ରେ ମହାପ୍ରଭୁଙ୍କ ବେଶ ଶେଷ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଜଳ ବିଜେ ନୀତି ଆରମ୍ଭ ହୋଇଛି । ୧୦୮ ଗରାରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି । ମହାପ୍ରଭୁ ଜଗନ୍ନାଥ ୩୫ ଗରା ଓ ବଳଭଦ୍ର ୩୩ ଗରା ଜଳରେ ସ୍ନାନ କରିବେ । ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ । ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ସମ୍ପନ୍ନ ହେବ । ସ୍ନାନବେଦୀରେ ପ୍ରଭୁଙ୍କ ଗଜାନନବେଶ ଆଭୂଷଣ ଲାଗି ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ଶେଷ ହେବ । ଅପରାହ୍ନ ୪ଟା ସୁଦ୍ଧା ମହାପ୍ରଭୁଙ୍କ ହାତୀବେଶ ଆଭୂଷଣ ଓଲାଗି ହେବ ।

{"id":281336,"sizeSlug":"large"}

ଏହାପରେ ବାହୁଡା ପହଣ୍ଡି ପ୍ରସ୍ତୁତି ହେବ । ସ୍ନାନପୂର୍ଣ୍ଣିମା ଦିନ ଅପରାହ୍ନ ସାଢ଼େ ୪ଟାରେ ବାହୁଡ଼ା ପହଣ୍ଡି ପାଇଁ ପୁଷ୍ପାଞ୍ଜଳି ଓ ଡୋରଲାଗି ନୀତି ଶେଷ କରାଯିବ । ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ନୀତି ସରିବ । ରାତି ସାଢ଼େ ୮ଟା ସୁଦ୍ଧା ଠାକୁରଙ୍କ ସୁନା ଚିତା ଏବଂ ସୁବର୍ଣ୍ଣ ରାହୁରେଖା ଓଲାଗି ହେବ । ରାତି ୯ଟାରୁ ମଧ୍ୟ ରାତି ସୁଦ୍ଧା ଅଣସର ତାଟି ବନ୍ଧା ପ୍ରସ୍ତୁତି ଆରମ୍ଭ ହେବ । ରାତି ୧୨ଟା ସୁଦ୍ଧା ଅଣସର ତାଟି ବନ୍ଧାଯାଇ ଖଟୁଳି ଉପରେ ଦଶ ଅବତାର ଦିଅଁ ରାତି ସାଢ଼େ ୧୨ଟାରେ ବିଜେ କରିବେ ।

{"id":281337,"sizeSlug":"large"}

ଚଳିତ ବର୍ଷର ସ୍ବତନ୍ତ୍ରତା ହେଉଛି ଜୁନ ୫ ତାରିଖ ରାତି ସାଢ଼େ ୧୨ଟାରୁ ଅଣସର ନୀତି ଆରମ୍ଭ ହେବା । ରାତି ୧ଟାରେ ମହାସ୍ନାନ, ସାଢ଼େ ୧ଟାରେ ମଇଲମ ଓ ବେଶ ବଢ଼ି ରାତି ୨ଟାରୁ ୩ଟା ମଧ୍ୟରେ ଶେଷ ହେବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ, ତାପରେ ଦକ୍ଷିଣ ଘର ଭୋଗ ସରି ଜୟ ବିଜୟ ଦ୍ବାର ବନ୍ଦ ହୋଇ ବେହେରଣ ଦ୍ବାର ଫିଟି ଅଣସର ନୀତି ଆରମ୍ଭ ହେବ । ଅଣସର ଦିଅଁଙ୍କ ପଣାଭୋଗ ଭୋର ୪ଟା ୫୦ ମିନିଟରୁ ଆରମ୍ଭ ହେବ । ସ୍ନାନପୂର୍ଣ୍ଣିମା ରାତି ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ିଲେ ହିଁ ଚଳିତ ବର୍ଷ ପ୍ରଭୁଙ୍କ ଅଣସର ୧୫ ଦିନିଆ ସଫଳ ହେବ ।

{"id":281340,"sizeSlug":"large"}

ପ୍ରଥମ ଥର ପାଇଁ ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଲକ୍‌ଡାଉନ୍‌ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓ ବଡ଼ଦାଣ୍ଡ ସଂଲଗ୍ନ କେତେକ ଗଳିରେ ୧୪୪ ଧାରା ଜାରି କରାଯାଇଛି । ୪ ତାରିଖ ରାତି ୧୦ଟା ଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ବୋଲି ଘୋଷଣା ହୋଇଛି । ସୀମିତ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି ।

{"id":281339,"sizeSlug":"large"}

ପୋଲିସ ପକ୍ଷରୁ ୯୦ଟି ସ୍ଥାନରେ ଚେକ୍‌ପୋଷ୍ଟ ସହ ବ୍ୟାରିକେଡ୍‌ ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ ଯେ, କରୋନା ଲକ୍‌ଡାଉନ୍‌ ପାଇଁ ଦୁଇମାସରୁ ଅଧିକ ସମୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ସ୍ନାନଯାତ୍ରା ପାଇଁ ମଧ୍ୟ ସେହି କଟକଣା ଜାରି ହୋଇଛି ।

{"id":281341,"sizeSlug":"large"}

ଶ୍ରୀଜିଉଙ୍କ ୨୦୨୦ ଦେବସ୍ନାନ ପର୍ବ ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ଯୋଡିଦେବ ଏକ ବିରଳ ଫର୍ଦ୍ଦ । କରୋନା ସଂକ୍ରମଣ ସୌଜନ୍ୟରୁ ବଡଦେଉଳ ଇତିହାସ ବଦଳି ଯିବ । ଭକ୍ତଙ୍କ ଅନୁପସ୍ଥିତିରେ ମହାପ୍ରଭୁଙ୍କ ସ୍ନାନବିଧି ଅନୁଷ୍ଠିତ ହେଉଛି । ଭକ୍ତମାନେ ଦେଶବିଦେଶରେ ଟେଲିଭିଜନ୍‌ ପରଦାରେ ଏହି ବିରଳ ଦୃଶ୍ୟ ଦର୍ଶନ କରୁଛନ୍ତି । ଐତିହାସିକ, ଗବେଷକ ଏବଂ ସେବାୟତମାନେ କହିଛନ୍ତି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅଭିଲେଖାଗାର ଶ୍ରୀବୃଦ୍ଧି କରିବ ।

{"id":281342,"sizeSlug":"large"}

ସେହିଭଳି ୧୫ ଦିନିଆ ଅଣସର ବିଜେ ନୀତି ଚଳିତ ବର୍ଷ ଅନୁପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହା ସଫଳ ହେଲେ ଶ୍ରୀମନ୍ଦିରରେ ୫୦୦ ବର୍ଷର ବିରଳ ଇତିହାସ ସୃଷ୍ଟି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.